ବିପଦରେ ଗଜରାଜ ! ବିଦ୍ୟୁତ ଆଘାତରେ ଦନ୍ତାର ମୃତ୍ୟୁ
ଅନୁଗୁଳ : ବିପଦରେ ଗଜରାଜ । ରାଜ୍ୟ ସରକାରଙ୍କ ପକ୍ଷରୁ ଯେତେ ବି ପଦକ୍ଷପ ନିଆଯାଉଛି ମାରୁଚି ଫେଲ । ରାଜ୍ୟରେ ପ୍ରାୟତଃ ଦୈନିକ କେଉଁଠୁ ନା କେଉଁଠୁ ହାତୀ ମୃତ୍ୟୁ ନେଇ ଖବର ମିଳୁଛି । ଫଳରେ ହାତୀ ବଂଶ ଏବେ ବିପଦରେ ବୋଲି ଆଶଙ୍କା କରାଯାଉଛି । ଏହି ପରିପ୍ରେକ୍ଷୀରେ ଅନୁଗୁଳ ଜିଲାର ସାତକୋଶିଆରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିବାର ଖବର ମିଳିଛି। ପମ୍ପାସର ରେଞ୍ଜ ଜଗନ୍ନାଥପୁର ଅଞ୍ଚଳରେ ଏହି ଘଟଣା ଘଟିଛି। ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା କୁହାଯାଉଛି। ମୃତ ହାତୀର ବୟସ ପ୍ରାୟ ପାଞ୍ଚ ବର୍ଷ ହେବ ବୋଲି ସୂଚନା ମିଳିଛି। ଏନେଇ ଆରସିସିଏଫ୍ ସୂଚନା ଦେଇଛନ୍ତି। ହାତୀର ଶିକାର ଲାଗି ଶିକାରୀମାନେ ବିଦ୍ୟୁତ୍ ତାରରେ ଫାସ ପକାଇଥିଲେ। ଆଉ ଏଥିରେ ଛନ୍ଦି ହୋଇ ହାତୀର ମୃତ୍ୟୁ ମଧ୍ୟ ହୋଇଛି । ଏନେଇ ବନ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।
ସୂଚନା ଯେ, ସାତକୋଶିଆ ଅଭୟାରଣ୍ୟ ପମ୍ପାସର ରେଞ୍ଜ ଜଗନ୍ନାଥପୁର ଗ୍ରାମ ବଡ଼ଝରଠାରେ ଏକ ଦନ୍ତା ହାତୀ ମରି ପଡିଥିବା ନେଇ ଶନିବାର ସକାଳେ ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ। ଏନେଇ ବନ ବିଭାଗର କର୍ମଚାରୀ ମାନେ ସେଠାରେ ପହଞ୍ଚି ହାତୀଟି ବିଦ୍ୟୁତ ତାରରେ ଲାଗି ମୃତ୍ୟୁବରଣ କରିଥିବା ଜାଣିବାକୁ ପାଇଥିଲେ। ତେବେ ଏହି ଦନ୍ତାହାତୀଟି ମଧ୍ୟବୟସ୍କ ହୋଇଥିବା ବେଳେ ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟରେ ବିଦ୍ୟୁତ ତାର ବିଛାଯାଇଥିବା ତାରରେ ଲାଗି ଏହି ଦନ୍ତାହାତୀଟିର ଜୀବନ ଯାଇଛି। ଘଟଣାସ୍ଥଳରେ ସାତକୋଶିଆ ଡିଏଫଓ ଡ଼ଃ ସରୋଜ ପଣ୍ଡା,ଏସିଏଫ ଶୁଭେନ୍ଦୁ ବେହେରା ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟ ପକ୍ଷରେ ସାତକୋଶିଆ ଅଭୟାରଣ୍ୟର ଜଗନ୍ନାଥପୁର ବିଟ ହାଉସଠାରୁ ମାତ୍ର ୫ଶହ ମିଟର ଦୂରରେ ଏଭଳି ଘଟଣା ଘଟିଥିବାରୁ ବନ ବିଭାଗ କର୍ମଚାରୀଙ୍କ ଉପରେ ସନ୍ଦେହ ସୃଷ୍ଟି ହୋଇଛି। ସାତକୋଶିଆରେ ପେଟ୍ରୋଲିଂ ଅଭାବ ଯୋଗୁଁ ବନ୍ୟପ୍ରାଣୀମାନଙ୍କ ଅବାଧ ଶିକାର ଚାଲୁଛି। ଫଳରେ ଆଜି ଏକ ଦନ୍ତାହାତୀର ଜୀବନ ଯାଇଥିବା ଅଭିଯୋଗ ହେଉଛି।
