ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ପରଲୋକ
ଲକ୍ଷ୍ନୌ : ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ, ରାଜସ୍ଥାନର ପୂର୍ବତନ ରାଜ୍ୟପାଳ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା କଲ୍ୟାଣ ସିଂଙ୍କର ଶନିବାର ରାତିରେ ୮୯ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଲକ୍ଷ୍ନୌସ୍ଥିତ ଏସ୍ଜିପିଜିଆଇ ହସ୍ପିଟାଲରେ ଅନ୍ତିମ ଶ୍ୱାସକ୍ରିୟା ତ୍ୟାଗ କରିଛନ୍ତି। ଗତ ଦେଢ଼ମାସ ଧରି ବିଭିନ୍ନ ରୋଗରେ ପୀଡିତ ଥିବା କଲ୍ୟାଣ ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା କ୍ରମାଗତ ଭାବେ ବିଗିଡ଼ିବାରେ ଲାଗିଥିଲା। ଆଜି ତାଙ୍କର ଏକାଧିକ ଅଙ୍ଗପ୍ରତ୍ୟଙ୍ଗ ଅଚଳ ହୋଇପଡ଼ିବା ଫଳରେ ପରଲୋକ ଘଟିଛି। ବିଶେଷଜ୍ଞମାନଙ୍କୁ ନେଇ ଗଠିତ ଏକ ଡାକ୍ତରୀ ଟିମ୍ ତାଙ୍କ ଉପରେ ନଜର ରଖିଥିଲେ। ଶୁକ୍ରବାର ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଡାକ୍ତରମାନେ ବହୁ ପ୍ରଚେଷ୍ଟା କରିବା ସତ୍ତ୍ବେ ତାଙ୍କୁ ବଞ୍ଚାଇ ପାରି ନଥିଲେ। ଜୁଲାଇ ୪ ତାରିଖରେ ଶ୍ରୀ ସିଂ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।
ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ଶୁକ୍ରବାର କଲ୍ୟାଣ ସିଂଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ଅବଗତ ହେବା ପାଇଁ ଏସ୍ଜିପିଜିଆଇ ହସ୍ପିଟାଲକୁ ଯାଇଥିଲେ। ସେହି ସମୟରେ ଡାକ୍ତରୀ ଟିମ୍ କହିଥିଲେ ଯେ, ତାଙ୍କ ସ୍ଥିତି ଗୁରୁତର ଅଛି ଏବଂ ତାଙ୍କର ସ୍ୱାସ୍ଥ୍ୟ ଉପରେ ନଜର ରଖାଯାଇଛି । କିନ୍ତୁ ଏହାପରେ କଲ୍ୟାଣ ସିଂଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ଆସି ନଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ପରିବହନ ମନ୍ତ୍ରୀ ନୀତିନ୍ ଗଡକରୀ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ଶ୍ରୀ ସିଂଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।ସୂଚନା ଯେ, ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା କଲ୍ୟାଣ ସିଂ ଦୁଇ ଦୁଇ ଥର ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାପରେ ସେ ରାଜସ୍ଥାନ ଓ ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ଅଯୋଧ୍ୟା ରାମ ମନ୍ଦିର ଆନ୍ଦୋଳନର ସେ ଜଣେ ବଡ଼ ନେତା ଥିଲେ। ତାଙ୍କ ମୁଖ୍ୟମନ୍ତ୍ରିତ୍ବ କାଳରେ ଅଯୋଧ୍ୟାରେ ବାବ୍ରୀ ମସଜିଦ ଭଙ୍ଗା ଘଟଣା ଘଟିଥିଲା, ଯାହାକି ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ରାଜନୈତିକ ଜୀବନରେ କଲ୍ୟାଣ ସିଂଙ୍କୁ ଅନେକ ବିରୋଧ କରୁଥିଲେ ମଧ୍ୟ ଉତ୍ତର ପ୍ରଦେଶ ରାଜନୀତିରେ ତାଙ୍କର ସ୍ବତନ୍ତ୍ର ସ୍ଥାନ ରହିଥିଲା।
