ନୀଳଗିରି ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଫ୍ଲାଗ୍ ମାର୍ଚ୍ଚ
ନୀଳଗିରି : ନୀଳଗିରି ନିର୍ବାଚନ ମଣ୍ଡଳୀରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଚାରକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଥିବାବେଳେ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ନିଜନିଜର କ୍ଷେତ୍ର ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ନୀଳଗିରି ଥାନା ପକ୍ଷରୁ ବିଭିନ୍ନ ସମ୍ବେଦନଶୀଳ ବୁଥ୍ ଏବଂ ଗ୍ରାମଗୁଡିକୁ ଚିହ୍ନଟ କରାଯାଇ ସେସବୁ ଉପରେ କଡ଼ା ନଜର ରଖାଯାଉଛି । ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ କରିବା ପାଇଁ ଆହ୍ୱାନ ଦେବା ସହ ଶୁକ୍ରବାର ନୀଳଗିରି ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି ।
ନୀଳଗିରି ଥାନା ଅନ୍ତର୍ଗତ ନରସିଂହପୁର, ରାଧାକୀଶ୍ୱରପୁର, କାଂଶ, ଧୋବୋଶିଳାଶ, କାଣ୍ଡଗରଡ଼ି, ଇଶ୍ୱରପୁର, ଶ୍ୟାମସୁନ୍ଦରପୁର ଆଦି ଗ୍ରାମରେ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି । ନୀଳଗିରି ଥାନା ଆଇଆଇସି ଦ୍ରୌପଦୀ ଦାସଙ୍କ ନେତୃତ୍ୱରେ ଏକ ପ୍ଲାଟୁନ୍ ପୋଲିସ ଫୋର୍ସ ଏବଂ ଥାନାର କର୍ମଚାରୀଙ୍କୁ ନେଇ ଏହି ଫ୍ଲାଗମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି । ହିଂସାତ୍ମକ କାର୍ଯ୍ୟ, ଚୋରି, ଡକାୟତି ଏବଂ ରାହାଜାନି ପ୍ରଭୃତି କାର୍ଯ୍ୟରୁ ନିବୃତ୍ତ ରହିବାକୁ ଜନସାଧାରଣଙ୍କୁ କୁହାଯାଇଛି । ଏପରିକି ପୂର୍ବରୁ ନିର୍ବାଚନ ସମୟରେ ବିଭିନ୍ନ ହିଂସାତ୍ମକ କାର୍ଯ୍ୟରେ ଜଡ଼ିତ ଥିବା ବ୍ୟକ୍ତିଙ୍କୁ ନୋଟିସ୍ ଜାରି କରାଯାଇଥିବା ବେଳେ ନିର୍ବାଚନ ସମୟରେ ହିଂସାକାଣ୍ଡ ଘଟାଇଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀଣୀ ପ୍ରକାଶ କରିଛନ୍ତି ।
