ଶସ୍ତା ହେଲା ବିଦେଶୀ ମଦ, ୫୦% ଟ୍ୟାକ୍ସ ଛାଡ଼ କଲେ ସରକାର
ମୁମ୍ବାଇ : ମଦ ବେପାରରୁ ସରକାରୀ ରାଜକୋଷକୁ ସର୍ବାଧିକ ରାଜସ୍ୱ ଆସିଥାଏ। ତେଣୁ ପ୍ରତ୍ୟେକ ରାଜ୍ୟ ସରକାର ଏହା ଉପରେ ନଜର ରଖିଥାନ୍ତି। କୋରୋନା ପ୍ରକୋପ ବେଳେ ସମସ୍ତ ବ୍ୟବସାୟ ବନ୍ଦ ଥିବା ବେଳେ କିଛି ରାଜ୍ୟ ମଦର ହୋମ ଡେଲିଭରୀ ଚଳାଇଥିଲେ। ଏହି ମଦ ବ୍ୟବସାୟରେ ଏବେ ମହାରାଷ୍ଟ୍ର ସରକାର ଏକ ନୂତନ ସମୀକରଣ ସୃଷ୍ଟି କରିଛନ୍ତି।
ଆମଦାନୀ ହୋଉଥିବା ମଦ ବା ବିଦେଶୀ ମଦ ଉପରେ ସୋମବାର ମହାରାଷ୍ଟ୍ର ସରକାର ଏକ୍ସାଇଜ୍ ଡ୍ୟୁଟି ୫୦% ହ୍ରାସ କରିଛନ୍ତି। ମଦ ଉପରେ ଏକ୍ସାଇଜ୍ ଡ୍ୟୁଟି ୩୦୦%ରୁ ୧୫୦% କୁ ହ୍ରାସ ପାଇବ ବୋଲି ରାଜ୍ୟ ସରକାର କହିଛନ୍ତି। ପ୍ରତି ୟୁନିଟ୍ ଆଧାରରେ ଏକ୍ସାଇଜ୍ ଡ୍ୟୁଟି ହିସାବ କରାଯାଏ। ଯଦି ଆପଣ ଏକ ଲିଟର ମଦ କିଣୁଛନ୍ତି, ତେବେ ଆପଣ ୧୫ ଟଙ୍କାର ଏକ ନିର୍ଦ୍ଦିଷ୍ଟ ଏକ୍ସାଇଜ୍ ଡ୍ୟୁଟି ଦେବେ। ରମ, ବ୍ରାଣ୍ଡି, ଭୋଡକା, ଏବଂ ଜିନ୍ ଉପରେ ଏକ୍ସାଇଜ୍ ଡ୍ୟୁଟିର ହ୍ରାସ ଲାଗୁ ହେବ। କିନ୍ତୁ ବିୟର ଏବଂ ୱାଇନ୍କୁ ଏହି ତାଲିକାରୁ ଅଲଗା ରଖାଯାଇଛି। ତେଣୁ ୱାଇନ୍ ଓ ବିୟର କିଣିଲେ ପୂର୍ବଭଳି ଟ୍ୟାକ୍ସ ଦେବାକୁ ପଡିବ। ମହାରାଷ୍ଟ୍ର ସରକାର ଆମଦାନୀ ହୋଇଥିବା ସ୍କଚ୍ ବିକ୍ରୟରୁ ବାର୍ଷିକ ପ୍ରାୟ ୧୦୦ କୋଟି ଟଙ୍କା ରାଜସ୍ୱ ରୋଜଗାର କରନ୍ତି। ଏକ୍ସାଇଜ୍ ଡ୍ୟୁଟି ହ୍ରାସ ଯୋଗୁଁ ଏହା ଦେଢ ଗୁଣା ଅଧିକ ବୃଦ୍ଧି ପାଇବ ବୋଲି ସରକାର ଆକଳନ କରିଛନ୍ତି। ‘ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିବା ଦ୍ୱାରା ମଦ ଚୋରା ଚାଲାଣ ଓ ନକଲି ମଦ କାରବାର ରୋକିବାରେ ସାହାଯ୍ୟ କରିବ। ଏଥିରୁ ରାଜ୍ୟ ଦ୍ୱିଗୁଣ ରାଜସ୍ୱ ପାଇବ ବୋଲି ଆଶା କରାଯାଉଛି, ଯାହା ବର୍ତ୍ତମାନ ବାର୍ଷିକ ଶହେ କୋଟି ଟଙ୍କା ରହିଛି’ ବୋଲି ମହାରାଷ୍ଟ୍ର ସରକାର ଏକ ବିବୃତ୍ତିରେ କହିଛନ୍ତି।
ରମ, ବ୍ରାଣ୍ଡି, ଭୋଡକା, ଏବଂ ଜିନ୍ ଉପରେ ଏକ୍ସାଇଜ୍ ଡ୍ୟୁଟିର ହ୍ରାସ ଲାଗୁ ହେବ। ବିୟର ଏବଂ ୱାଇନରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ସ୍କଚ୍ ୱିସ୍କି ପରି ଆମଦାନୀ ହେଉଥିବା ୧୦୦୦ ମିଲି ମଦ ବୋତଲର ମୂଲ୍ୟ ୫୦୦୦ ରୁ ୧୪୦୦୦ ଟଙ୍କା। ଏହା ଏବେ ୩୫ରୁ ୪୦% ଶସ୍ତା ହେବ। ଏକ୍ସାଇଜ୍ ଡ୍ୟୁଟି ହ୍ରାସ କେବଳ ଆମଦାନୀ ହୋଇଥିବା ମଦ ବ୍ରାଣ୍ଡଗୁଡିକ ପାଇଁ ବୋଟଲିଂ ଏବଂ ଉତ୍ପାଦିତ ଦେଶରେ ପ୍ୟାକ୍ ହୋଇଥିବା ପ୍ରଯୁଜ୍ୟ ହେବ। ଭାରତରେ ବୋଟଲିଂ ହୋଇଥିବା ସେହି ଆନ୍ତର୍ଜାତୀୟ ବ୍ରାଣ୍ଡଗୁଡିକ ପାଇଁ ନୁହେଁ। ଭାରତରେ ଉତ୍ପାଦିତ ବିଦେଶୀ ମଦ ବ୍ରାଣ୍ଡ ପାଇଁ ଏହି ହ୍ରାସ ପ୍ରଯୁଜ୍ୟ ନୁହେଁ। ପଡୋଶୀ ରାଜ୍ୟ ତୁଳନାରେ ଆମଦାନୀ ହୋଇଥିବା ହ୍ୱିସ୍କି ଉପରେ ମହାରାଷ୍ଟ୍ରର ସର୍ବାଧିକ ଏକ୍ସାଇଜ୍ ଡ୍ୟୁଟି ରହିଛି। ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଗୋଆ ଦେଶରେ ସର୍ବନିମ୍ନ ମଦ ଟିକସ ହାର ରହିଛି।
