ବାଲେଶ୍ୱରରେ ‘ଜିଲାସ୍ତରୀୟ ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚ’ ଗଠନ
- ବାଲ୍ୟ ବିବାହ ରୋକିବା ନିମନ୍ତେ କର୍ମଶାଳା
- କିଶୋରୀକିଶୋର ସଶକ୍ତୀକରଣ ହୋଇପାରିଲେ ବାଲେଶ୍ୱର ବାଲ୍ୟ ବିବାହ ମୁକ୍ତ ଜିଲା ଭାବେ ପରିଗଣିତ ହୋଇ ପାରିବ
ବାଲେଶ୍ୱର : ବାଲେଶ୍ୱର ସଦର ବ୍ଲକ ସମ୍ମିଳନୀ କକ୍ଷରେ ଜିଲା ପ୍ରଶାସନ, ଆକ୍ସନଏଡ଼ ଓ ୟୁନିସେଫ ଓଡ଼ିଶାର ମିଳିତ ଉଦ୍ୟମରେ ଗୁରୁବାର ଜିଲାର ପନ୍ଦରଟି ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଞ୍ଚଳ ର ବାଲ୍ୟ ବିବାହକୁ ନାଁ କହିଥିବା, ବାଲ୍ୟ ବିବାହରୁ ଉଦ୍ଧାର ପାଇଥିବା ଓ ଏହି ଅଭିଯାନରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ଇଚ୍ଛୁକ କିଶୋର ଓ କିଶୋରୀ ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ବାଲ୍ୟ ବିବାହ ସମାପ୍ତ ଓ କିଶୋରୀ ସଶକ୍ତିକରଣ ସମ୍ବନ୍ଧରେ ଆଲୋଚନା ହୋଇ ବାଲ୍ୟ ବିବାହକୁ ଜିଲାରୁ ସମ୍ପୂର୍ଣ ଭାବରେ ସମାପ୍ତ କରିବା ପାଇଁ ଏକ ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚ ଗଠନ କରା ଯାଇ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରା ଯାଇଥିଲା ।
କର୍ମଶାଳାରେ ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଯୋଗଦେଇ ବାଲ୍ୟ ବିବାହ ରୋକିବା ନିମନ୍ତେ କିଶୋରୀ ବାଳିକାବାଳକଙ୍କର ଭୂମିକା ଓ ଜନ ସଚେତନତା ସୃଷ୍ଟି ଦିଗରେ ସେମାନଙ୍କର ଦାୟିତ୍ୱ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଜିଲାରେ ପ୍ରତି ୪ଜଣରେ ଜଣେ ଝିଅ ବାଲ୍ୟ ଅବସ୍ଥାରେ ବିବାହ କରୁଛନ୍ତି । କମ୍ ବୟସରେ ବିବାହ କରି ଅନେକ ଶିଶୁ ଓ କିଶୋରକିଶୋରୀ ନିଜର ଭବିଷ୍ୟତ ଏକ ଅସୁସ୍ଥ ପରିବେଶରେ ବିତାନ୍ତି । ଯେଉଁ କିଶୋର ଓ କିଶୋରୀ ଜଣକ ଅଧିକ ପାଠ ପଢ଼ି ନିଜର ଜ୍ଞାନ ବଢ଼ାଇବା ସହିତ ନିଜର ସମାଜର କିଛି ଉନ୍ନତି କରିପାରିଥାନ୍ତେ ସେମାନେ ବାଲ୍ୟ ବିବାହ ଯୋଗୁଁ ଆଉ ଅଧିକ କିଛି ଚିନ୍ତା କରି ପାରନ୍ତି ନାହିଁ ଓ ଅନେକ ସମୟରେ କମ ବୟସରେ ବାହାଘର ଆୟୋଜନ କରିବା ସମୟରେ ଶିଶୁଟିର ସ୍ୱାସ୍ଥ୍ୟ ପ୍ରତି ବିପଦ ରହୁଛି । ମାତୃ ମୃତ୍ୟୁ ହାର ଓ ଶିଶୁ ମୃତ୍ୟୁ ହାରରେ ମଧ୍ୟ ଅଭିବୃଦ୍ଧି ହେଉଛି । ଆମ ଦେଶ ତଥା ରାଜ୍ୟ ରେ ପ୍ରଚଳିତ ଆଇନ ଅନୁଯାୟୀ ବାଲ୍ୟ ବିବାହ ଏକ ଦଣ୍ଡନୀୟ ଅପରାଧ ତେଣୁ ସମସ୍ତେ ଏହି ବିଷୟରେ ସଚେତନ ହେବା ସହ ନିଜ ସମୁଦାୟରେ ବାଲ୍ୟ ବିବାହ ନକରିବା ପାଇଁ ପଦକ୍ଷେପ ନେବାର ସମୟ ଆସିଛି । ବାଲ୍ୟ ବିବାହକୁ ପରିଣତି ସମ୍ବନ୍ଧରେ ସମସ୍ତ କିଶୋର କିଶୋରୀମାନଙ୍କୁ ଜଣାଇବା ଆବଶ୍ୟକ ଓ ଶିକ୍ଷା କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦିତ କରି ଶିଶୁ ମାନଙ୍କୁ ଆଗକୁ ଯିବା ପାଇଁ ପ୍ରବର୍ତ୍ତାଇବା ଆବଶ୍ୟକ ବୋଲି କହିଥିଲେ । ଜିଲା ସମାଜ ମଙ୍ଗଳ ଅଧିକାରୀଣୀ କୁନ୍ତଳା କୁମାରୀ ମଲ୍ଲିକ କର୍ମଶାଳାକୁ ପରିଚାଳନା କରିଥବା ବେଳେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଯୁବକ ମାଝି ଶିଶୁ ସୁରକ୍ଷା ଓ ଶିଶୁ ଅଧିକାର ସମ୍ବନ୍ଧରେ କିଶୋରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ଚାଇଲ୍ଡ ଲାଇନର କେନ୍ଦ୍ର ମୁଖ୍ୟ ପ୍ରଶାନ୍ତ ରାଉତ ଏବଂ ଆକ୍ସନ ଏଡ ୟୁନିଶେଫର ଜିଲା ସଂଯୋଜକ ପ୍ରିୟବ୍ରତ ଶତପଥି ପ୍ରମୁଖ ଉପସ୍ଥିତ ରହି କର୍ମଶାଳାର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରି କିଶୋରୀ କିଶୋରଙ୍କ ସଶକ୍ତୀକରଣ ହୋଇ ପାରିଲେ ହିଁ ବାଲେଶ୍ୱର ଗୋଟିଏ ବାଲ୍ୟ ବିବାହ ମୁକ୍ତ ଜିଲା ଭାବେ ପରିଗଣିତ ହୋଇ ପାରିବ ବୋଲି ଗୁରୁତ୍ୱ ଦେଇଥିଲେ ।
ପ୍ରକାଶ ଥାଉକି ଯେ, ଉଭୟ ରାଜ୍ୟ ସରକାର ଓ ବାଲେଶ୍ୱର ଜିଲା ପ୍ରଶାସନ, ଆକ୍ସନଏଡ ଏବଂ ୟୁନିସେଫର ମିଳିତ ଉଦ୍ୟମରେ ଜିଲାରେ ପ୍ରତ୍ୟେକ ସ୍ତରରେ ସଚେତନ କରାଇବା, ପ୍ରତ୍ୟେକ ଶିଶୁ କିପରି ନିୟମିତ ବିଦ୍ୟାଳୟକୁ ଯିବେ ଓ ପାଠ ପଢିବେ ତାହା ନିଶ୍ଚିତ କରାଇବା, ଅପପୁଷ୍ଟିକୁ ରୋକିବା, ପ୍ରାକବିଦ୍ୟାଳୟ ଶିକ୍ଷା ନିଶ୍ଚିତ କରାଇବା,ଶିଶୁ ମାନଙ୍କ ପାଇଁ ଶିଶୁ ଉପଯୋଗୀ ପରିବେଶ ନିଶ୍ଚିତ କରାଇବା, ଶିଶୁ ସୁରକ୍ଷାର ବିଭିନ୍ନ ବ୍ୟବସ୍ଥା ଗୁଡିକୁ ଉପଲବ୍ଧ କରାଇବା,କିଶୋର ଓ କିଶୋରୀ ମାନଙ୍କୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଗୁଡିକରେ ସାମିଲ କରାଇବା, ସ୍ୱାସ୍ଥ୍ୟ ସୁବିଧାକୁ ନିଶ୍ଚିତ କରାଇବା ଓ କୌଣସି ଶିଶୁ ଯେପରି ଶିଶୁ ଶ୍ରମିକ ନ ହେବେ ସେଥି ପ୍ରତି ଗୁରୁତ୍ୱ ଦେଇ ବିଭିନ୍ନ ବିଭାଗ ସହିତ ମିଳିତ ଆଲୋଚନା କ୍ରମେ ଏକ ଜିଲା ସ୍ତରୀୟ କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯାଇଅଛିଓଏହି ସବୁ କାର୍ଯ୍ୟକ୍ରମକୁ ପ୍ରତ୍ୟେକ ସ୍ତରରେ ତଦାରଖ କରିବା ପାଇଁ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜିଲା ସ୍ତରୀୟ ଟାସ୍କ ଫୋର୍ସ ଗଠନ ହୋଇଛି । କର୍ମଶାଳାରେ ଜିଲାର ସମସ୍ତ ବ୍ଳକର ଚିହ୍ନିତ କିଶୋର କିଶୋରୀ ବାଳିକା ଓ ବାଳକ ଯୋଗ ଦେଇଥିଲେ ଓକିଶୋରୀ ବାଳିକା ଓ ବାଳକ ମାନଙ୍କ ର ଏକ ସମୂହ ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚ ଗଠନ କରାଯାଇଥିଲା ।
