କୋଣାର୍କ ପାରିପାର୍ଶ୍ୱିକ ବିକାଶ ଓ ବିସ୍ଥାପିତ ମାନଙ୍କ ଥଇଥାନ ନିମନ୍ତେ ଜନଶୁଣାଣି ଶିବିର
କୋଣାର୍କ : କୋଣାର୍କ ସ୍ଥିତ ପୂର୍ତ୍ତବିଭାଗ ଡାକବଙ୍ଗଳା ଠାରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଣାର୍କ ପାରିପାର୍ଶ୍ୱିକ ବିକାଶ ଓ ବିସ୍ଥାପିତ ମାନଙ୍କ ଥଇଥାନ ନିମନ୍ତେ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଖବରରୁ ପ୍ରକାଶ ଯେ କୋଣାର୍କ ଏନଏସି ୯ନଂ ୱାର୍ଡ ମେଡିକାଲ ଛକ ଠାରୁ କୋଣାର୍କ ପୂର୍ତ୍ତବିଭାଗ ଛକ ପରିସରରେ ଥିବା ବ୍ଯବସାୟିକ ଅନୁଷ୍ଠାନ ଓ ବାସଗୃହ ଉଛେଦ କରି କୋଣାର୍କ ପାରିପାର୍ଶ୍ୱିକ ବିକାଶ ନିମନ୍ତେ ବିସ୍ଥାପିତ ମାନଙ୍କୁ ନେଇ ଜନଶୁଣାଣି ମାଧ୍ୟମରେ ଆପତ୍ତି ଅଭିଯୋଗ ଗ୍ରହଣ କରାଯାଇଥିଲା । ଏହି ଉନ୍ନୟନ ପ୍ରକଳ୍ପ ନିମନ୍ତେ ୧୧୬ ହୋଟେଲ ବ୍ଯବସାୟୀ ଓ ବାସଗୃହ ବିସ୍ଥାପିତ ହେଉଥିବା ବେଳେ ସେମାନଙ୍କୁ ଥଇଥାନ ବାବଦ ଅର୍ଥ ରାଶି ପ୍ରଦାନ କରିବା ନିମନ୍ତେ ପୂର୍ବରୁ ରାଜସ୍ୱ ଓ ଓବିସିସି କର୍ତୃପକ୍ଷଙ୍କ ପକ୍ଷରୁ ସର୍ଭେ କାମ ସଂପନ୍ନ କରାଯାଇଛି । କୋଣାର୍କ ପୂର୍ତ୍ତବିଭାଗ ଡାକବଙ୍ଗଳା ଠାରେ ଆୟୋଜିତ ଏହି ଜନ ଶୁଣାଣି ଶିବିରରେ ପୁରୀ ଜିଲ୍ଲା ଭୂଅର୍ଜନ ଅଧିକାରୀ ପ୍ରଶାନ୍ତ କୁମାର ଜେନା, ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ନିରଂଜନ ବାରିକ, ଗୋପ ତହସିଲଦାର ଏସକେ ସାଗିର, ଗୋପ ଅତିରିକ୍ତ ତହସିଲଦାର ଶରତ କୁମାର ପରିଡା, ସୌମେନ୍ଦ୍ର ତେଜ ଓ କୋଣାର୍କ ଏନଏସି ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଜନଶୁଣାଣି ଶିବିରରେ ୧୧୬ ବିସ୍ଥାପିତ ମାନଙ୍କ ବ୍ଯତିରଖେ ବାଦ ପଡିଥିବା ଯୋଗ୍ୟ ହିତାଧିକାରୀ ମାନଙ୍କ ଠାରୁ ଆପତ୍ତି ଅଭିଯୋଗ ଗ୍ରହଣ କରିଥିବା ଜଣାପଡିଛି ।
