ଗେଲ ଓ ଇପିକଲ ମଧ୍ୟରେ ଚୁକ୍ତି: ରାଜ୍ୟରେ ବିକଶିତ ହେବ ଗ୍ରୀନ୍ ଏନର୍ଜି
ଭୁବନେଶ୍ବର : ରାଜ୍ୟରେ ବିକଶିତ ହେବ ଗ୍ରୀନ ଏନର୍ଜି। ଏନେଇ ଗେଲ୍ ଏବଂ ଇପିକଲ୍ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ଏହାଦ୍ବାରା ରାଜ୍ୟରେ ଗ୍ରୀନ ହ୍ରାଇଡ୍ରୋଜେନ, ଗ୍ରୀନ ଆମୋନିଆ କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି କରିବ। ଓଡିଶାରେ ଇକୋ-ଫ୍ରେଣ୍ଡଲି ଇନ୍ଧନ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ଏମଓୟୁରେ ଗୁରୁତ୍ବାରୋପ କରାଯାଇଛି। ତେବେ ଗ୍ରୀନ ହାଇଡ୍ରୋଜେନ ଶିଳ୍ପଗୁଡିକ ଗ୍ରୀନ ହାଉସ ଗ୍ୟାସର ନିର୍ଗମନ ହ୍ରାସ କରିବାରେ ସାହାଯ୍ୟ କରିବ। ଯାହା ଭାରତ ସରକାରଙ୍କ ସାମଗ୍ରିକ ଉଦ୍ଦେଶ୍ୟରେ ସହାୟକ ହେବ। ବିଦ୍ୟୁତ ବଳକା ରାଜ୍ୟ ହୋଇଥିବାରୁ ଓଡିଶା ଶକ୍ତିରେ ନିଜର ସ୍ଥିତିକୁ ଆହୁରି ଦୃଢ କରିବାକୁ ଚେଷ୍ଟା କରୁଛି। ଏହା ରାଜ୍ୟ ଅବସ୍ଥାପିତ କାରଖାନାଗୁଡ଼ିକର ଶକ୍ତି ଆବଶ୍ୟକତାକୁ ପୂରଣ କରିବାରେ ମଧ୍ୟ ସହାୟକ ହେବ।
ଭୁବନେଶ୍ବରରେ ଆୟୋଜିତ ଚୁକ୍ତିନାମା ସ୍ବାକ୍ଷର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ। ସେ କହିଛନ୍ତି ଯେ “ସମଗ୍ର ବିଶ୍ବ କାର୍ବନ ନିର୍ଗମନକୁ ହ୍ରାସ କରିବାକୁ ଚେଷ୍ଟା କରୁଛି। କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଏଥିପାଇଁ ରାଜ୍ୟ ସରକାର ଭିତ୍ତିଭୂମିର ବିକାଶ କରୁଛନ୍ତି। ଏପଟେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଗ୍ରୀନ ହାଇଡ୍ରୋଜେନ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଗେଲର ଆଗ୍ରହକୁ ପ୍ରଶଂସା କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ହାଇଡ୍ରୋଜେନ ପାଇଁ ଓଡିଶାରେ ଏକ ବୃହତ ବଜାର ଅଛି। ବହୁ ପରିମାଣରେ ସବୁଜ ହାଇଡ୍ରୋଜେନ ଉତ୍ପାଦନ ପାଇଁ ଏହି ମିଳିତ ପ୍ରୟାସରେ ଶିଳ୍ପ ବ୍ୟବହାର ପାଇଁ ସବୁଜ ହାଇଡ୍ରୋଜେନର ମୂଲ୍ୟ ହ୍ରାସ ପାଇବ। ଓଡିଶା ତଥା ଦେଶର ଅନ୍ୟାନ୍ୟ ରାଜ୍ୟରେ ପ୍ରାକୃତିକ ଗ୍ୟାସ ଭିତ୍ତିଭୂମି ତଥା ସ୍ବଚ୍ଛ ଶକ୍ତି ପ୍ରକଳ୍ପର ବିକାଶ ଉପରେ ଧ୍ୟାନ ଦେଉଛୁ। ତେବେ ଏହି କାର୍ଯ୍ୟକ୍ରମରେ ଇପିକଲର ପରିଚାଳନା ନିର୍ଦ୍ଦେଶକ ଭୁପିନ୍ଦର ସିଂ ପୁନିଆ ଉପସ୍ଥିତ ଥିଲେ। ଏହାସହ FICCI, ICC, CII ଏବଂ UCCI ଭଳି ଅଗ୍ରଣୀ ଶିଳ୍ପ ସଂସ୍ଥା ସହିତ ଅଗ୍ରଣୀ ଇସ୍ପାତ, ଆଲୁମିନିୟମ୍ ଏବଂ ରାସାୟନିକ ଉତ୍ପାଦକମାନେ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି।
