ବାଲେଶ୍ୱର ଚିଟ୍ଫଣ୍ଡ ଅଦାଲତର ପ୍ରଥମ ରାୟ ପ୍ରକାଶ ! ୱାଇଜମ୍ୟାନ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଓ ନିର୍ଦ୍ଦେଶକଙ୍କୁ ୫ବର୍ଷ ଲେଖାଏଁ ଜେଲ୍
ବାଲେଶ୍ୱର : ବାଲେଶ୍ୱର ଚିଟ୍ଫଣ୍ଡ ଅଦାଲତର ପ୍ରଥମ ରାୟ ପ୍ରକାଶ । ଠକେଇ ଅଭିଯୋଗ ମାମଲାରେ ୱାଇଜମ୍ୟାନ ରିସୋର୍ସେସ ଲିମିଟେଡ଼ ନାମକ ଏକ ଚିଟ୍ଫଣ୍ଡ ସଂସ୍ଥାର ଦୁଇଜଣ ଦୋଷୀ ସାବ୍ୟସ୍ତ ହେବା ସହ ଅନ୍ୟ ୬ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଏହି ମାମଲାକୁ ବିଚାରକରି ମାନ୍ୟବର ବିଚାରପତି ସଦାଶିବ ଜେନା ଚିଟ୍ଫଣ୍ଡ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଅନୀଲ କୁମାର ପାତ୍ର ଓ ଅନ୍ୟତମ ନିର୍ଦ୍ଦେଶକ ପ୍ରଭାସ ଚନ୍ଦ୍ର ଜେନାଙ୍କୁ ଦୋଷୀ ସାବ୍ୟସ୍ତ କରି ୫ବର୍ଷ ଲେଖାଏଁ ଜେଲଦଣ୍ଡ ସହ ୪୦ହଜାର ଟଙ୍କା ଲେଖାଏଁ ଜରିମାନାର ରାୟ ଶୁଣାଶି କରିଛନ୍ତି । ଏଥିସହ ଜରିମାନା ଅନାଦେୟରେ ଅଧିକ ୬ମାସ ଜେଲଦଣ୍ଡ ଭୋଗିବାର ରାୟରେ ଉଲ୍ଲେଖ ରହିଛି । ସେହିପରି ଏହି ମାମଲାରେ ମାନ୍ୟବର ବିଚାରପତି ଆଜି ରାୟ ଶୁଣାଣି କରି ଦୁଇଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଅନ୍ୟ ୬ଅଭିଯୁକ୍ତଙ୍କୁ ନିର୍ଦୋଷରେ ଖଲାସ କରିଥିଲେ ।
ସୂଚନା ଯେ, ବାଲେଶ୍ୱରରେ ଏକାଧିକ ଜମାକାରୀଙ୍କୁ ଲୋଭନୀୟ ସ୍କିମ ଜରିଆରେ ଏହି ଠକସଂସ୍ଥା ଜିଲାରୁ ବିପୁଳ ଅର୍ଥ ସଂଗ୍ରହ କରିଥିଲା । ଗତ ୨୦୧୨ରେ ଶିଳ୍ପାଞ୍ଚଳ ଥାନା ଅଧିନ ବାମପଦା ଗ୍ରାମର ରବି ନାରାୟଣ ସାହୁଙ୍କୁ କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର ତଥା ସିଂଲା ଥାନା ଅଧିନ ବଢ଼ାଣ ଗ୍ରାମର ଅନୀଲ କୁମାର ପାତ୍ର ଏବଂ ସହଯୋଗୀ ଏମ୍ଆଇଏସ୍ ସ୍କିମରେ ଅଧିକ ସୁଧ କହିବାରୁ ସେ ୨ଲକ୍ଷ ଟଙ୍କା ଜମା କରିଥିଲେ । ମାତ୍ର ୯ମାସ ମାସ ୫ହଜାର ୮୪୦ଟଙ୍କା ଲେଖାଏଁ ତାଙ୍କ ଆକାଉଣ୍ଟକୁ ସୁଧ ଆକାରରେ ମିଳିଥିଲା । ହେଲେ ପରେ ସେ ନପାଇବାରୁ ଆସି ଦେଖନ୍ତିତ କମ୍ପାନୀର କାର୍ଯ୍ୟାଳୟ ବନ୍ଦ ହୋଇଯାଇଛି । ଟଙ୍କା ପାଇଁ ସେ ଦୌଡ଼ି ଦୌଡ଼ି ନିରାଶ ହୋଇ ଶେଷରେ ସହଦେବଖୁଣ୍ଟା ମଡ଼େଲ ଥାନାରେ ୱାଇଜମ୍ୟାନର ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ପାତ୍ର ଓ ସହଯୋଗୀଙ୍କ ନାମରେ ଅଭିଯୋଗ କରିଥିଲେ । ଏ ନେଇ ସହଦେବଖୁଣ୍ଟା ଥାନାରେ ମାମଲା (ନଂ. ୨୦୬/୧୪) ରୁଜୁ କରାଯାଇଥିଲା । ଥାନା ପକ୍ଷରୁ ମ୍ୟାନେଜିଂ ଡାଇରେକ୍ଟର ଅନୀଲ କୁମାର ପାତ୍ର, ନିର୍ଦ୍ଦେଶକ ତଥା ସିଂଲା ଥାନା ଅଧିନ ନିଶନ୍ତପୁର ଗ୍ରାମର ପ୍ରଭାସ ଚନ୍ଦ୍ର ଜେନା, ଯାଜପୁର ଜିଲା ଡୋଭବିଲ ଗ୍ରାମର ଦିଲ୍ଲୀପ କର, ବରହମପୁର ଥାନା ଅଧିନ ବାଲିସାହି ଗ୍ରାମର ରମେଶ କୁମାର ପାତ୍ର, ସିଂଲା ଥାନା ଅଧିନ ପଣହା ଗ୍ରାମର ପ୍ରଭାସ ଦତ୍ତ, ନୀଳଗିରି ଥାନା ଅଧିନ ପୁରୁଣାଗାଁ ଗ୍ରାମର ସତ୍ୟାନନ୍ଦ ପାତ୍ର, ବସ୍ତା ଥାନା ଅଧିନ ଦୁଣ୍ଡ ଗ୍ରାମର ରବୀନ୍ଦ୍ର ବିଶ୍ୱାଳ, ଶକୁନ୍ତଳା ବିଶ୍ୱାଳଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ଥାନାରେ ରୁଜୁ ଏହି ମାମଲା ବାଲେଶ୍ୱର ସ୍ଥିତ ଚିଟଫଣ୍ଡ ଅଦାଲତରେ ବିଚାରଧୀନ ଥିଲା । ଉକ୍ତ ଥାନା ମାମଲା ଓ ଚିଟ୍ଫଣ୍ଡ ଅଦାଲତ ମାମଲା ନଂ. ୭(ସି)୨୦୧୪ ର ବିଚାରକରି ମାନ୍ୟବର ବିଚାରପତି ଉପରୋକ୍ତ ଦଣ୍ଡ ରାୟ ଶୁଣାଣି କରିଛନ୍ତି । ସରକାରଙ୍କ ପକ୍ଷରୁ ଏହି ଠକେଇ ମାମଲାକୁ ବରିଷ୍ଠ ଆଇନଜୀବୀ ତଥା ଚିଟଫଣ୍ଡ ଅଦାଲତର ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା ମୋକଦ୍ଦମା ପରିଚାଳନା କରିଥିଲେ ।
