ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ପରଲୋକ
ଭୁବନେଶ୍ୱର : ଓଡ଼ିଶାର ପ୍ରଥମ ଆଦିବାସୀ ମୁଖ୍ୟମନ୍ତ୍ରୀ ଭାବେ ପରିଚିତ ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳଙ୍କର ଶୁକ୍ରବାର ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୮୩ବର୍ଷ ବୟସ ହୋଇଥିଲା । ସେ କିଛି ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥାଇ ଭୁବନେଶ୍ୱରସ୍ଥିତ ସମ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କର ମୃତ୍ୟୁ ସମ୍ପର୍କରେ ତାଙ୍କ ଝିଅ ସୁନୀତା ବିଶ୍ୱାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଶ୍ରୀ ବିଶ୍ୱାଳ ରାଜ୍ୟର ଏକମାତ୍ର ଆଦିବାସୀ ନେତା ଯିଏ ୨ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ । ୧୯୮୯ ମସିହା ଡିସେମ୍ବର ୭ରୁ ୧୯୯୦ ମାର୍ଚ୍ଚ ୫ତାରିଖ ପର୍ଯ୍ୟନ୍ତ ପ୍ରାୟ ୩ ମାସ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୯୯୯ ଡିସେମ୍ବର ୬ରୁ ୨୦୦୦ ମାର୍ଚ୍ଚ ୫ତାରିଖ ପର୍ଯ୍ୟନ୍ତ ପ୍ରାୟ ୮ ମାସ ଧରି ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ । ତାଙ୍କ ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନବୀନ ପଟ୍ଟନାୟକ ତୁଲାଉଛନ୍ତି । ୭୦ଦଶକରେ ପଂଚାୟତ ରାଜନୀତିରୁ କ୍ୟାରିୟର ଆରମ୍ଭ କରିଥିବା ଶ୍ରୀ ବିଶ୍ୱାଳ ୧୯୭୪ ମସିହାରେ ପ୍ରଥମଥର ବିଧାୟକ ହୋଇଥିଲେ । ସେ ୨୦୦୯ ମସିହାରେ ସୁନ୍ଦରଗଡ଼ରୁ ସାଂସଦ ଭାବେ ମଧ୍ୟ ବିଜୟୀ ହୋଇଥିଲେ । ସେ ଜଣେ ବରିଷ୍ଠ ଆଦିବାସୀ ନେତା ଭାବେ କଂଗ୍ରେସରେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ିଯାଇଛନ୍ତି । ୧୯୩୯ ଡିସେମ୍ବର ୧ରେ ଅବିଭକ୍ତ ସୁନ୍ଦରଗଡ଼ ଜିଲ୍ଲାରେ ଜନ୍ମିତ ଶ୍ରୀ ବିଶ୍ୱାଳଙ୍କ ମୃତ୍ୟୁରେ ରାଜ୍ୟ ରାଜନୀତିରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ମୃତ୍ୟୁରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କଠୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଶ୍ରୀ ବିଶ୍ୱାଳଙ୍କର ଦୁଇ ଝିଅ ସୁନୀତା ଓ ଅମିତା ଏବେ ରାଜନୀତିରେ ସକ୍ରିୟ ଅଛନ୍ତି । ଶନିବାର ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡ଼ିଛି ।
