ଚନ୍ଦ୍ରଭାଗା ଉତ୍ସବର ଚତୁର୍ଥ ସନ୍ଧ୍ୟା; ଦର୍ଶକଙ୍କ ମନ ମୋହିଲା ଛଉ ନୃତ୍ୟ
ବାଲେଶ୍ୱର : ବାଲେଶ୍ୱର ସ୍ଥାନୀୟ ଗାନ୍ଧୀସ୍ମୃତି ଭବନ ପରିସରରେ ୩୩ ବର୍ଷର ଚନ୍ଦ୍ରଭାଗା ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ କବି ସତ୍ୟ ସାହୁଙ୍କ ତତ୍ତ୍ୱାବଧାନରେ କଥା-କବିତା-ନାଟକର ସ୍ୱର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଡ. ହରିଶ୍ଚନ୍ଦ୍ର ବେହେରା ସଭାପତିତ୍ୱ କରିଥିଲେ । କବିତା ପାଠୋତ୍ସବରେ ଡ. ଶିରିଶ ଚନ୍ଦ୍ର ଜେନା ସମୀକ୍ଷା କରିଥିଲେ । କବି ସଞ୍ଜିତ ବଳ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସବିଶେଷ କାର୍ଯ୍ୟଧାରା ବିବରଣୀ ଚନ୍ଦ୍ରଭାଗାର ପ୍ରତିଷ୍ଠାତା କବି ଶ୍ରୀଦେବ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ସୁରେଶ ବେହେରା, ପ୍ରଦୀପ୍ତ ମହାନ୍ତି, ରାଜେନ୍ଦ୍ର ଗିରି, ସୁଦିପା ସାହୁ, ଡ. ଦିଲ୍ଲିପ ରଥ, କବି ମଧୁସୂଦନ ମିଶ୍ର, କବି ଇନ୍ନାୟତ ଅଲ୍ଲୀ ଖାନ, ଲିପିରେଖା ଶତପଥୀ ପ୍ରମୁଖ କବିତା ପାଠ କରିଥିଲେ ।
ସେହିପରି ତୃତୀୟ ସନ୍ଧ୍ୟାରେ ଶିଳ୍ପୀ କେଶୁଦାସ ଓ ଗୋବିନ୍ଦ ଦଳାଇଙ୍କ ସହଭାଗିତାରେ ଟରାଙ୍ଗ, ପୁରୁଲିଆ, କୋଲକାତାର ‘କାଲେବର ମେମୋରିଆଲ୍ ଡ୍ୟାନ୍ସ ଗ୍ରୁପ୍’ ଦ୍ୱାରା ବିଶ୍ୱ ବିଖ୍ୟାତ ଛଉନୃତ୍ୟ ପରିବେଷଣ ହୋଇଥିଲା । କାର୍ଯ୍ୟକ୍ରମରେ କବି ମିତା ପଟ୍ଟନାୟକ ମଞ୍ଚ ଆହ୍ୱାନ କରିଥିବା ବେଳେ କବି କଲ୍ୟାଣୀ ନନ୍ଦ ଧନ୍ୟବାଦ ଦେଇଥିଲେ । ଦଧିବାମନ ଉଚ୍ଚ ମାଧ୍ୟମିକ ଶିକ୍ଷାୟତନ, ତୁରୁମୁଙ୍ଗା, କେଉଁଝରର ସୌଜନ୍ୟତାରେ ନାଟ୍ୟକାର ତଥା ନିର୍ଦ୍ଦେଶକ ଡ. କୁଳମଣି ପ୍ରଧାନଙ୍କ ଓଡ଼ିଆ ନାଟକ ‘ସମୟର ଶୋକ\’ ଏବଂ କରିମସିଟି କଲେଜ, ଜାମସେଦପୁର, ଝାଡ଼ଖଣ୍ଡର ସୌଜନ୍ୟତାରେ ନାଟ୍ୟକାର ତଥା ନିର୍ଦ୍ଦେଶକ ଶିବଲାଲ୍ ସାଗରଙ୍କ ହିନ୍ଦୀ ନାଟକ ‘ମାର୍ଗ ଦର୍ଶକ\’ ମଧ୍ୟରେ ପ୍ରତିଯୋଗୀତା ହୋଇଥିଲା । ନାଟ୍ୟକାର ଆଶିଷ ଚକ୍ରବର୍ତ୍ତୀ, ପ୍ରଦୀପ ଭୌମିକ ଏବଂ ରାଜୀବ ପାଣି ବିଚାରକ ଭାବେ ଉପସ୍ଥିତ ରହି ନାଟକର ମୂଲ୍ୟାୟନ କରିଥିଲେ । ଅବନୀ କୁମାର ଜେନା, ସତ୍ୟ ସେଠୀ, ରମେଶ ମଲ୍ଲିକ, ସନ୍ତୋଷ ପଣ୍ଡା, ଅଜୟ କୁମାର ପାତ୍ର, ରିନା ପାତ୍ର, ଜ୍ୟୋତିର୍ମୟୀ ଶତପଥୀ ପ୍ରମୁଖ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ ।
