ପ୍ରଥମଥର ପାଇଁ ପୌର ଭୋଟରେ ନୋଟା ବ୍ୟବସ୍ଥା : ପ୍ରାର୍ଥୀ ପସନ୍ଦ ନଥିଲେ ନୋଟାରେ ଭୋଟ ଦେଇପାରିବେ ଭୋଟର
ଭୁବନେଶ୍ୱର : ରାଜ୍ୟରେ ପ୍ରଥମଥର ପାଇଁ ପୌର ଭୋଟରେ ନୋଟା ବ୍ୟବସ୍ଥା କରାଯାଇଛି । ଅର୍ଥାତ ପୂର୍ବରୁ ବିଧାନସଭା ଓ ଲୋକସଭା ନିର୍ବାଚନରେ ଭୋଟଦାତାମାନେ ସେମାନଙ୍କ ପ୍ରସନ୍ଦର ପ୍ରାର୍ଥୀ ନଥିଲେ ଯେଭଳି ନୋଟାରେ ଭୋଟ ଦେଇଥାନ୍ତି ସେଭଳି ଭାବେ ପୌର ଭୋଟରେ ଭୋଟରମାନେ ନୋଟାରେ ବି ଭୋଟ ଦେଇପାରିବେ । ଏହା ପ୍ରଥମ ଥର ପାଇଁ ଲାଗୁ କରାଯାଇଛି ।
ଅନ୍ୟପଟେ ପଞ୍ଚାୟତ ନିର୍ବାଚନ ଭଳି ପୌର ନିର୍ବାଚନରେ ବି ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିବା ବେଳେ ଏକ ସତ୍ୟପାଠ ଦାଖଲ କରିବେ । ଏଥିରେ ସେମାନେ ନିଜର ଶିକ୍ଷାଗତ ଯୋଗ୍ୟତା, ସମ୍ପତ୍ତି ତାଲିକା ସହ କୌଣସି ଅପରାଧିକ ମାମଲା ଥିଲେ ସେ ସମ୍ବନ୍ଧୀୟ ସବିଶେଷ ତଥ୍ୟ ଦାଖଲ କରିବେ । ଏହାସହ ନିଜର ପରିବାର ଲୋକଙ୍କ ଗତ ୫ ବର୍ଷର ଆୟକର ବି ଦାଖଲ କରିବାକୁ ପଡିବ । ୨୦୧୯ ସାଧାରଣ ନିର୍ବାଚନରେ ଯେଉଁ ଫର୍ମାଟରେ ସତ୍ୟପାଠ ଦାଖଲ ହୋଇଥିଲା ସେହି ଫର୍ମାଟରେ ସତ୍ୟପାଠ ଦାଖଲ କରିବାକୁ ନିର୍ବାଚନ କମିଶନର ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ କହିଛନ୍ତି ।
ହେଲେ ପରବର୍ତ୍ତୀ ସମୟରେ ସତ୍ୟପାଠ ଭୁଲ୍ ଥିବା ପ୍ରମାଣିତ ହେଲେ ପଞ୍ଚାୟତ ପ୍ରତିନିଧିଙ୍କ ପାଇଁ ଲାଗୁ ହୋଇଥିବା ନିୟମ ଭଳି ପୌରାଞ୍ଚଳ ପ୍ରତିନିଧିଙ୍କୁ ୬ମାସ ପର୍ୟ୍ୟନ୍ତ ଜେଲ୍ ଦଣ୍ଡ କିମ୍ବା ଆର୍ଥିକ ଜରିମାନା ବା ଉଭୟ ଦଣ୍ଡ ମିଳିବ ନାହିଁ। ଏନେଇ ରାଜ୍ୟ ସରକାର ଆବଶ୍ୟକୀୟ ଆଇନରେ ସଂଶୋଧନ କରିନଥିବାରୁ ଏହା ଲାଗୁ ହେବନି।
ଆସନ୍ତା ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ ଗୀତଗୋବିନ୍ଦ ସଦନରେ ସର୍ବଦଳୀୟ ବୈଠକ ଡାକି ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି। ରାଜ୍ୟର ୪୮ଟି ମ୍ୟୁନିସପାଲଟି, ୫୯ଟି ବିଜ୍ଞପିତ ପରିଷଦ ଅଞ୍ଚଳ ଏବଂ ୩ଟି ମହାନଗର ନିଗମରେ ନିର୍ବାଚନ ହେବାକୁ ଥିବାରୁ ରାଜନୈତିକ ଦଳଗୁଡ଼ିକର ସହଯୋଗ ଲୋଡ଼ିବା ସହ ସେମାନଙ୍କର ଅଭିଯୋଗ ଓ ପ୍ରସ୍ତାବ ବିଚାର କରିବାକୁ କହିଥିଲେ। ନିର୍ବାଚନରେ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମାଠାରୁ ଆରମ୍ଭ କରି, ଏଥର ଇଭିଏମ୍ରେ ଭୋଟିଂ ହେବା, ଲାଗୁ ହେବାକୁ ଥିବା ଆଦର୍ଶ ଆଚରଣ ବିଧି ଏବଂ ଅନ୍ୟାନ୍ୟ ନିୟମାବଳୀ ବିଷୟରେ ଆଲୋଚନା କରିଛନ୍ତି।
