ବିଜେପିରେ ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ
ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ ଶୁକ୍ରବାର ଦିନ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସଂଜୀବ ସାହୁ ନିଜର ଶତାଧିକ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି । ନିକଟରେ ବିଜେଡି ଛାଡ଼ିଥିଲେ ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ । ସଞ୍ଜୀବ ସାହୁ ବୀରମହାରାଜପୁର ଓ ଆଠମଲ୍ଲିକ ଆସନରୁ ବିଜେଡି ଟିକେଟରେ ୪ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପ୍ରଥମେ ୨୦୦୩ ମସିହାରେ ବୀରମହାରାଜପୁର ଉପନିର୍ବାଚନରେ ସେ ବିଜେଡି ଟିକେଟରୁ ବିଜୟୀ ହୋଇଥିଲେ । ୨୦୦୪ ନିର୍ବାଚନରେ ମଧ୍ୟ ଏହି ଆସନରୁ ବିଜେଡି ଟିକେଟରେ ଜିତି ସେ ବିଧାନସଭାକୁ ଯାଇଥିଲେ । ୨୦୦୯ ଓ ୨୦୧୪ ନିର୍ବାଚନରେ ଆଠମଲ୍ଲିକ ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ଜିତିଥିଲେ । ଏହା ସହ ବିଭିନ୍ନ ସମୟରେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା, ବିଜ୍ଞାନ ଓ କାରିଗରୀ କୌଶଳ, ପଂଚାୟତରାଜ ଏବଂ ପରିବହନ ଆଦି ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । କିନ୍ତୁ ୨୦୧୯ ମସିହାରେ ହୋଇଥିବା ନିର୍ବାଚନରେ ଦଳ ପକ୍ଷରୁ ତାଙ୍କ ବଦଳରେ ପୂର୍ବତନ ପ୍ରଶାସନିକ ଅଧିକାରୀ ରମେଶ ସାଇଙ୍କୁ ଦଳ ତରଫରୁ ପ୍ରାର୍ଥୀ କରାଯାଇଥିଲା ।
ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂତନ ଭାବେ ବିଜେପିରେ ସାମିଲ ହୋଇଥିବା ସମସ୍ତ ନୂତନ ସଦସ୍ୟଙ୍କୁ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ ଜଣାଇଥିଲେ । ବିଜେପିରେ ସାମିଲ ହେବା ଅବସରରେ ପୂର୍ବତନ ମନ୍ତ୍ରୀ ସଞ୍ଜିବ ସାହୁ କହିଛନ୍ତି ରାଜ୍ୟରେ ବିକାଶ ଠପ୍ ହୋଇଯାଇଛି । ବିଶେଷ ଭାବେ ଗତ ୫ ବର୍ଷରେ ଆଠମଲ୍ଲିକ ନିର୍ବାଚନମଣ୍ଡଳୀ ସମେତ ରାଜ୍ୟର କୈାଣସି ବିକାଶ ହୋଇନାହିଁ ବରଂ ବିକାଶରେ ବାଧା ସୃଷ୍ଟି କରାଯାଉଛି । ଗମନାଗମନ, ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡିଶା ରାଜ୍ୟ ବହୁ ପଛରେ ରହିଯାଇଛି । ବିରୋଧୀ ଦମନକୁ ପ୍ରାଧାନ୍ୟ ଦେଇ ଶାସକ ବିଜେଡି ରାଜ୍ୟରେ ଅଗଣତାନ୍ତ୍ରୀକ ବାତାବରଣ ସୃଷ୍ଟି କରିବାର ପ୍ରୟାସ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସେହିପରି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଆଗାମୀ ଦିନରେ ରାଜ୍ୟରେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦୀ ହେବା ସ୍ପଷ୍ଟ ହୋଇଛି । ଓଡିଶାବାସୀ ଭାରତୀୟ ଜନତା ପାର୍ଟୀ ଉପରେ ଆସ୍ଥା ପ୍ରକଟ କରୁଛନ୍ତି । ପଛୁଆ ବର୍ଗକୁ ପ୍ରତିନିଧିତ୍ୱ କରୁଥିବା ପୂର୍ବତନ ମନ୍ତ୍ରୀ ସଞ୍ଜିବ ସାହୁଙ୍କ ବିଜେପିରେ ଯୋଗଦାନ ଦଳର ସଂଗଠନକୁ ଆହୁରି ସଶକ୍ତ କରିବ । ସଂଜୀବ ସାହୁଙ୍କ ବ୍ୟତୀତ ହଜାର ହଜାର କାର୍ଯ୍ୟକର୍ତା ବିଜେଡି ଓ କଂଗ୍ରେସ ଦଳ ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବ ଅବସରରେ ସାଂସଦ ନିତେଶ ଗଙ୍ଗଦେବ, ବିରୋଧୀ ଦଳ ଉପନେତା ବିଷ୍ନୁ ସେଠୀ, ପୂର୍ବତନ ସାଂସଦ ରୁଦ୍ର ପାଣି, ରାଜ୍ୟ ସାଧାରଣ ସଂପାଦକ ରବି ନାଏକ, ଗୋଲକ ମହାପାତ୍ର ଓ ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଓ ଟଙ୍କଧର ତ୍ରିପାଠୀ, ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ପୂର୍ବତନ ମନ୍ତ୍ରୀ ଅଞ୍ଜଳୀ ବେହେରା, ଅନୁଗୁଳ ଜିଲ୍ଲା ପ୍ରଭାରୀ ସିମାଂଚଳ ଖଟେଇ, ଅନୁଗୁଳ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ, ଢେଙ୍କାନାଳ ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
