ପରଲୋକରେ ରାଜ୍ୟସଭାର ପୂର୍ବତନ ସାଂସଦ ଡ. ଚନ୍ଦନ ମିତ୍ର
ନୂଆଦିଲ୍ଲୀ : ରାଜ୍ୟସଭାର ପୂର୍ବତନ ସାଂସଦ ତଥା ସମ୍ବାଦପତ୍ର ‘ପାୟନିୟର୍’ର ସମ୍ପାଦକ ଡ. ଚନ୍ଦନ ମିତ୍ରଙ୍କର ପରଲୋକ । ବୁଧବାର ରାତିରେ ଦିଲ୍ଲୀରେ ମୃତ୍ୟୁ ହୋଇଥିବା ନେଇ ତାଙ୍କ ପୁତ୍ର କୁଶନ୍ ମିତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତାଙ୍କ ମୃତ୍ୟୁ ଖବର ପାଇ ରାଜ୍ୟସଭା ସାଂସଦ ତଥା ବିଜେପି ନେତା ସ୍ବପ୍ନ ଦାସଗୁପ୍ତା କହିଛନ୍ତି, ଆଜି ସକାଳେ ମୁଁ ମୋର ସବୁଠୁ ଅନ୍ତରଙ୍ଗ ବନ୍ଧୁ ‘ପାୟନିୟର୍’ର ସମ୍ପାଦକ ତଥା ପୂର୍ବତନ ସାଂସଦ ଚନ୍ଦନ ମିତ୍ରଙ୍କୁ ହରାଇଛି। ଆମେ ‘ଲା ମାର୍ଟିନିୟର୍’ରେ ସହପାଠୀ ଥିଲୁ ଏବଂ ‘ସେଣ୍ଟ୍ ଷ୍ଟିଫେନ୍’ ଓ ‘ଅକ୍ସ୍ଫୋର୍ଡ’କୁ ଯାଇଥିଲୁ। ଏକା ସମୟରେ ହିଁ ଆମେ ସାମ୍ବାଦିକତାରେ ସାମିଲ ହୋଇ ଏବଂ ଅଯୋଧ୍ୟା ଓ ଗୈରିକ ଲହର ଉତ୍ସାହକୁ ସେୟାର୍ କରିଥିଲୁ।
ସୂଚନାଯୋଗ୍ୟ, ୨୦୦୩ରେ ବିଜେପି ‘କୋଟା’ରେ ରାଜ୍ୟସଭା ସାଂସଦ ହେବା ପରେ ଚନ୍ଦନ ମିତ୍ରଙ୍କର ରାଜନୈତିକ ‘କ୍ୟାରିୟର୍’ ଆରମ୍ଭ ହୋଇଥିଲା। ୨୦୧୦ରେ ମଧ୍ୟ ସେ ମଧ୍ୟପ୍ରଦେଶରୁ ରାଜ୍ୟସଭାର ବିଜେପି ସାଂସଦ ଭାବେ ଦ୍ବିତୀୟ ପାଳି ଆରମ୍ଭ କରିଥିଲେ। ୨୦୧୮ରେ ସେ ବିଜେପି ଛାଡ଼ି ‘ତୃଣମୂଳ କଂଗ୍ରେସ’ରେ ଯୋଗଦେଇଥିଲେ। ଚନ୍ଦନ ମିତ୍ର କୋଲ୍କାତାର ‘ଲା ମାର୍ଟିନିୟର୍ ସ୍କୁଲ୍’, ଦିଲ୍ଲୀର ‘ସେଣ୍ଟ୍ ଷ୍ଟିଫେନ୍’ରୁ ଶିକ୍ଷା ଗ୍ରହଣ କରିବା ପରେ ଉଚ୍ଚତର ଶିକ୍ଷା ଗ୍ରହଣ ପାଇଁ ‘ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ’କୁ ଯାଇଥିଲେ। ‘ପାୟନିୟର୍’ରେ ଯୋଗ ଦେବା ପୂର୍ବରୁ ସେ ‘ଦି ଷ୍ଟେଟ୍ସ୍ମ୍ୟାନ୍’, ‘ଦି ଟାଇମ୍ସ୍ ଅଫ୍ ଇଣ୍ଡିଆ’, ‘ଦି ସଣ୍ଡେ୍ ଅବଜର୍ଭର୍’ ଏବଂ ‘ଦି ହିନ୍ଦୁସ୍ତାନ ଟାଇମ୍ସ୍’ ପ୍ରଭୃତି ସମ୍ବାଦପତ୍ରରେ ସାମ୍ବାଦିକତା କରିଥିଲେ। ସେ ‘ପାୟନିୟର୍’ ଖବରକାଗଜର ମୁଦ୍ରାକାର ଏବଂ ପ୍ରକାଶକ ପଦବୀରୁ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ ନେରନ୍ଦ୍ର କୁମାରଙ୍କୁ ଗ୍ରହଣ କରାଯାଇଥିଲା। ଚଳିତ ବର୍ଷ ଜୁନ୍ ମାସ ପର୍ଯ୍ୟନ୍ତ ସେ ଦିଲ୍ଲୀ ‘ପାୟନିୟର୍’ର ପରିଚାଳନା ନିର୍ଦେଶକ ଥିଲେ। ତାଙ୍କର ପତ୍ନୀ ଓ ଦୁଇ ପୁତ୍ର ଅଛନ୍ତି।
