ପୁଣି ମହଙ୍ଗା ହେଲା ଗ୍ୟାସ ସିଲିଣ୍ଡର : ବ୍ୟବସାୟିକ ସିଲିଣ୍ଡର ମୂଲ୍ୟ ୧୦୦ ଟଙ୍କା ବୃଦ୍ଧି
ନୂଆଦିଲ୍ଲୀ : ବୃଦ୍ଧି ପାଉଥିବା ଦରଦାମ ସାଧାରଣ ଜନତାଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି। ଡିସେମ୍ବର ପ୍ରଥମ ଦିନରେ ପୁଣି ଥରେ ଜନତାଙ୍କୁ ମହଙ୍ଗାର ଭୟଙ୍କର ଝଟକା ଲାଗିଛି। ପେଟ୍ରୋଲିୟମ କମ୍ପାନୀଗୁଡିକ ବୁଧବାର ଗ୍ୟାସର ମୂଲ୍ୟ ବୃଦ୍ଧି କରିଛନ୍ତି। ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ୧୦୦ ଟଙ୍କା ବୃଦ୍ଧି କରାଯାଇଛି। କିନ୍ତୁ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଅବଶ୍ୟ, ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପରେ ରେଷ୍ଟୁରାଣ୍ଟର ଖାଦ୍ୟ ଏବଂ ପାନୀୟ ମହଙ୍ଗା ହୋଇପାରେ।
ବର୍ଷର ଶେଷ ମାସର ପ୍ରଥମ ଦିନରେ ଏଲପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି ପାଇଛି। ପେଟ୍ରୋଲିୟମ କମ୍ପାନୀଗୁଡିକ ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟରେ ୧୦୦ ଟଙ୍କା ବୃଦ୍ଧି କରିଛନ୍ତି। ଏହାପରେ ଦେଶର ରାଜଧାନୀରେ ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୨୧୦୧ ଟଙ୍କାକୁ ବୃଦ୍ଧି ପାଇଛି। ଏହାପୂର୍ବରୁ ନଭେମ୍ବର ପହିଲାରେ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୬୬ ଟଙ୍କା ବୃଦ୍ଧି କରାଯାଇଥିଲା, ଫଳରେ ଏହି ଗ୍ୟାସର ମୂଲ୍ୟ ୨୦୦୦.୫୦ ଟଙ୍କା ହୋଇଥିଲା।
ବୁଧବାର ଠାରୁ କୋଲକାତାରେ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ୨୧୭୭ ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ମୁମ୍ବାଇରେ ୧୯ କିଲୋଗ୍ରାମ ସିଲିଣ୍ଡର ୨୦୫୧ ଟଙ୍କାରେ ବିକ୍ରି ହେଉଛି। ଚେନ୍ନାଇରେ ଗୋଟିଏ ବ୍ୟବସାୟିକ ସିଲିଣ୍ଡର ପାଇଁ ୨୨୩୪ ଟଙ୍କା ଦେବାକୁ ପଡୁଛି। ଏହାପୂର୍ବରୁ ପେଟ୍ରୋଲିୟମ କମ୍ପାନୀଗୁଡିକ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ସେପ୍ଟେମ୍ବରରେ ୪୩ ଟଙ୍କା ଏବଂ ଅକ୍ଟୋବରରେ ୭୫ ଟଙ୍କା ବୃଦ୍ଧି କରିଥିଲେ।
ଏଲପିଜି ଦର ବୃଦ୍ଧି ବ୍ୟବସାୟୀଙ୍କୁ ଏକ ଶକ୍ତ ଝଟକା ଦେଇଛି। କିନ୍ତୁ ଅନ୍ୟପଟେ ସାଧାରଣ ଜନତାଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। କାରଣ ଡିସେମ୍ବରରେ ବି ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଶେଷ ଥର ପାଇଁ ଅକ୍ଟୋବରରେ ଘରୋଇ ଗ୍ୟାସ ସିଲିଣ୍ଡର ଦାମ ବଢିଥିଲା। ଦିଲ୍ଲୀ ଏବଂ ମୁମ୍ବାଇରେ ବିନା ସବସିଡି ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବର୍ତ୍ତମାନ ୮୯୯.୫୦ ଟଙ୍କା ରହିଛି। କୋଲକାତାରେ ଏହା ୯୨୬ ଟଙ୍କା ଓ ଚେନ୍ନାଇରେ ୯୧୫.୫ ଟଙ୍କା ମିଳୁଛି।
ଯଦି ଆପଣ ନିଜ ସହରରେ ଗ୍ୟାସ୍ ସିଲିଣ୍ଡରର ନୂତନ ମୂଲ୍ୟ ଜାଣିବାକୁ ଚାହାଁନ୍ତି, ତେବେ ଆପଣ ଏହାକୁ ସରକାରୀ ତୈଳ କମ୍ପାନୀର ଅଫିସିଆଲ୍ ୱେବସାଇଟରେ ଯାଞ୍ଚ କରିପାରିବେ। ଏଥିପାଇଁ ଆପଣଙ୍କୁ ଆଇଓସିଏଲ ୱେବସାଇଟ୍ (cx.indianoil.in/webcenter/portal/Customer/pages_productprice) ଭିଜିଟ୍ କରିବାକୁ ପଡିବ। ଏହା ପରେ, ୱେବସାଇଟରେ ରାଜ୍ୟ, ଜିଲ୍ଲା ଏବଂ ବିତରକ ଚୟନ କରନ୍ତୁ ଏବଂ ତା’ପରେ ସର୍ଚ୍ଚରେ କ୍ଲିକ୍ କରନ୍ତୁ। ଏହା ପରେ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ଆପଣଙ୍କ ସାମ୍ନାକୁ ଆସିବ।
