ଜର୍ମାନୀରେ ପିଜା ଡେଲିଭରି କରୁଛନ୍ତି ଆଫଗାନିସ୍ତାନର ପୂର୍ବତନ ଆଇଟି ମନ୍ତ୍ରୀ
ବର୍ଲିନ : ସମୟ ବଡ ବଳବାନ । କଲି ଯେ ଅମୀର ଆଜି ସେ ଫକୀର । ଏହିଭଳି ଉକ୍ତିର ଯଥାର୍ଥ ଦେଖିବାକୁ ମିଳିଛି ଆଫଗାନିସ୍ତାନର ପୂର୍ବତନ ଆଇଟି ମନ୍ତ୍ରୀ ସୟଦ ଅହମ୍ମଦ ଶାହାଙ୍କ ସମ୍ପର୍କରେ । ଏକଦା ସୁଟ୍-ବୁଟ୍ ସହ କଡା ସୁରକ୍ଷା ବଳୟ ଭିତରେ ରହୁଥିଲେ ସେ। କିନ୍ତୁ ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି, ଆଜି ସେ ସାଇକେଲ ଦ୍ୱାରା ଜର୍ମାନୀରେ ପିଜା ଡେଲିଭରି କରୁଛନ୍ତି ।
ଆଫଗାନିସ୍ତାନର ପୂର୍ବତନ ଆଇଟି ମନ୍ତ୍ରୀ ସୟଦ ଅହମ୍ମଦ ଶାହା ବର୍ତ୍ତମାନ ଜର୍ମାନୀରେ ବୁଲି ବୁଲି ପିଜା ବିକ୍ରି କରୁଛନ୍ତି। ଏକ ପିଜା କମ୍ପାନୀର ୟୁନିଫର୍ମ ପିନ୍ଧି ସେ ଜର୍ମାନୀର ଲିପଜିଗରେ ଏକ ସାଇକେଲରେ ପିଜା ଡେଲିଭରି କରୁଛନ୍ତି | ସେ ଆଇଟି ମନ୍ତ୍ରୀ ଥିବାବେଳେ ଆଫଗାନିସ୍ତାନରେ ମୋବାଇଲ୍ ଫୋନ୍ ନେଟୱାର୍କକୁ ବଢାଇବାକୁ ପ୍ରମୁଖ ଭୂମିକା ନିର୍ଵାହ କରିଥିଲେ। ପରେ ସେ ଆଫଗାନିସ୍ତାନ ଛାଡି ଜର୍ମାନୀ ଆସିଥିଲେ। ସୂଚନା ଯେ, ସୟଦ ୨୦୦୫ ରୁ ୨୦୧୩ ପର୍ଯ୍ୟନ୍ତ ଆଫଗାନିସ୍ତାନରେ ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀଙ୍କର ମୁଖ୍ୟ ବୈଷୟିକ ପରାମର୍ଶଦାତାଙ୍କ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଥିଲେ । ଏନେଇ ସୟଦ କହିଛନ୍ତି ଯେ, ସେ ଗତବର୍ଷ ଆଇଟି ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଅନେକ ପ୍ରସଙ୍ଗରେ ରାଷ୍ଟ୍ରପତି ଘାନିଙ୍କ ସହ ମତଭେଦ ହୋଇଥିଲା । ଇସ୍ତଫା ଦେବା ପରେ ସେ ଦେଶରେ କିଛି ଦିନ ବିତାଇଥିଲେ। ଏହା ପରେ ସେ ଜର୍ମାନୀ ଯାଇଥିଲେ। ପ୍ରଥମେ ସବୁକିଛି ଠିକ୍ ଚାଲିଥିଲା । ପରେ ଟଙ୍କା ଅଭାବ ପଡିବାରୁ ତାଙ୍କୁ ପିଜା ଡେଲିଭରି କରିବାକୁ ପଡୁଛି।
