ନନ୍ଦିକାରେ ଗୋ ମଡକ : ନିକଟବର୍ତ୍ତୀ ଗାଁରେ ଚାଞ୍ଚଲ୍ୟ
ଜଳେଶ୍ୱର : ଆଜି ଜଳେଶ୍ୱର ପୌରପାଳିକାର କେତେକ ଗାଁରେ ଗୋରୁ ଗୁଡିକ ଗୁରୁତର ଅସୁସ୍ଥ ହୋଇଥିବା ବେଳେ ନନ୍ଦିକା ଗାଁରେ ଗୋଟିଏ ଗର୍ଭିଣି ଗାଈର ମୃତ୍ୟୁ ଘଟିଛି । ଅନ୍ୟ ୧୫ଟି ଗାଈ ଅସୁସ୍ଥ ଥିବାରୁ ସେଠାରେ ପ୍ରାଣୀ ଚିକିତ୍ସାଳୟର କର୍ମଚାରୀମାନେ ଚିକିତ୍ସା କରୁଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଆଜି ନନ୍ଦିକା ଗାଁର ପ୍ରଦୀପ କୁମାର ଭଂଜଙ୍କ ଏକ ଗର୍ଭିଣୀ ଗାଈ ଗୁରୁତର ଅସୁସ୍ଥ ଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଛି । ସେହିଭଳି ଆଶାଲତା ଭଂଜ, ସୁଭ୍ରାଂଶୁ ଭଂଜ, ଦିଲ୍ଲିପ କୁମାର ଭଂଜ ଓ ନହଞ୍ଜରା ଗାଁ ବିଜୟ ଭଂଜଙ୍କର ୮ଟି ଗୋରୁ ଗୁରୁତର ଅବସ୍ଥାରେ ଥିବା ବେଳେ ଚିକିତ୍ସା ଚାଲିଛି । ଅନ୍ୟ ୬ଟି ଗୋରୁ ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ଗୋରୁ ଗୁଡିକ ପାଟିରୁ ଲାଳ ବାହାରିବା, ଧଇଁସଇଁ ହେବା, ଜ୍ୱର ଆସିବା, ଛାଟିପିଟି ହେବାଭଳି ଲକ୍ଷଣ ଦେଖା ଦେଉଛି । ଏ ସଂପର୍କରେ ନନ୍ଦିକା ଗାଁର ପ୍ରଦୀପ କୁମାର ଭଂଜଙ୍କୁ ପଚାରିବାରୁ ଗାଁ ନିକଟରେ ୬୦ନଂ ଜାତୀୟ ରାଜପଥ ପାଶ୍ୱରେ ପଡିଥିବା ବିଶାକ୍ତ ଖାଦ୍ୟଖାଇ ଏପରି ଦୁର୍ଦ୍ଦଶା ହୋଇଥିବା କହିଛନ୍ତି । ଅନ୍ୟପକ୍ଷରେ ଜଳେଶ୍ୱରର ବିଭିନ୍ନ ସ୍ଥାନରେ ରମ୍ପି ରୋଗର (ବସନ୍ତ) ପ୍ରାଦୁର୍ଭାବ ବଢିଥିବାରୁ ଏପରି ଘଟଣା ଘଟିଥାଇପାରେ ବୋଲି କେତେକେ ଅନୁମାନ କରିଛନ୍ତି । ଜଳେଶ୍ୱର ପ୍ରାଣିଚିକିତ୍ସାଳୟର ସାର୍ଥକ କୁମାର ଘୋଷ ଓ ନାମ୍ପୋ ପ୍ରାଣିଚିକିତ୍ସାଳୟର ଦୁର୍ଗାଚରଣ ମୁର୍ମୁ ଘଟଣାସ୍ଥଳରେ ରହି ଗୋରୁ ଗୁଡିକୁ ଚିକିତ୍ସିତ କରିଥିବା ଜଣାଯାଇଛି ।
