ଛଅ ବର୍ଷରେ ପ୍ରଥମ ଥର ପାଇଁ ବିରାଟଙ୍କ ବ୍ୟାଟିଂ ହାର ୫୦ ତଳକୁ ଖସିଲା
ବେଙ୍ଗାଲୁରୁ : ବିରାଟ କୋହଲି ଗତ ଦୁଇ ବର୍ଷରୁ ଅଧିକ ସମୟ ହେବ ଅନ୍ତର୍ଜାତୀୟ କ୍ରିକେଟ୍ରେ ଶତକ ହାସଲ କରି ପାରି ନାହାନ୍ତି । ତଥାପି ଏହି ସମୟରେ ତାଙ୍କର ବ୍ୟାଟିଂ ହାର ୫୦ରୁ ଅଧିକ ରହିଥିଲା । ମାତ୍ର ଏବେ ଟେଷ୍ଟରେ ତାଙ୍କର ବ୍ୟାଟିଂ ହାର ୫୦ ତଳକୁ ଖସି ଆସିଛି । ୨୦୧୭ ପରଠୁ ପ୍ରଥମ ଥର ବିରାଟଙ୍କ ବ୍ୟାଟିଂ ହାର ୫୦ ତଳକୁ ଖସିଛି । ବିରାଟ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୨୩ ଏବଂ ଦ୍ୱିତୀୟ ଇନିଂସରେ ୧୩ ରନ ହିଁ କରି ପାରିଛନ୍ତି । ଏହି କାରଣରୁ ଏବେ ତାଙ୍କ ବ୍ୟାଟିଂ ହାର ନିମ୍ନଗାମୀ ହୋଇଛି । କୋହଲିଙ୍କୁ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଅତି କମରେ ୪୨ ରନ କରିଥିଲେ ତାଙ୍କର ବ୍ୟାଟିଂ ହାର ୫୦ ତଳକୁ ଖସିନଥାନ୍ତା । ମାତ୍ର ଏମିତି ହୋଇ ନାହିଁ । ଫର୍ମ ହରାଇବା କାରଣରୁ ବିରାଟଙ୍କ ବ୍ୟାଟିଂରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଛଅ ବର୍ଷ ପରେ ପ୍ରଥମ ଥର କୋହଲିଙ୍କୁ ଏମିତି ସ୍ଥିତିର ସମ୍ମୁଖୀନ ହେବାକୁ ପଡିଛି ।
ବିରାଟ ଶେଷ ଥର ୨୦୧୯ ନଭେମ୍ବରରେ ବାଂଲାଦେଶ ବିପକ୍ଷରେ ଶତକ ଅର୍ଜନ କରିଥିଲେ । କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା ପିଙ୍କ ବଲ୍ ଟେଷ୍ଟରେ ବିରାଟ ଅନ୍ତର୍ଜାତୀୟ କ୍ରିକେଟ୍ରେ ୭୦ତମ ଶତକ ହାସଲ କରିଥିଲେ । ମାତ୍ର ଏହା ପରଠୁ ତାଙ୍କ ବ୍ୟାଟିଂ ହାର ୨୮.୭୫ ତଳକୁ ଖସିଛି । ୭୦ତମ ଶତକ ପର୍ଯ୍ୟନ୍ତ ତାଙ୍କ ହାର ୫୪.୯୭ ପ୍ରତିଶତ ରହିଥିଲା । ପୂର୍ବତନ ଅଧିନାୟକ କୋହଲି ନିଜର ୫୨ତମ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ୱାଙ୍ଖେଡେ ଷ୍ଟାଡିୟମରେ ୫୦ ପ୍ରତିଶତ ବ୍ୟାଟିଂ ହାର ହାସଲ କରିଥିଲେ । ସେହି ସମୟରେ ସେ ପ୍ରଥମ ଇନିଂସରେ ୨୩୫ ରନ କରିଥିଲେ । କୋହଲି ଏହା ପରେ ୨୦୧୯ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପୁଣେ ଟେଷ୍ଟରେ ୨୫୪ ରନ କରି କ୍ୟାରିୟରରେ ଶ୍ରେଷ୍ଠହାର ୫୫.୧୦ ହାସଲ କରିଥିଲେ । ତେବେ ଏହା ପରଠୁ ତାଙ୍କର ବ୍ୟାଟିଂ ହାରରେ ଅବନ୍ନତି ଘଟି ଆସିଛି । ତିନି ଫର୍ମାଟ୍ ଉପରେ ନଜର ପକାଇଲେ କୋହଲି ଟେଷ୍ଟରେ ୫୦.୩୫, ଦିନିକିଆରେ ୫୮.୦୭ ଏବଂ ଟି-୨୦ ଅନ୍ତର୍ଜାତୀୟରେ ୫୧.୫୦ ହାରରେ ରନ କରିଛନ୍ତି ।
