ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ହେଲପଲାଇନ୍ ନମ୍ବର ଜାରି
ବ୍ରହ୍ମପୁର : ସମ୍ଭାବ୍ୟ ବାତ୍ୟା ‘ଗୁଲାବ’ ତାଣ୍ଡବ ରଚିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆଶଙ୍କା କରାଯାଇଥିବା ବେଳେ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ଗଞ୍ଜାମ ଜିଲା ପ୍ରଶାସନ । ପ୍ରଶାସନ ସମସ୍ତ ପ୍ରକାର ପଦକ୍ଷପ ଗ୍ରହଣ କରିସାରିଲାଣି । ବିଶେଷକରି ରୂଷିକୁଲ୍ୟା ଓ ବାଘୁଆ ନଦୀରେ ବନ୍ୟା ସୃଷ୍ଟି ହେବାର ଆଶଙ୍କା ଥିବା ଜଣାପଡିଛି । ଏହାକୁ ନେଇ ବୁଗୁଡା ଜଳ ସେଚନ ବିଭାଗ ପକ୍ଷରୁ ନଦୀ ତଟରେ ଥିବା ଗାଁ ଗୁଡିକରେ ଲୋକେ ସତର୍କ ରହିବା ପାଇଁ ମାଇକ ମାଧ୍ୟମରେ ପ୍ରଚାର କରିଛନ୍ତି ।
ସେହିପରି ଗୋପାଳପୁରରେ ଲୋକଙ୍କୁ ସତର୍କ ରହିବା ପାଇଁ ମାଇକ୍ ପ୍ରଚାର କରି ସଚେତନ କରିଛି ପ୍ରଶାସନ । ବର୍ତ୍ତମାନ ବାଘୁଆ ଜଳଭଣ୍ଡାରରେ ୬୦% ଜଳ ଗଛିତ ରହିଥିବା ବେଳେ ଜଳଭଣ୍ଡାରରେ ୮୦% ଜଳ ହେଲେ ନିଷ୍କାସନ କରିବା ନିମନ୍ତେ ଘୋଷଣା କରାଯାଇଛି । ମଝିରେ ମଝିରେ ଝିପି ଝିପି ବର୍ଷା ହେବା ସହ କୋହଲିଆ ପାଗ ରହିଛି । ସେପଟେ ବ୍ରହ୍ମପୁର ମହାନଗର ନିଗମ ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ ଜରୁରିକାଳୀନ ହେଲପ୍ ଲାଇନ୍ ନମ୍ବର ଜାରି କରିଛନ୍ତି । ସମ୍ଭାବ୍ୟ ବାତ୍ୟାର ଯେକୌଣସି ସମାସ୍ୟା ସମାଧାନ ପାଇଁ ବ୍ରହ୍ମପୁର ଉପଖଣ୍ଡ ପ୍ରଶାସନ ଜରୁରୀ କାଳୀନ ହେଲପ୍ ଲାଇନ୍ ନମ୍ବର ଜାରି କରିଛି। ହେଲପ୍ ଲାଇନ ନମ୍ବର- ୦୬୮୦ ୨୨୨୭୦୦୦, ୯୧୭୭୫୨୦୫୫୫୬୭। ସେହିପରି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ମଧ୍ୟ ସମ୍ଭାବ୍ୟ ବାତ୍ୟା ଗୁଲାବ୍ ନେଇ ଜରୁରୀକାଳୀନ ହେଲପ୍ ଲାଇନ୍ ନମ୍ବର ଜାରି କରିଛନ୍ତି । ହେଲପ ଲାଇନ ନମ୍ବର- ୮୧୧୭୦୫୫୯୦୦।
