ଆଜି ଚାଷୀଙ୍କ ଆକାଉଣ୍ଟକୁ ଯିବା କାଳିଆ କିସ୍ତି
- ପୁରୀ ଜିଲାର ଚାଷୀଙ୍କୁ ଏହି ସହାୟତା ମିଳିବ ନାହିଁ
ଭୁବନେଶ୍ୱର : ଚାଷୀଙ୍କୁ ମିଳିବ କାଳିଆ ଟଙ୍କା। ଆଜି ନୂଆଖାଇ ଅବସରରେ ନୂଆଖାଇ ଭେଟ୍ ଦେବେ ରାଜ୍ୟ ସରକାର। ଶନିବାର ଅପରାହ୍ନ ସାଢ଼େ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହି ଟଙ୍କା ପ୍ରଦାନର ଶୁଭାରମ୍ଭ କରିବେ। ୩୭ ଲକ୍ଷରୁ ଅଧିକ ଚାଷୀଙ୍କୁ ୭୪୨ କୋଟି ଟଙ୍କା ପ୍ରଦାନ କରାଯିବ। ପ୍ରତ୍ୟେକ ଚାଷୀଙ୍କ ଆକାଉଣ୍ଟ୍କୁ ୨ ହଜାର ଟଙ୍କା ଲେଖାଏ ଯିବ। ସୂଚନା ଯେ, ପୂର୍ବରୁ ଉତ୍କଳ ଦିବସ ଅବସରରେ ଗତ ଏପ୍ରିଲ୍ ୧ ତାରିଖରେ ଚଳିତ ବର୍ଷର ପ୍ରଥମ କିସ୍ତିରେ ଚାଷୀମାନଙ୍କୁ କାଳିଆ ଯୋଜନାର ଗୋଟିଏ କିସ୍ତି ମିଳିଥିଲା। ଏହାପରେ ଆଜି କାଳିଆ ଯୋଜନାରେ ଦ୍ୱିତୀୟ କିସ୍ତି ଟଙ୍କା ପ୍ରଦାନ କରାଯିବ ।
ଅନ୍ୟପକ୍ଷରେ ପୁରୀ ଜିଲାର ଚାଷୀଙ୍କୁ ଏହି ସହାୟତା ମିଳିବ ନାହିଁ। ଚଳିତମାସ ୩୦ରେ ପିପିଲି ଉପନିର୍ବାଚନ ଅନୁଷ୍ଠିତ ହେବାକୁ ରହିଥିବାରୁ ନିର୍ବାଚନ କଟକଣା ପାଇଁ ଜିଲାବାସୀଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ। ଏ ବାବଦକୁ ପ୍ରାୟ ୧୩କୋଟି ଟଙ୍କା କମ୍ ରହିବ ବୋଲି ଜଣାଯାଇଛି।
