ପରଲୋକରେ ୟୁପି ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ
ଲକ୍ଷ୍ନୌ : ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ପରଲୋକ ହୋଇଛି। ଗୁରୁଗ୍ରାମ ମେଦାନ୍ତା ହସ୍ପିଟାଲରେ ଆଜି ସକାଳ ସମୟ ୮ଟା ୧୬ରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ଶ୍ବାସପ୍ରଶ୍ବାସରେ ଅସୁବିଧା ହେଉଥିବାରୁ ‘ଇଣ୍ଟର୍ନାଲ୍ ମେଡିସିନ୍’ ବିଶେଷଜ୍ଞମାନେ ତାଙ୍କର ତତ୍ତ୍ବାବଧାନ କରୁଥିଲେ। ଏହାଛଡ଼ା, ତାଙ୍କର ମୂତ୍ରନଳୀ ମଧ୍ୟ ସଂକ୍ରମିତ ହୋଇଥିଲା। କିନ୍ତୁ, ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ବିଶେଷ ଅବନତି ଘଟିବାରୁ ତାଙ୍କୁ ‘ଆଇସିୟୁ’ରେ ରଖାଯାଇଥିଲା ବୋଲି ଡାକ୍ତରଖାନାସୂତ୍ରରୁ ପ୍ରକାଶ।
ଅସୁସ୍ଥତା କାରଣରୁ ମୁଲାୟମ ଅଗଷ୍ଟ ୨୨ରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଯିବାରୁ ଅକ୍ଟୋବର ୨ରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ମୁଲାୟମ ନିମ୍ନ ରକ୍ତଚାପ ସହ ୟୁରିନ ଇନଫେକ୍ସନ ଭଳି ସ୍ବାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିଲେ । ମୁଲାୟମ ସିଂହଙ୍କ ବିୟୋଗ ସହ ଉତ୍ତର ପ୍ରଦେଶ ତଥା ଭାରତୀୟ ରାଜନୀତିରେ ଏକ ଯୁଗର ଅବସାନ ଘଟିଛି ।
ଦେଶର ଜଣେ ପ୍ରଭାବଶାଳୀ ନେତା ଥିଲେ ମୁଲାୟମ । ସେ ଉତ୍ତର ପ୍ରଦେଶର ତିନି ଥର ମୁଖ୍ୟମନ୍ତ୍ରୀ ଥିଲେ। ଏହାଛଡ଼ା ସେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ତୁଲାଇଥିଲେ । ନେତାଜୀ ଭାବେ ପରିଚିତ ମୁଲାୟମ ୧୦ ଥର ବିଧାୟକ ଓ ୮ ଥର ସାଂସଦ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ । ୨୦୧୯ ନିର୍ବାଚନରେ ସେ ଉତ୍ତର ପ୍ରଦେଶର ମୈନପୁରୀ ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।
