ଆଜିଠୁ ଖୁଦୁରୁକୁଣୀ ଓଷା ! ଭାଇଙ୍କ ଶୁଭ ମନାସି ଓଷା କରିଥାନ୍ତି ଭଉଣୀ, ଜାଣନ୍ତୁ ମାହାତ୍ମ୍ୟ
ପର୍ବପର୍ବାଣୀ ଭାରତୀୟ ସଂସ୍କୃତିର ଏକ ବଡ ଅଂଶ । ସେହି ପରି ଓଡିଶାରେ ମଧ୍ୟ ବିଭିନ୍ନ ପ୍ରକାର ପର୍ବପର୍ବାଣୀ ପାଳନ କରାଯାଇଥାଏ । ଓଡିଶା ଏହାର ସଂସ୍କୃତି ଓ ପରମ୍ପରା ପାଇଁ ସାରା ବିଶ୍ବରେ ଜଣାଶୁଣା । କୁହାଯାଏ ଯେ, ଓଡିଶାରେ ବାର ମାସରେ ତେର ପର୍ବ ପାଳନ କରାଯାଏ। ପୂର୍ବ କାଳରୁ ଚାଲିଆସୁଥିବା ଏହି ସଂସ୍କୃତି ଓ ପରମ୍ପରାକୁ ଲୋକମାନେ ସମ୍ମାନ ଜଣାଇବା ସହ ଏହାକୁ ନିଷ୍ଠାର ସହ ପାଳନ କରିଥାନ୍ତି ।ତେବେ ଓଡିଶାର ପର୍ବ ପର୍ବାଣୀମାନଙ୍କ ମଧ୍ୟରେ ଖୁଦୁରୁକୁଣୀ ଓଷା ଅନ୍ୟତମ ।
ଯାହାକୁ ଭାଲୁକୁଣୀ ଓଷା ବୋଲି ମଧ୍ୟ କୁହାଯାଏ । ଭାଦ୍ରବ ମାସର ପ୍ରତ୍ୟେକ ରବିବାର ଏହି ଓଷା ପାଳନ କରାଯାଇଥାଏ । ଭାଇମାନଙ୍କ ଶୁଭ ମନାସି ଝିଅମାନେ ଏହି ଓଷା କରିଥାନ୍ତି । ନିଜ ଭାଇମାନଙ୍କ ସୁରକ୍ଷା, ସମୃଦ୍ଧତା ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମଙ୍ଗଳାଙ୍କ ନିକଟରେ ଗୁହାରି କରିଥାନ୍ତି ଭଉଣୀ| ଏହା ଭାଇ ଏବଂ ଭଉଣୀଙ୍କ ମଧ୍ୟରେ ଥିବା ସମ୍ପର୍କର ପବିତ୍ରତା ଏବଂ ଉତ୍କର୍ଷତାକୁ ଦର୍ଶାଇଥାଏ |ସାଧବ ସାତ ଭାଇ ଯେତେବେଳେ ଦରିଆ ପାରିକୁ ବଣିଜ କରିବାକୁ ଯାଇଥିଲେ ସେମାନଙ୍କ ଶୁଭ ମନାସୀ ଏକମାତ୍ର ଅଲିଅଳି ଭଉଣୀ ତଅପୋଇ ସେମାନଙ୍କ ଲାଗି ମା’ ମଙ୍ଗଳାଙ୍କ ନିକଟରେ ନୈବେଦ୍ୟ ଅର୍ପଣ କରିଥିଲେ । ସେହି ପରମ୍ପରାକୁ ବଜାୟ ରଖି ପ୍ରତିଟି ଓଡ଼ିଆ ଘରର ଝିଅ ଏହି ଓଷା କରିଆସୁଛନ୍ତି । କରୋନା କଟକଣା ପାଇଁ ନିରାଡମ୍ବରରେ ଦୁଇ ବର୍ଷ ହେବ ଏହି ଓଷା ପାଳନ କରାଯାଉଛି ।

ରବିବାର ଓଷାରେ ସକାଳୁ ଝିଅମାନେ ଏକାଠି ହୋଇ ଭୋର୍ରୁ ଫୁଲ ତୋଳନ୍ତି । ଏକାଠି ହୋଇ ମା’ଙ୍କ ପାଇଁ ଫୁଲମାଳ ତିଆରି କରନ୍ତି । ପରେ ପୋଖରୀରେ ବାଲୁକା ପୂଜା କରିଥାନ୍ତି । ଏହାପରେ ଭଗବତ ଘରେ ମେଳି ହୋଇ ମା ମଙ୍ଗଳାଙ୍କ ପୂଜା କରିଥାନ୍ତି । ସେଠାରେ ରବିବାର ଦିନରେ ଓ ସନ୍ଧ୍ୟାରେ ମା’ ମଙ୍ଗଳାଙ୍କୁ ପୂଜା କରାଯାଇଥାଏ। । ୫ ପାଳି ପରେ ଭାଦ୍ରବ ମାସର ଶେଷ ରବିବାର ଦିନ ଏହି ବ୍ରତ ଶେଷ ହୋଇଥାଏ ।
ଖୁଦୁରୁକୁଣୀ ଓଷାର ମାହାତ୍ମ୍ୟ :
ଅଲିଅଳି ତଅପୋଇ । ସାତ ଭାଇରେ ଗୋଟିଏ ଭଉଣୀ । ଯାହା ଜିଦ୍ କରେ ସାଙ୍ଗେସାଙ୍ଗେ ତାହା ପୁରଣ ହୋଇଯାଏ । ତା ଜିଦ୍ ରେ ସୁବର୍ଣ୍ଣ କୁଲାଇ ତିଆରି କରିଥିଲେ ସାଧବ । ଅଧା ଚାନ୍ଦରେ ସାଧବଙ୍କର ଦେହାନ୍ତ ହୋଇଥିବାବେଳେ ପୁରା ଚାନ୍ଦରେ ସାଧବାଣୀଙ୍କର ମୃତ୍ୟୁ ହୋଇଥିଲା ।
ପୂର୍ବେ ଓଡିଆ ସାଧବ ପୁଅ ବାଣିଜ୍ୟ କରିବାକୁ ବିଦେଶକୁ ଯାଉଥିଲେ । ଦିନେ ୭ ଜଣ ସାଧବ ପୁଅ ମଧ୍ୟ ଦୂରଦେଶକୁ ବଣିଜ କରିବାକୁ ଯାଇଥିଲେ । ଆଉ ଘରେ ଛାଡି ଯାଇଥିଲେ ତାଙ୍କର ଗେହ୍ଲା ଭଉଣୀ ତଅପୋଇକୁ । ଭାଇମାନେ ଥିବା ସମୟରେ ତଅପୋଇକୁ ଯେମିତି ଭଲପାଇବା ମିଳୁଥିଲା ସେମାନେ ଗଲା ପରେ ମଧ୍ୟ ତାକୁ ସେହି ଭଲପାଇବା ଦେଉଥିଲେ ଭାଉଜମାନେ । ହେଲେ ତାହା ଥିଲା କିଛି ଦିନ ପାଇଁ ।
ଖୁସିରେ ଗ୍ରହଣ ଲାଗିବା ଭଳି ଘରେ ଆସି ପହଞ୍ଚିଥିଲା ରାଣ୍ଡୀ ବ୍ରାହ୍ମଣୀ । ଭାଉଜମାନଙ୍କ ସିଖେଇ ନଣନ୍ଦ ତଅପୋଇକୁ ଦେଉଥିଲା ଗଞ୍ଜଣା । ଭାଉଜମାନେ ରାଣ୍ଢୀ ବ୍ରାହ୍ମଣୀ କଥାରେ ପଡି ତଅପୋଇକୁ ଘରକାମ ସହ ଛେଳି ଚରାଇବା ପାଇଁ କହୁଥିଲେ । ଭାତ ବଦଳରେ ଗୋଡି ମିଶା ଖୁଦ ଦେଉଥିଲେ । ଭାଇମାନେ ପାଖରେ ନଥିବାରୁ ତଅପୋଇ ଏକଥା କାହାରିକୁ କହିପାରୁନଥିଲା । ନିଜ କଷ୍ଟ ନିଜ ମନରେ ଚାପି କାନ୍ଦି କାନ୍ଦି ରହୁଥିଲା । କିନ୍ତୁ ସାନ ଭାଉଜ ଥିଲେ ତଅପୋଇ ସପକ୍ଷରେ । ୬ ଭାଉଜଣଙ୍କୁ ଛାଡି ସବୁଠାରୁ ସାନ ଭାଉଜ କିନ୍ତୁ ତଅପୋଇ ପ୍ରତି ଥିଲା ଭଲପାଇବା । ସମସ୍ତଙ୍କୁ ଲୁଚାଇ ଖାଇବାକୁ ଦେଉଥିଲେ । ସ୍ନେହ ଆଦର କରୁଥିଲେ ।
ଅନେକ ଦିନ ଅନ୍ତେ ଭାଇମାନେ ବିଦେଶରୁ ଫେରିବାରେ ଡେରି ହୋଇଥିଲା । ତଅପୋଇ ମନରେ ଭାଇମାନଙ୍କ ଫେରିବାକୁ ନେଇ ଅନେକ ଦୁଶ୍ଚିନ୍ତା ଆସିଲା । ଆଉ ଶେଷରେ ତଅପୋଇ ନଦୀ ବାଲିରେ ମାଟିରେ ମୂର୍ତ୍ତି ଗଢ଼ି ଭାଇମାନଙ୍କର ମଙ୍ଗଳମନାସୀ ଖୁଦୁରୁକୁଣୀ ଓଷା କରିଥିଲା । ପାଖରେ କିଛି ନଥିବାବେଳେ ସେ ଶୁଖିଲା ଖୁଦକୁ ଭୋଗ ଆକାରରେ ଠାକୁରାଣୀଙ୍କ ପାଖରେ ଖୁଦ ଭୋଗ କରିଥିଲା । ସେଦିନ ଥିଲା ରବିବାର । ସେହିଦିନଠୁ ୫ ପାଳି ଓଷା କରିଥିଲା ତଅପୋଇ । ତା ଡାକ ଶୁଣି ମା ମଙ୍ଗଳା ବା ଖୁଦୁରୁକୁଣି ଭାଇମାନଙ୍କୁ ଘରକୁ ଫେରାଇ ଆଣିଥିଲେ ।
ସେହି ଜଙ୍ଗଲରେ ତଅପୋଇ ପୂଜା କରୁଥିବା ବେଳେ ଭାଇମାନେ ଏକ କୁଆଁରୀ କନ୍ୟାର କାନ୍ଦ ବାରି ତା ପାଖୁ ଆସି ଦେଖିଥିଲେ । ଆଉ ପାଇଥିଲେ ଭଉଣୀ ତଅପୋଇକୁ । ଭାଇମାନଙ୍କୁ ବନ୍ଦାପନା କରିବା ନିମନ୍ତେ ସବୁ ଭାଉଜ ଯାଇଥିବା ବେଳେ ତଅପୋଇକୁ ଭାଉଜମାନେ ଘରକୋଣରେ ବାନ୍ଧି ଦେଇଥିଲେ । ହେଲେ ତଅପୋଇ ନ ଆସିଲେ ଆମ୍ଭେ ବୋଇତରୁ ଓହ୍ଲାଇବୁ ନାହିଁ ବୋଲି ଭାଇମାନେ ଜିଦ ଧରି ବସିବାରୁ ସାନଭାଉଜ ସବୁ ଗୋପନ କଥା ଭାଇମାନଙ୍କ ଆଗରେ କହିଥିଲେ ।
ଶେଷରେ ଭଉଣୀ ତଇପୋଇକୁ ଦଣ୍ଡ ସ୍ୱରୁପ କେବଳ ସାନ ଭାଉଜଙ୍କୁ ଛାଡ଼ି ସାତ ସାଧବ ବାକି ସମସ୍ତଙ୍କର ନାକ କାଟିବାକୁ ନିର୍ଦେଶ ଦେଇଥିଲେ ଭାଇମାନେ । ଆଉ ତଅପୋଇ ସମସ୍ତଙ୍କ ନାକ କାଟିଥିଲା । ଆଉ ସାନଭାଉଜଙ୍କ ବେକରେ ଅଳଙ୍କାର ପକାଇ ତାଙ୍କୁ ସ୍ନେହ କରିଥିଲା । ଆଉ ସେବେଠୁ ହୋଇ ଆସୁଛି ଖୁଦୁରୁକୁଣୀ ଓଷା ।
