ପ୍ରଥମ ଟି-୨୦ : ଟସ ଜିତି ଶ୍ରୀଲଙ୍କାର ବୋଲିଂ ନିଷ୍ପତ୍ତି, ବିଜୟ ଲକ୍ଷ୍ୟରେ ଭାରତ
ଡେବ୍ୟୁ ମ୍ୟାଚ୍ ଖେଳିବେ ଶୁଭମନ ଗିଲ ଏବଂ ଶିଭମ ମାଭି
ମୁମ୍ୱାଇ : ଆଜିଠୁ ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ ମୁକାବିଲା । ମୁମ୍ୱାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ । ଏଥିରେ ଶ୍ରୀଲଙ୍କା ଅଧିନାୟକ ଦଶୁନ ଶନାକା ଟସ ଜିତି ବୋଲିଂ ନିଷ୍ପତ୍ତି ନେବା ସହ ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି । ଉଭୟ ଭାରତ ଏବଂ ଶ୍ରୀଲଙ୍କା ଟିମ ନୂଆବର୍ଷର ଯାତ୍ରା ପ୍ରଥମ ମ୍ୟାଚର ବିଜୟରୁ ଆରମ୍ଭ କରିବାକୁ ଚାହିଁବେ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ବର୍ଷର ପ୍ରଥମ ମ୍ୟାଚ୍ ଜିତିବା ଲକ୍ଷ୍ୟ ରଖିଛି । ଶୁଭମନ ଗିଲ ଏବଂ ଶିଭମ ମାଭି ଆଜି ତାଙ୍କର ଡେବ୍ୟୁ ମ୍ୟାଚ୍ ଖେଳିବେ । ଗିଲଙ୍କ ଏହା ତୃତୀୟ ଫର୍ମାଟ୍ ଡେବ୍ୟୁ ହୋଇଥିବା ବେଳେ ମାଭିଙ୍କ ପାଇଁ ଏହା ତାଙ୍କର ପ୍ରଥମ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ହେବ ।
ଟିମ୍ ଇଣ୍ଡିଆ ଆଜି ଶ୍ରୀଲଙ୍କା ବିପକ୍ଷରେ ୨୦୨୩ ବର୍ଷର ପ୍ରଥମ ମ୍ୟାଚ୍ ଖେଳିବ । ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ସନ୍ଧ୍ୟା ୭ଟା ରୁ ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ। ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ପରି ସିନିୟରଙ୍କ ବିନା ଦଳ ପଡିଆକୁ ଓହ୍ଲାଇବ। ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏହି ସିରିଜରେ ଭାରତର ନେତୃତ୍ବ ନେବେ। ଏହି ମ୍ୟାଚରେ ବିଜୟ ସହ ଭାରତର ଯୁବ ବ୍ରିଗେଡ୍ ବର୍ଷ ଆରମ୍ଭ କରିବାକୁ ଚାହିଁବ। ଅନ୍ୟପକ୍ଷରେ ଏସୀୟ ଚାମ୍ପିୟନ ଶ୍ରୀଲଙ୍କା ନୂଆ ଚେହେରା ସହ ଭାରତକୁ ତା ମାଟିରେ ହରାଇବାକୁ ଲକ୍ଷ୍ୟରେ ରହିବ। ରୋହିତ ଶର୍ମା, ବିରାଟ କୋହଲି, କେ.ଏଲ୍ ରାହୁଲ, ଜସପ୍ରୀତ ବୁମ୍ରା ଏବଂ ରବିନ୍ଦ୍ର ଜାଡେଜାଙ୍କ ପରି ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତିରେ ଟିମ୍ ଇଣ୍ଡିଆ ଖେଳୁଛି। ଷ୍ଟାର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବଙ୍କୁ ଟି-୨୦ ସିରିଜ ପାଇଁ ଭାରତର ଉପଅଧିନାୟକ କରାଯାଇଛି।
୨୦୨୨ ମସିହାରେ ଆୟର୍ଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମ ଥର ପାଇଁ ଭାରତର ଅଧିନାୟକ ହୋଇଥିଲେ। ଏହା ପରେ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ମଧ୍ୟ ସେ ଦଳର ଅଧିନାୟକତ୍ୱକୁ କରିଥିଲେ। ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଭାରତ ଏପର୍ଯ୍ୟନ୍ତ ୫ ଟି-୨୦ ମ୍ୟାଚ୍ ଖେଳିଛି। ସେଥିମଧ୍ୟରୁ ୪ଟି ଜିତିଥିଲା ଏବଂ ଗୋଟିଏ ମ୍ୟାଚ୍ ଟାଇ ରହିଥିଲା । ଏହି ସିରିଜ ପରେ ହାର୍ଦ୍ଦିକ ପାଣ୍ଡ୍ୟା ତିନିଟି ଦିନିକିଆ ସିରିଜ ପାଇଁ ଦଳର ଉପ-ଅଧିନାୟକ ହେବେ। ରୋହିତ ଶର୍ମା ଅଧିନାୟକ ହେବେ।
ଓ୍ବାଙ୍ଖେଡେ ଷ୍ଟାଡିୟମରେ ଏପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ଗୋଟିଏ ଟି-୨୦ ଖେଳାଯାଇଛି। ଏଥିରେ ଭାରତ ୫ ୱିକେଟରେ ଜିତିଥିଲା । ଭାରତ ଏହି ଗ୍ରାଉଣ୍ଡରେ ଏପର୍ଯ୍ୟନ୍ତ ୪ଟି ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛି। ଏଥିମଧ୍ୟରୁ ୨ଟି ଜିତିଥିବା ବେଳେ ୨ଟିରେ ହାରିଛି ।
ମୋଟ ଉପରେ ଏପର୍ଯ୍ୟନ୍ତ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୨୬ ଟି-୨୦ ଆନ୍ତର୍ଜାତୀୟ ଖେଳାଯାଇଛି। ଭାରତ ୧୭ ଏବଂ ଶ୍ରୀଲଙ୍କା ୮ଟି ମ୍ୟାଚ ଜିତିଛି। ଗୋଟିଏ ମ୍ୟାଚର ଫଳାଫଳ ବାହାରିନି । ଭାରତର ଦୁଇ ଦଳ ମଧ୍ୟରେ ୧୪ ଟି-୨୦ ଆନ୍ତର୍ଜାତୀୟ ଖେଳାଯାଇଥିବା ବେଳେ ଭାରତ ୧୨ଟି ଓ ଶ୍ରୀଲଙ୍କା ମାତ୍ର ୨ଟି ଜିତିଛି ।
ଭାରତୀୟ ଦଳ : ଇଶନ କିଶନ, ଶୁଭମନ ଗିଲ, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀପକ ହୁଡ୍ଡା, ଅକ୍ଷର ପଟେଲ, ହର୍ଷଲ ପଟେଲ, ଶିଭମ ମାଭି, ଉମରାନ ମଲିକ, ଯୁଜଭେନ୍ଦ୍ର ଚହଳ ।
ଶ୍ରୀଲଙ୍କା ଦଳ : ପଥୁମ ନିଶଙ୍କ, କୁସଲ ମେଣ୍ଡିସ, ଧନଞ୍ଜୟ ଡି ସିଲଭା, ଚରିତ ଅସଲଙ୍କା, ଭାନୁକା ରାଜପକ୍ଷେ, ଦାସୁନ ଶନାକା, ବାନିନ୍ଦୁ ହସରଙ୍ଗା, ଚମିକା କରୁଣାରତ୍ନେ, ମହେଶ ଥିକ୍ଷଣା, କସୁନ ରାଜିଥା ଏବଂ ଦିଲଶାନ ମଦୁଶଂକା ।
