ପୁରୀ ମହୋଦଧିରୁ ଭାସମାନ ପଥର ଉଦ୍ଧାର
ପୁରୀ : ପୁରୀ ମହୋଦଧିରୁ ଏକ ଭାସମାନ ପଥର ଉଦ୍ଧାର। ସମୁଦ୍ରକୁ ମୂର୍ତ୍ତି ବିସର୍ଜନ ପାଇଁ ଯାଇଥିବା ବେଳେ ମାଟିଆପଡା ଲେନ୍-୫ ଯୋଗମାୟା କଲୋନିର ସନ୍ତୋଷ କୁମାର ଜାଲି ନାମକ ଜଣେ ବ୍ୟକ୍ତି ଏହି ପଥରଟିକୁ ଦେଖିଥିଲେ। ଏହାକୁ ଆଣି ସେବାୟତ ଶମ୍ଭୁନାଥ ଖୁଣ୍ଟିଆଙ୍କୁ ଦେଇଥିଲେ। ପଥରର ଏହି ବିଶେଷତ୍ବକୁ ପରଖିବା ଲାଗି ଏହାକୁ ମାର୍କଣ୍ଡେୟ ପୁଷ୍କରିଣୀରେ ଭସାଇବାରୁ ପଥରଟି ସେଠାରେ ମଧ୍ୟ ଭାସିଥିଲା। ସୋସିଆଲ ମିଡିଆରେ ଏହି ଭାସମାନ ପଥର ସମ୍ପର୍କିତ ଖବର ପ୍ରଚାର ହେବାପରେ ଏହାକୁ ନେଇ ବିଭିନ୍ନ ମତ ପ୍ରକାଶ ପାଇଛି।
କେହି କେହି ଏହାକୁ ତ୍ରେତୟା ଯୁଗରେ ବନ୍ଧା ଯାଇଥିବା ସେତୁବନ୍ଧ ଶିଳା କହୁଥିବାବେଳେ କେହି ପଥରର ବିଶେଷତ୍ବ ପରଖିବା ପାଇଁ ଲାବୋରେଟୋରିକୁ ନେବା ପାଇଁ ମତ ରଖୁଛନ୍ତି। ଏନେଇ ଶ୍ରୀ ଖୁଣ୍ଟିଆ କହିଛନ୍ତି ସରକାରଙ୍କ ପକ୍ଷରୁ ଯଦି ଏହି ପଥର ସମ୍ପର୍କରେ ପରୀକ୍ଷାନିରୀକ୍ଷା କରାଯାଏ, ତେବେ ବାସ୍ତବ ତଥ୍ୟ ସାମ୍ନାକୁ ଆସିପାରନ୍ତା। ଏହା ଗବେଷଣାସାପେକ୍ଷ ହୋଇଥିବାରୁ ଏହାକୁ ଗୁରୁତ୍ବର ସହ ନେବାକୁ ପୁରୀ ସହରରେ ମତ ପ୍ରକାଶ ପାଇଛି।
