ପ୍ରଥମଥର ପାଇଁ ସୋସିଆଲ୍ ମିଡିଆରେ କୁନିଝିଅର ଫଟୋ ସେୟାର କଲେ ପ୍ରିୟଙ୍କା
ମୁମ୍ବାଇ : ସୋସିଆଲ ମିଡିଆରେ ପ୍ରଥମ ଥର ପାଇଁ ଝିଅ ମାଲତି ମେରୀର ଫଟୋ ସେୟାର କଲେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ରବିବାର ମାତୃ ଦିବସ ଅବସରରେ ଏହି ଫଟୋ ସେୟାର କରିଛନ୍ତି ପ୍ରିୟଙ୍କା । ଏହି ଫଟୋରେ ଝିଅର ଚେହେରା ଦୃଶ୍ୟମାନ ହେଉନାହିଁ। ପ୍ରିୟଙ୍କା ସେୟାର କରିଥିବା ଫଟୋରେ ସ୍ୱାମୀ ନିକ ଜୋନାସ ମଧ୍ୟ ତାଙ୍କ ସହ ନଜର ଆସିଛନ୍ତି। ଏହି ସମୟରେ ଅଭିନେତ୍ରୀ ତାଙ୍କ ଶିଶୁ କନ୍ୟାକୁ ଆଲିଙ୍ଗନ କରିଥିବା ବେଳେ ନିକ ତାଙ୍କ ଝିଅକୁ ଅନାଉଥିବାର ନଜର ଆସିଛନ୍ତି । ଫଟୋ ସେୟାର୍ କରିବାବେଳେ ପ୍ରିୟଙ୍କା ପ୍ରଶଂସକଙ୍କ ସହ ମା ହେବାର ଅନୁଭବକୁ ବାଣ୍ଟିଛନ୍ତି । ଲେଖିଛନ୍ତି କି- ମାତୃ ଦିବସ ଅବସରରେ ମୁଁ ଆପଣଙ୍କୁ କହିବାକୁ ଚାହେଁ ଯେ ଗତ କିଛି ମାସ ହେବ ଜୀବନଟା ରୋଲର କୋଷ୍ଟର ତଥା ଚ୍ୟାଲେଞ୍ଜ ଠାରୁ କମ୍ ନଥିଲା। ଯାହା ବର୍ତ୍ତମାନ ଶେଷ ହୋଇଛି । ବର୍ତ୍ତମାନ ଆମେ ୧୦୦ ଦିନରୁ ଅଧିକ ସମୟ ପରେ ଏନ୍ଆଇସିୟୁରୁ ଆମ ଝିଅକୁ ନେଇ ଶେଷରେ ଘରକୁ ଫେରିଛୁ ।
ପ୍ରିୟଙ୍କା ଚୋପ୍ରା ଆହୁରି ଲେଖିଛନ୍ତି ଯେ ଯଦି ଆମେ ପଛକୁ ଦେଖିବା, ତେବେ ଆମେ ଅନୁଭବ କରୁ ଯେ ପ୍ରତ୍ୟେକ ମୁହୂର୍ତ୍ତ କେତେ ମୂଲ୍ୟବାନ। ଆମେ ବହୁତ ଖୁସି ଯେ ଆମର ଛୋଟ ଶିଶୁ କନ୍ୟା ଶେଷରେ ଘରକୁ ଫେରିଛି । ଏଥିପାଇଁ ମୁଁ ପ୍ରତ୍ୟେକ ଡାକ୍ତର, ନର୍ସ ଏବଂ ବିଶେଷଜ୍ଞମାନଙ୍କୁ ଧନ୍ୟବାଦ ଦେବାକୁ ଚାହେଁ । ଆମର ପରବର୍ତ୍ତୀ ଯାତ୍ରା ବର୍ତ୍ତମାନ ଆରମ୍ଭ ହେଉଛି ଏବଂ ଆମର ଶିଶୁ ପ୍ରକୃତରେ ଶକ୍ତିଶାଳୀ । ଏହି ଫଟୋ ଦେଖିବା ପରେ ପ୍ରଶଂସକମାନେ ଖୁବଙ୍କ ଖୁସି ହୋଇଛନ୍ତିି । ସୋସିଆଲ୍ ମିଡିଆରେ ଫଟୋଟି ଭାଇରାଲ୍ ହେବାରେ ଲାଗିଛି ।
