ସମୁଦ୍ରରୁ ମାଛ ଧରିବା ମନା, ଚିନ୍ତାରେ ମତ୍ସ୍ୟଜୀବୀ
ସରକାର ଜାରି କଲେ ନିର୍ଦ୍ଦେଶ ନାମା
ବାଲିଆପାଳ : ବାଲେଶ୍ୱର ଜିଲା ଦକ୍ଷିଣ ବାଲିଆପାଳର ୨୪ କିଲୋମିଟର ସମୁଦ୍ର କୂଳିଆ ଅଞ୍ଚଳର ଲୋକମାନେ ସମୁଦ୍ରରୁ ନିତି ମାଛ ଧରି ଜୀବିକା ନିର୍ବାହ କରନ୍ତି । ସରକାର ମତ୍ସ୍ୟଜୀବୀ ମାନଙ୍କୁ ଏପ୍ରିଲ ୧୫ ଠାରୁ ଜୁନ ୧୪ ପର୍ଯ୍ୟନ୍ତ ୨ ମାସ ସମୁଦ୍ରରୁ ମାଛ ଧରିବା ଉପରେ ରୋକ ଲଗାଇଛନ୍ତି । ଯାହା ଫଳରେ ସମୁଦ୍ର ଉପରେ ନିର୍ଭର କରି ଚଳୁଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସମୟରେ ସମୁଦ୍ରରେ ମାଛ ମାନଙ୍କର ପ୍ରଜନନ ସମୟ । ସେଥିପାଇଁ ସରକାର ଏପ୍ରିଲ ୧୫ ତାରିଖରୁ ଜୁନ ୧୪ ତାରିଖ ପର୍ଯ୍ୟନ୍ତ ୬୦ ବା ଦୁଇ ମାସ ସମୁଦ୍ରରୁ ମାଛ ଧରା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମତ୍ସ୍ୟ ନିର୍ଦେଶାଳୟ ପକ୍ଷରୁ ଚିଠି ନମ୍ବର ୫୧୫୪ ମାଧ୍ୟମରେ ବିଧିବଦ୍ଧ ଭାବରେ ଘୋଷଣା ହେବା ପରେ ସମୁଦ୍ର ଉପରେ ନିର୍ଭର କରି ନିଜର ପରିବାର ଚଳୁଥିବା ହଜାର ହଜାର ମତ୍ସ୍ୟଜୀବୀ ପରିବାର ମୁଣ୍ଡରେ ଚଡକ ପଡ଼ିଛି । ଦୁଇମାସ ଘରେ ହାତ ବାନ୍ଧି ବସିବାକୁ ପଡ଼ିବ । ପରିବାର କେମିତି ଚାଲିବ । ସମୁଦ୍ରରୁ ମାଛ ଧରି ସମୁଦ୍ର କୂଳିଆ ହଜାର ହଜାର ମତ୍ସ୍ୟ ଜୀବୀଙ୍କ ପରିବାର ଏବେ ଚିନ୍ତାରେ ।
ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ନିୟମ ୧୯୮୨ ଅନୁଯାୟୀ ମାଛ ଓ କଇଁଛଙ୍କ ଅଣ୍ଡାଦାନ ସମୟ ହୋଇଥିବାରୁ ପ୍ରତିବର୍ଷ ଏହି ଦୁଇମାସ ସମୁଦ୍ରରେ ମାଛ ଧରା ବନ୍ଦ ରହିଥାଏ । ତେଣୁ ସମୁଦ୍ରକୁ ମାଛ ଧରିବାକୁ ଯାଉଥିବା ସମସ୍ତ ଯନ୍ତ୍ର ଚାଳିତ ଡଙ୍ଗା, ଟ୍ରଲର ଆଦି ସମୁଦ୍ରକୁ ନ ଯିବାକୁ ବିଧିବଦ୍ଧ ଭାବରେ ଘୋଷଣା କରାଯାଇଛି । ଫଳରେ ବାଲିଆପାଳ ବ୍ଲକର ସମୁଦ୍ର କୂଳିଆ ୨୪ କିମିରୁ ଅଧିକ ସୁଦୀର୍ଘ ବେଳାଭୂମିର ସମୁଦ୍ରରୁ ମାଛ ଧରି ପେଟ ପୋଷୁଥିବା ଲକ୍ଷାଧିକ ଲୋକ ଏବେ ରୋଜଗାର ଶୂନ୍ୟ । ଚଉମୁଖ ଠାରୁ ହଂସକରା ମୁହାଣ ପର୍ଯ୍ୟନ୍ତ ସମସ୍ତ ମତ୍ସ୍ୟଜୀବୀ ଜୀବିକା ହରାଇ କୂଳରେ ଡଙ୍ଗା ବାନ୍ଧି ବେକାର ହୋଇ ବସିବା ଫଳରେ ଜୀବନ ଜୀବିକା ବିପନ୍ନ ହୋଇଛି । ମୁହଁରୁ ହସ ଲିଭି ଯାଇଛି ।
ରାଜ୍ୟ ସରକାର ଓ ମତ୍ସ୍ୟ ବିଭାଗ ପକ୍ଷରୁ ଏହି ଦୁଇମାସ ମତ୍ସ୍ୟଜୀବୀ ମାନଙ୍କ ପାଇଁ ଆର୍ôଥକ ସହାୟତା ରାଶି ପ୍ରଦାନ କରାଯାଉନାହିଁ । ଏପରିକି ମତ୍ସ୍ୟ ଜୀବୀ ମାନଙ୍କ ତାଲିକା ଠିକ ଭାବରେ ପ୍ରସ୍ତୁତ ହେଉ ନାହିଁ । ଯାହା ଫଳରେ ସରକାରୀ ସହାୟତା ମିଳୁନାହିଁ ବୋଲି ମତ୍ସ୍ୟଜୀବୀ ମାନେ ଅଭିଯୋଗ କରିଛନ୍ତି । ବିଭାଗୀୟ ଅଧିକାରୀ ଏ ଦିଗରେ ପଦକ୍ଷେପ ନେଇ ସହାୟତା ପ୍ରଦାନ କରିବା ଅତ୍ୟନ୍ତ ଜରୁରୀ ହୋଇ ପଡିଛି । ସରକାର ଏବାବଦରେ ତୁରନ୍ତ ପଦକ୍ଷେପ ନେବା ପାଇଁ ମତ୍ସ୍ୟ ଜୀବୀ ସଂଘ ପକ୍ଷରୁ ସ୍ଥାନୀୟ ମତ୍ସ୍ୟ ଅଧିକାରୀଙ୍କୁ ନିବେଦନ କରିଛନ୍ତି ।
