ରାଜ୍ୟରେ ଜାରି ରହିବ ମାଗଣା ଟିକାକରଣ : ପରିବାର କଲ୍ୟାଣ ନିର୍ଦ୍ଦେଶକ
ଭୁବନେଶ୍ୱର : ମାଗଣା କୋଭିଡ ଟିକାକରଣ ପାଇଁ ସେପ୍ଟେମ୍ବର ୩୦ ତାରିଖ ଥିଲା ସମୟ ସୀମା । ମାତ୍ର ଏହା ମଧ୍ୟରେ ବହୁ ଲୋକ ଟୀକାରୁ ବଞ୍ଚିତ ହୋଇଛନ୍ତି । ଫଳରେ ସମୟସୀମା ଶେଷ ହୋଇଥିଲେ ଆଗକୁ ମଧ୍ୟ ମାଗଣା ଟିକାକରଣ ଜାରି ରଖିବେ ରାଜ୍ୟ ସରକାର । ଯେହେତୁ ମାଗଣା ଟିକାକରଣ ବନ୍ଦ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ନିଷ୍ପତ୍ତି ଆସିନାହିଁ ତେଣୁ ରାଜ୍ୟରେ ଯେତିକି ଟିକା ମହଜୁଦ ଅଛି ତାହା ଶେଷ ନହେବା ପର୍ଯ୍ୟନ୍ତ ମାଗଣା ଟିକାକରଣ ଜାରି ରହିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି କି, ଆଗାମୀ ନିର୍ଦ୍ଦେଶନାମା ନ ଆସିବା ପର୍ଯ୍ୟନ୍ତ ଏହି ମାଗଣା ବୁଷ୍ଟର ଡୋଜ ଦିଆଯିବ । ଜୁଲାଇ ୧୫ରୁ ସେପ୍ଟେମ୍ବର ୩୦ ଭିତରେ ଏକ କୋଟି ୨୧ଲକ୍ଷ ୫୦ହଜାର ବୁଷ୍ଟର ଡୋଜ ଟିକାକରଣ ସରିଛି । ଏବେସୁଦ୍ଧା ରାଜ୍ୟରେ ୯୭% ଲୋକ ପ୍ରଥମ ଡୋଜ ନେଇଥିବା ବେଳେ ୯୧% ଲୋକ ଦ୍ୱିତୀୟ ଡୋଜ ଟିକା ନେଇ ସାରିଲେଣି । ବୁଷ୍ଟର ଡୋଜ ନେବାରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଆଗରେ ରହିଛି । ଓଡ଼ିଶାରେ ଏବେ ୧ କୋଟି ୨୧ ଲକ୍ଷ ୫୦ ହଜାର ୨୪୩ ଜଣ ଲୋକ ପ୍ରିକସନ ଡୋଜ ନେଇ ସାରିଲେଣି । ଏହାପରେ ବି ୧୧୫୦ ଟିକାକେନ୍ଦ୍ରରେ ଟିକାକରଣ ପ୍ରକ୍ରିୟା ଜାରି ରହିଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।
