ପ୍ରଥମ ଥର ପାଇଁ ସାଉଦି ଆରବରେ ଆୟୋଜିତ ହେଲା ଯୋଗ ଉତ୍ସବ
ଜେଦ୍ଦା : ଯୋଗ କରିବା ପାଇଁ ୧୦୦୦ରୁ ଅଧିକ ଜନତା ସାଉଦି ଆରବର କିଙ୍ଗ୍ ଅବଦୁଲ୍ଲା ଇକୋନୋମିକ୍ ସହରର ଜୁମାନ ପାର୍କକୁ ଆସିଥିଲେ । ଏହି ଉତ୍ସବ ସାଉଦି ଆରବର ପ୍ରଥମ ଯୋଗ ଉତ୍ସବ ଥିଲା ଓ ଏହାକୁ ସାଉଦି ଆରବର ଯୋଗ କମିଟି ଦ୍ୱାରା ଆୟୋଜନ କରାଯାଇଥିଲା ବୋଲି ସାଉଦି ଆରବର ଏକ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ । ଏହି ଉତ୍ସବରେ ସାଉଦି ଆରବର ୧୦ରୁ ୬୦ ବର୍ଷୀୟ ଜନତା ଭାଗ ନେଇଥିଲେ । ଏଥିରେ ଲୋକମାନେ ବିଭିନ୍ନ ପ୍ରକାର ଯୋଗ ଓ ମାନସିକ ଶାନ୍ତିର ବିଭିନ୍ନ ପ୍ରକାର ଉପାୟ ବିଷୟରେ ଶିକ୍ଷାଲାଭ କରିଥିଲେ । ଜୁମାନ ପାର୍କରେ ସାଉଦିର ଜନତା ଘାସ ପଡିଆ ଉପରେ ଯୋଗ କରିଥିଲେ । ସାଉଦି ଆରବ ଓ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଯୋଗ ବିଶେଷଜ୍ଞଙ୍କ ଦ୍ୱାରା ୮ ଘଂଟା ଧରି ଯୋଗ ଶିଖା ଯାଇଥିଲା ଓ ଯୋଗ ବିଷୟରେ ଭାଷଣ ଦିଆଯାଇଥିଲା । କିଛି ଲୋକ ଛାଇରେ ବିଶ୍ରାମ କରୁଥିବାର ଦେଖାଯାଇଥିଲା । ଯୋଗ ପାଇଁ ସ୍ଥାନଟି ଉତ୍ସାହ ଓ ଉଦ୍ଦୀପନାରେ ଭରି ରହିଥିଲା ।
ସାଉଦି ଯୋଗ କମିଟିର ଅଧ୍ୟକ୍ଷ ନୌଫ୍ ବିନ୍ତ୍ ମହମ୍ମଦ ଅଲ୍-ମରୌଇ କହିଛନ୍ତି,ଏତେ ସଂଖ୍ୟକ ଲୋକ ଆଗ୍ରହର ସହ ଯୋଗ କରିବା ଓ ସକରାତ୍ମକ ପ୍ରତିକ୍ରିୟା ଦେବା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ନିଜ ଭାଷଣରେ ନୌଫ୍ ବିନ୍ତ୍ କହିଥିଲେ ସରକାରଙ୍କ ବଡ ସହଯୋଗ ଯୋଗୁଁ ସାଉଦି ଆରବ ସବୁ କ୍ଷେତ୍ର ସହିତ ଲୋକଙ୍କ ଜୀବନ ଧାରଣରେ ମଧ୍ୟ ଉନ୍ନତି କରି ପାରିଛି । ସେ କହିଛନ୍ତି, ଏହି ଉତ୍ସବ ସଫଳ ହୋଇଛି, ସାଉଦି ଆରବର ଲୋକମାନେ ଯୋଗକୁ ସ୍ୱାଗତ କରିଛନ୍ତି ତେଣୁ ମୁଁ ଖୁସି ଓ ଏହା ସହିତ ଯୋଗ ବିଷୟରେ ଆମ ଚିନ୍ତାଧାରାକୁ ଗ୍ରହଣ କରିଥିବାରୁ ଆମେ ଅଧିକ ଖୁସି ।
ଯୋଗର ସକରାତ୍ମକ ଦିଗ ବିଷୟରେ ଚର୍ଚ୍ଚା କରି ନୌଫ୍ ବିନ୍ତ୍ କହିଥିଲେ, ଆମେ ପରିବାର ମଧ୍ୟରେ ଓ ଦେଶରେ ଯୋଗକୁ ଲୋକପ୍ରିୟ କରବାକୁ ଚାହୁଁଛୁ । ଆମେ ଚାହୁଁଛୁ ସାଉଦି ଆରବର ଲୋକମାନେ ପ୍ରତ୍ୟେକ ଦିନର ଆରମ୍ଭ ଯୋଗ ସହିତ କରନ୍ତୁ । ଯୋଗ କରିବାକୁ ୨୦ ମିନିଟରୁ ଅଧିକ ସମୟ ଲାଗେ ନାହିଁ, ଯୋଗ ସମସ୍ତେ କରିପାରିବେ । ଯୋଗ ଉତ୍ସବରେ ଯୋଗ ଦେଇଥିବା ଲୋକମାନେ ସକରାତ୍ମକ ପ୍ରତିକ୍ରିୟା ଦେଇଛନ୍ତି । ଏଠାକୁ ଆସିଥିବା ସମସ୍ତଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ମୁଁ ପରବର୍ତୀ ବର୍ଷର ଯୋଗ ଆୟୋଜନ ପାଇଁ ଉତ୍ସାହିତ ଅଛି ବୋଲି ସେ ଭାଷଣରେ କହିଛନ୍ତି ।
