ଅଶୋଧିତ ତୈଳ ବଜାରରେ ନିଆଁ, ୨୦୧୨ ପରେ ପ୍ରଥମଥର ପାଇଁ ସର୍ବାଧିକ
ନୂଆଦିଲ୍ଲୀ : ଋଷ ୟୁକ୍ରେନ୍ ଯୁଦ୍ଧ ଜାରି ରହିଛି । ଏହାର ପ୍ରଭାବରେ ଅଶୋଧିତ ତୈଳ ବଜାରରେ ହା ହା କାର ଦେଖିବାକୁ ମିଳିଛି । ଏହାର ପ୍ରଭାବ ଘରୋଇ ବଜାରରେ ମଧ୍ୟ ଦେଖିବାକୁ ମିଳୁଛି । ଯଦିଓ ବର୍ତ୍ତମାନ ତୈଳ ଦର ସ୍ଥିର ଅଛି କିନ୍ତୁ ଆଗାମୀ ୧୦ ଦିନରେ ୧୨ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି କୁହାଯାଉଛି । ବିଧାନସଭା ନିର୍ବାଚନ ପୂର୍ବରୁ ତୈଳ ଦର ବୃଦ୍ଧି ପାଇବା ନେଇ କୌଣସି ସମ୍ଭାବନା ମଧ୍ୟ ନାହିଁ । ଅନ୍ୟପଟେ ଋଷ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଛି । ଅଶୋଧିତ ତୈଳ ଦର କ୍ରୟ କରିବାରେ ବ୍ୟାରେଲ ପିଛା ୧୧୭.୩୯ ଡଲାର ହୋଇଯାଇଛି ।
ଏହି ଦର ୨୦୧୨ ପରେ ପ୍ରଥମଥର ପାଇଁ ସର୍ବାଧିକ ହୋଇଛି । ଯେତେବେଳେ ଗତବର୍ଷ ନଭେମ୍ବରରେ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ଉପରେ ରୋଗ ଲାଗିଥିଲା ସେତେବେଳେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୮୧.୫ ଡଲାର ଥିଲା । ଏଭଳି ପରିସ୍ଥିତିରେ ଖୁଚୁରା ଇନ୍ଧନ ବିକ୍ରେତାମାନେ ମାର୍ଚ୍ଚ ୧୬ ସୁଦ୍ଧା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୧୨ ଟଙ୍କାରୁ ଅଧିକ ବୃଦ୍ଧି କରିବା ଆବଶ୍ୟକ ପଡ଼ିପାରେ ବୋଲି କୁହାଯାଉଛି । ଆଇସିଆଇସିଆଇ ସିକ୍ୟୁରିଟି ଏକ ରିପୋର୍ଟରେ କହିଛି ଯେ ଗତ ଦୁଇ ମାସ ମଧ୍ୟରେ ଆନ୍ତର୍ଜାତୀୟ ତୈଳ ମୂଲ୍ୟ ବୃଦ୍ଧି ହେତୁ ଖୁଚୁରା ବ୍ୟବସାୟୀମାନେ ଏହାର ମୂଲ୍ୟ ପୁନରୁଦ୍ଧାର ପାଇଁ ମାର୍ଚ୍ଚ ୧୬, ୨୦୨୨ କିମ୍ବା ତା ପୂର୍ବରୁ ଲିଟର ପିଛା ୧୨.୧ବୃଦ୍ଧି କରି ପାରନ୍ତି । ଏଥି ସହିତ, ତୈଳ କମ୍ପାନୀଗୁଡିକର ମାର୍ଜିନକୁ ମିଶାଇଲେ ତୈଳ ଦର ୧୫.୧ ଟଙ୍କା ବୃଦ୍ଧି ହେବାର ଆବଶ୍ୟକତା ରହିବ ବୋଲି କୁହାଯାଉଛି ।
