ଜଳୁଛି ଜଙ୍ଗଲ ! ଗାଁ ରାସ୍ତାରେ ଗୟଳ ଆକ୍ରମଣ, ୨ ଗୁରୁତର
କରଞ୍ଜିଆ : ଗ୍ରୀଷ୍ମ ପ୍ରବାହ ଆରମ୍ଭରୁ ଶିମିଳିପାଳ ଅଭୟାରଣ୍ୟରେ ନିଆଁ । ଫଳରେ ଗାଁମୁହାଁ ହେଉଛନ୍ତି ବନ୍ୟ ପ୍ରାଣୀ । ଏହି ପରିପ୍ରେକ୍ଷୀରେ କରଞ୍ଜିଆ ରାସ୍ତାର ପଦ୍ମପୁର ଛକ ନିକଟରେ ଗୟଳ ଆକ୍ରମଣରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଯେ, ରବିବାର ସକାଳୁ ପଦ୍ମପୁର ଗାଁର ଚିନ୍ତାମଣି ସାହୁ (୬୫) ଓ ଧର ବେହେରା(୬୮) ବଜାରରୁ ନିଜ ଘରକୁ ଫେରୁଥିଲେ । ଏହି ସମୟରେ ପଦ୍ମପୁର ଛକ ନିକଟରେ ଅତର୍କିତ ଭାବେ ୨ଟି ଜଙ୍ଗଲୀ ଗୟଳ ତାଙ୍କୁ ଆକ୍ରମଣ କରିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆନନ୍ଦପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ତେବେ ଆନନ୍ଦପୁର ବ୍ଲକ ବାଉଁଶଗଡ଼ ପଦ୍ମପୁର ଦେଇ ଦୁଇଟି ଜଙ୍ଗଲି ଗୟଳ ଆସିଥିବା ଜଣାଯାଇଛି। ଶନିବାର ସନ୍ଧ୍ୟାରୁ ଗାଁ ନିକଟରେ ଏହି ଗୟଳ ଦୁଇଟି ଥିବା ବେଳେ ଗ୍ରାମବାସୀଙ୍କ ଠାରୁ ଖବର ପାଇ ବନ ବିଭାଗ ସେମାନଙ୍କୁ ଘଉଡାଇବାକୁ ଚେଷ୍ଟା କରିଥିଲା। ହେଲେ ସେମାନେ ଜଙ୍ଗଲକୁ ନଯାଇ ଗାଁର ଅନ୍ୟ ଏକ ପାର୍ଶ୍ୱରେ ଲୁଚି ରହିଥିଲେ। ରବିବାରର ଘଟଣାକୁ ଗୁରୁତର ସହ ନେଇ ତୁରନ୍ତ ଘଉଡାଇବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।
