ପୂର୍ବତନ ବିଧାୟକ ଗୋପନାରାୟଣ ଦାସଙ୍କ ପରଲୋକ
ବାଲେଶ୍ଵର : ପୂର୍ବତନ ବିଧାୟକ ଗୋପନାରାୟଣ ଦାସଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ଗତ ବୁଧବାର ବିଳମ୍ବିତ ରାତିରେ ତାଙ୍କୁ ବ୍ରେନ ଷ୍ଟ୍ରୋକ ହେବାରୁ ତାଙ୍କୁ ପରିବାର ଲୋକେ କଟକ ବଡ଼ ମେଡିକାଲ ନେଉଥିଲେ । କିନ୍ତୁ ଅଧା ବାଟରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ମରଶରୀର ବାଲେଶ୍ଵର ଗୋପାଳ ଗାଁ ସ୍ଥିତ ବାସଭବନରେ ପହଂଚିବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ତାଙ୍କ ଶେଷ ଦର୍ଶନ ପାଇଁ ପହଞ୍ଚିଛନ୍ତି । କଂଗ୍ରେସ ନେତାଙ୍କ ସମେତ ବିଭିନ୍ନ ଦଳର ରାଜନେତା, ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଛନ୍ତି।
ସ୍ୱର୍ଗତ ଗୋପନାରାୟଣ ଦାସ ୧୯୮୫ ମସିହାରେ ବିଧାୟକ ଭାବେ ନିର୍ବାଚିତ ହୋଇ ଥିଲେ । ନିର୍ବାଚନରେ ସେ ପୂର୍ବତନ ବିଧାୟକ ସ୍ବର୍ଗତ ଅରୁଣ ଦେ’ଙ୍କୁ ମାତ୍ର ୮୫ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ।
ଛାତ୍ର ଜୀବନରୁ କଂଗ୍ରେସ ଆଦର୍ଶରେ ଅନୁପ୍ରାଣିତ ହୋଇ ଛାତ୍ର ରାଜନୀତିରେ ଅଂଶଗ୍ରହଣ କରିଥିଲେ ଗୋପ ନାରାୟଣ। ପରେ ମଧୁସୂଦନ ଆଇନ ମହାବିଦ୍ୟାଳୟରେ ଆଇନ ପାଠ ପଢିଥିଲେ। ସେଠାରେ ସଭାପତି ଭାବେ ନିର୍ବାଚନ ଲଢ଼ି ଅଳ୍ପ ଭୋଟରେ ପରାସ୍ତ ହୋଇଥିଲେ। ପରେ ଆଇନଜିବୀ ଭାବେ ବାଲେଶ୍ୱରରେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ। ଜଣେ କାଉନସିଲରରୁ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ଗୋପ ନାରାୟଣ ଦାସ । ୧୯୭୩ ମସିହାରେ ପ୍ରଥମେ ଗୋପାଳ ଗାଁର କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ । ୧୯୮୦ରୁ ୧୯୮୫ ସଦର ବ୍ଲକ ଚେୟାର ମ୍ୟାନ ଭାବେ ଦାୟିତ୍ଵ ତୁଲାଇଥିଲେ। ପରବର୍ତ୍ତୀ ସମୟରେ ବାଲେଶ୍ଵର ସଦର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସରୁ ପ୍ରତିଦ୍ବନ୍ଦିତା କରି ୧୯୮୫ ରୁ ୧୯୯୦ ପର୍ଯ୍ୟନ୍ତ କଂଗ୍ରେସର ବିଧାୟକ ଭାବେ ଦାୟିତ୍ଵ ତୁଲାଇଥିଲେ । ସେହିଭଳି ବାଲେଶ୍ଵର ଜିଲା କଂଗ୍ରେସ କମିଟିର ସଭାପତି ଭାବେ ଦାୟିତ୍ବ ତୁଲାଇବା ସହ କଂଗ୍ରେସ ସରକାର ସମୟରେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ମଧ୍ୟ ଚେୟାର ମ୍ୟାନ ଭାବେ ୧୯୯୬ ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଦାୟିତ୍ବ ତୁଲାଇଥିଲେ । ରାଜନୈତିକ ଜୀବନ ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ବିଭିନ୍ନ ସଙ୍ଗଠନ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଡ଼ିତ ଥିଲେ ଗୋପନାରାୟଣ । ତାଙ୍କ ବିୟୋଗରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
