ପ୍ରଥମ ଟେଷ୍ଟ : ଟସ୍ ଜିତି ବାଂଲାଦେଶ ବିପକ୍ଷରେ ଭାରତର ବ୍ୟାଟିଂ ନିଷ୍ପତ୍ତି
ଢାକା: ଭାରତ ଓ ବାଂଲାଦେଶ ମଧ୍ୟରେ ଆଜି ଠାରୁ ଦୁଇ ମ୍ୟାଚ୍ ବିଶିଷ୍ଟ କ୍ରିକେଟ୍ ସିରିଜ୍ର ପ୍ରଥମ ଟେଷ୍ଟ ମ୍ୟାଚ୍ ଅନୁଷ୍ଠିତ ହେବ। ଚଳିତ ଆଇସିସି ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ର ଫାଇନାଲ୍କୁ ଯୋଗ୍ୟତା ଅର୍ଜନ ଲାଗି ଏହା ଭାରତୀୟ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ। ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ବିନା ଭାରତ ଏହି ଶୃଙ୍ଖଳା ଖେଳିବାକୁ ଯାଉଥିବାରୁ ରାହୁଲ ଦ୍ରାବିଡ଼ଙ୍କ ଯୋଜନା ମଧ୍ୟ ଅଗ୍ନି ପରୀକ୍ଷାରେ ରହିବ। ଏପରିକି କେଲ୍ ରାହୁଲଙ୍କ ନେତୃତ୍ବର ମଧ୍ୟ ପରୀକ୍ଷା ହେବ। ଆଜିଠାରୁ ଆରମ୍ଭ ହୋଇଥିବା ପ୍ରଥମ ମ୍ୟାଚ୍ରେ ଭାରତର କାମଚଳା ଅଧିନାୟକ କେଏଲ ରାହୁଲ ଟସ୍ ଜିତିଛନ୍ତି। ଏଥିସହ ଭାରତ ପ୍ରଥମେ ବ୍ୟାଟିଂ କରିବ ବୋଲି ସେ ନିଷ୍ପତ୍ତି ନେଇଛନ୍ତି। ୩ଟି ଯାକ ଦିନିକିଆରେ ଟସ୍ ହାରିଥିବା ଭାରତ ଆଜି ପ୍ରଥମଥର ବାଂଲାଦେଶ ବିପକ୍ଷରେ ଟସ୍ ଜିତିଛି।
ଆହତ କାରଣରୁ ରୋହିତ ଶର୍ମା ପ୍ରଥମ ଟେଷ୍ଟରୁ ବାଦ ପଡ଼ିଥିବାରୁ କେଏଲ ରାହୁଲ ଦଳର କମାଣ ସମ୍ଭାଳୁଛନ୍ତି। ଆଜି ତାଙ୍କ ସହ ଶୁବମନ ଗିଲ୍ ଭାରତ ପାଇଁ ଇନିଂସ ଆରମ୍ଭ କରିବେ। ଦଳର ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା, ବିରାଟ କୋହଲି, ଶ୍ରେୟସ ଆୟର, ଋଷଭ ପନ୍ତ, ଅକ୍ଷର ପଟେଲ, ରବି ଅଶ୍ୱିନ, କୁଲଦୀପ ଯାଦବ, ମହମ୍ମଦ ସିରାଜ ଓ ଉମେଶ ଯାଦବ ରହିଛନ୍ତି। ଏହାର ଅର୍ଥ ଦଳ ୩ ସ୍ପିନର ଓ ୨ ପେସ ବୋଲର କମ୍ବିନେସରେ ମୈଦାନକୁ ଓହ୍ଲାଇଛି।
ଅନ୍ୟପକ୍ଷରେ ପ୍ରାୟ ୫ ମାସ ପରେ ବାଂଲାଦେଶ ଟେଷ୍ଟ ମ୍ୟାଚ୍ ଖେଳିବାକୁ ପଡ଼ିଆକୁ ଓହ୍ଲାଇଛି। ମ୍ୟାଚ୍ ପୂର୍ବରୁ ଅଧିନାୟକ ସାକିବ ଅଲ ହାସନଙ୍କ ଫିଟନେସକୁ ନେଇ ଆଶଙ୍କା ପ୍ରକାଶ ପାଇଥିଲା। ତେବେ ସେ ଫିଟ ହୋଇଛନ୍ତି ଓ ଆଜିର ମ୍ୟାଚ୍ରେ କ୍ୟାପ୍ଟେନ୍ସି ମଧ୍ୟ କରୁଛନ୍ତି। ଭାରତ ଭଳି ବାଂଲାଦେଶ ମଧ୍ୟ ୩ ସ୍ପିନର, ୨ ପେସର ଓ ୬ ଜଣ ବ୍ୟାଟର୍ସଙ୍କୁ ଖେଳାଉଛି। ବାଂଲାଦେଶ ପାଇଁ ଆଜି ଟପ ଅର୍ଡର ବ୍ୟାଟର ଜାକିର ହାସନ ଡେବ୍ୟୁ କରୁଛନ୍ତି।
ଭାରତ ସମ୍ଭାବ୍ୟ ଏକାଦଶ : ଶୁବମନ ଗିଲ୍, କେଏଲ୍ ରାହୁଲ୍ (ଅଧିନାୟକ), ଚେତେଶ୍ବର ପୂଜାରା, ବିରାଟ କୋହଲି, ଶ୍ରେୟସ ଆୟର୍, ଋଷଭ ପନ୍ତ୍ (ୱିକେଟରକ୍ଷକ), ଅକ୍ଷର ପଟେଲ୍, ରବିଚନ୍ଦ୍ରନ ଅଶ୍ବିନ, ଶାର୍ଦୁଳ ଠାକୁର, ଉମେଶ ଯାଦବ, ମହମ୍ମଦ ସିରାଜ।
ବାଂଲାଦେଶ ସମ୍ଭାବ୍ୟ ଏକାଦଶ : ମହମ୍ମଦୁଲ ହାସନ୍ ଜୟ, ଜାକିର ହାସନ୍, ନଜମୁଲ ହୋସେନ୍ ସାଣ୍ଟୋ, ମୁସ୍ଫିକର ରହିମ୍, ସକିବ୍ ଅଲ୍ ହାସନ୍ (ଅଧିନାୟକ), ଲିଟନ୍ ଦାସ, ନୁରୁଲ ହାସନ୍ (ୱିକେଟରକ୍ଷକ), ମେହିଦି ହାସନ୍ ମିରାଜ, ଏବାଦତ ହୋସେନ୍, ଖାଲିଦ ଅହମ୍ମଦ, ତୈଜୁଲ ଇସଲାମ୍।
