ଧଳା ଜହର ବିକ୍ରୀ କରୁଥିବା ଅଭିଯୋଗରେ ୫ ଗିରଫ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ଗୋପ ଟିଭି ସେଣ୍ଟର ପାଖରେ ଥିବା ଏକ ଘରେ ବେଆଇନ ଭାବେ ଧଳା ଜହର ବିକ୍ରୀ କରୁଥିବା ଅଭିଯୋଗରେ ଟାଉନ ଥାନା ପୋଲିସ ୫ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଏସମ୍ପର୍କରେ ବୁଧବାର ସନ୍ଧ୍ୟାରେ ଟାଉନ ଥାନା ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଟାଉନ ଥାନା ଭାରପ୍ର୍ାପ୍ତ ଇନିସପେକ୍ଟର ଗୈାରାଙ୍ଗ ଚରଣ ପୃଷ୍ଟି କହିଥିଲେ ଯେ ମଙ୍ଗଳବାର ଅପରାହ୍ନ ପ୍ରାୟ ୪ଟା ୧୦ ମିନିଟ ସମୟରେ ଏକ ବିଶେଷ ସୁତ୍ରରୁ ଖବର ପାଇ ସବଇନିସପେକ୍ଟର ରତିରଞ୍ଜନ ନାୟକଙ୍କ ନେତୃତ୍ୱରେ ଏଏସଆଇ ଶରତ ବାରିକ ଓ ଏଏସଆଇ ଆର. ପାଣିଙ୍କୁ ନେଇ ଗଠିତ ଏକ ଟିମକୁ ଗୋପସ୍ଥିତ ଟିଭି ସେଣ୍ଟର ନିକଟକୁ ପଠାଯାଇଥିଲା । ସେମାନେ ସେଠାରେ ଥିବା ଏକ ପରିତ୍ୟକ୍ତ ଘର ଉପରେ ଚଢାଉ କରିବାରେ ସେହି ଘର ଭିତରେ ଟାଉନ ଥାନା ଅନ୍ତର୍ଗତ ଫକିରାବାଦ ଗ୍ରାମର ସେକ ଓକିଲଙ୍କ ପୁଅ ସେକ ରାହିଲ(୨୪), ମହିପାଳ ଗ୍ରାମର ମୀର ସାମସୁଦ୍ଦିନଙ୍କ ପୁଅ ମୀର ନିଜାମୁଦ୍ଦିନ ଓରଫ ରାହୁଳ(୨୦), ସଦର ଥାନା ଅନ୍ତର୍ଗତ କପାଳେଶ୍ୱର ଗ୍ରାମର କାଳନ୍ଦି ନାୟକଙ୍କ ପୁଅ ଲକ୍ଷ୍ମୀଧର ନାୟକ ଓରଫ ନାଣ୍ଡୁ(୩୩), ମାର୍ଶାଘାଇ ଥାନା ଅନ୍ତର୍ଗତ ଅଙ୍ଗୁଳେଇ ଗ୍ରାମର ମଧୁସୁଦନ ପାତ୍ରଙ୍କ ପୁଅ ନାରାୟଣ ପାତ୍ର ଓରଫ ମଣ୍ଟୁ (୨୮)ଏବଂ କଟକ ଜିଲାର ମାହାଙ୍ଗା ଥାନା ଅନ୍ତର୍ଗତ ରଘୁନାଥ ନଗର ଗ୍ରାମର ଅଜିତ କୁମାର ସିହ୍ନାଙ୍କ ପୁଅ ସୁମିତ କୁମାର ସିହ୍ନା(୨୫) ବସି ବେଆଇନ ଭାବରେ ଧଳା ଜହର(ବ୍ରାଉନ ସୁଗାର) ବିକ୍ରୀ କରୁଥିବା ଦେଖିବାକୁ ପାଇଥିଲେ । ଏହି ଚଢାଉ ବେଳେ ପୋଲିସ ଏକଜିକ୍ୟୁଟିଭ ମ୍ୟାଜିଷ୍ଟେଟ ତଥା କେନ୍ଦ୍ରାପଡା ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ଅଭିଯୁକ୍ତ ସେକ ରାହିଲଙ୍କ ଠାରୁ ୫.୩୪ଗ୍ରାମର ଧଳା ଜହର(ବ୍ରାଉନ ସୁଗାର) ଜବତ କରିଥିଲା । ଏଥିସହିତ ତାଙ୍କ ଠାରୁ ନଗଦ ୭ହଜାର ୭ଶହ ଟଙ୍କା, ଏକ ଟିଭିଏସ ଆପଚେ ବାଇକ ନଂ- ଓଡି- ୨୯ଜେ- ୨୮୬୩, ଏକ ହିରୋ ଏକ୍ସଟ୍ରିମ ବାଇକ ନଂ- ଓଡି୨୧ଏମ -୯୮୩୩ ଏବଂ ୪ଟି ମୋବାଇଲ ଫୋନ ଅଭିଯୁକ୍ତମାନଙ୍କ ଠାରୁ ଜବତ କରାଯାଇଥିବା ପୋଲିସ କହିଛି । ଏହି ୫ଜଣ ଅଭିଯୁକ୍ତଙ୍କୁ ଗୁରୁବାର ଜିଲ୍ଲା ଦୈାରାଜଜଙ୍କ କୋର୍ଟକୁ ଚାଲାଣ କରାଯିବ ବୋଲି ଟାଉନ ଥାନା ଅଧିକାରୀ ଶ୍ରୀ ପୃଷ୍ଟି ସୂଚନା ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆଇ.ଆଇ. ସି. ସୁମନ୍ତ କିଷାନ, ଏସ.ଆଇ. ରତିରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
