ବଢୁଛି ବିଜେପିର ଶକ୍ତି : ବିଜେଡି ଛାଡି ବିଜେପିରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା
ଭୁବନେଶ୍ୱର : ବିଜେଡି ଛାଡି ବିଜେପିରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା । ଢେଙ୍କାନାଳ ଜିଲା ହିନ୍ଦୋଳ ନିର୍ବଚନ ମଣ୍ଡଳୀର ପୂର୍ବତନ ବିଧାୟିକା ଅଞ୍ଜଳି ବେହେରା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି । ଭୁବନେଶ୍ୱର ଠାରେ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ସମୀର ମହାନ୍ତି ଓ ଅନ୍ୟାନ୍ୟ ନେତୃମଣ୍ଡଳୀଙ୍କ ଉପସ୍ଥିତିରେ ଶତାଧିକ ସମର୍ଥକଙ୍କ ସହ ଶ୍ରୀମତୀ ବେହେରା ରାଜ୍ୟ କାର୍ଯ୍ୟାଳୟରେ ଆଜି ବିଧିବଦ୍ଧ ଭାବରେ ବିଜେପିରେ ଯୋଗ ଦେଇଛନ୍ତି । ସେହିପରି କଂଗ୍ରେସ ନେତା ସନ୍ତୋଷ ରାଉତଙ୍କ ସମେତ ଅନୁଗୋଳ, ଢ଼େଙ୍କାନାଳ, ପୁରୀରୁ ବିଭିନ୍ନ ଦଳର ଶତାଧିକ କର୍ମୀ ଭାଜପାରେ ଯୋଗଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୃତିତ୍ୱ ଓ ଜନକଲ୍ୟାଣକାରୀ କାର୍ଯ୍ୟରେ ପ୍ରଭାବିତ ହୋଇ ଦଳରେ ଯୋଗଦେଇଥିବାରୁ ସମସ୍ତଙ୍କୁ ଶୁଭେଚ୍ଛା । ଦଳରେ ସାମିଲ ହୋଇଥିବା ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତି ଆମକୁ ଆଗକୁ ବଢ଼ିବା ପାଇଁ ଶକ୍ତି ଦେବ ଏବଂ ତୃଣମୂଳ ସ୍ତରରେ ସଂଗଠନକୁ ମଜଭୂତ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।
ସୂଚନା ଯେ, ଢେଙ୍କାନାଳ ଜିଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀରୁ ତିନି ଥର ବିଜେଡିର ବିଧାୟିକା ଥିଲେ ଅଞ୍ଜଳି। ନବୀନ ପଟ୍ଟନାୟକଙ୍କ ସରକାରରେ ଦୁଇ ଥର ମନ୍ତ୍ରୀ ହେବାର ସୁଯୋଗ ମଧ୍ୟ ପାଇଥିଲେ ସେ। ୨୦୦୦, ୨୦୦୪ ଓ ୨୦୦୯ରେ ବିଜେଡି ଟିକେଟରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୪ରେ ତାଙ୍କୁ ଦଳୀୟ ଟିକେଟ ଦିଆଯାଇନଥିଲା । ପରେ ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେଡି ତାଙ୍କୁ ବହିଷ୍କାର ମଧ୍ୟ କରିଥିଲା।


