ପ୍ରଥମ ଟି-୨୦ : ୮ ୱିକେଟରେ ଜିତିଲା ଭାରତ
ତିରୁଅନନ୍ତପୁରମ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ ବିଶିଷ୍ଟ ଟି- ୨୦ ସିରିଜ୍ର ଆଜି ପ୍ରଥମ ଟି-୨୦ ମ୍ୟାଚରେ ବିଜୟୀ ହୋଇଛି ଭାରତ। ପ୍ରଥମେ ବ୍ୟାଟିଂ କରି ଭାରତକୁ ୧୦୭ ରନ୍ ଟାର୍ଗେଟ ଦେଇଥିଲା ଦକ୍ଷିଣ ଆଫ୍ରିକା। ଯାହାର ପିଛା କରି ଭାରତ ମାତ୍ର ଦୁଇ ୱିକେଟ୍ ହରାଇ ୧୬.୪ ଓଭର୍ରେ ଭାରତ ୨ ୱିକେଟ ହରାଇ ୧୧୦ ରନ୍ କରି ମ୍ୟାଚ୍ ଜିତି ନେଇଛି।
ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ଦକ୍ଷିଣ ଆଫ୍ରିକାକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭ୍ରମଣକାରୀ ଦଳ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ୮ ଓଭରରେ ୪୨ ରନ୍ କରି ୬ଟି ୱିକେଟ୍ ହରାଇଥିଲା। ଲାଗୁଥିଲା, ସେମାନେ ନିର୍ଦ୍ଧାରିତ ୨୦ ଓଭର ଖେଳିପାରିବେ ନାହିଁ ଓ ଅତିବେଶୀରେ ୬୦/୭୦ ରନ୍ ଭିତରେ ଅଲ୍ଆଉଟ୍ ହୋଇଯିବେ। କିନ୍ତୁ ୱେନ ପାର୍ନେଲ ଓ କେଶବ ମହାରାଜ ସ୍ଥିତିକୁ ସମ୍ଭାଳି ନେଇଥିଲେ ଏବଂ ଦଳକୁ ଲଜ୍ଜାଜନକ ସ୍ଥିତିରୁ ଉଦ୍ଧାର କରିଥିଲେ। ୱେନ ପାର୍ନେଲଙ୍କ ୨୪ ରନ୍ (୩୭ ବଲ୍, ୧ ଚୌକା ଓ ୧ ଛକା) ଓ କେଶବ ମହାରାଜଙ୍କ ୪୧ ରନ୍ (୩୫ ବଲ୍, ୫ ଚୌକା ଓ ୨ ଛକା) ସହାୟତାରେ ଦଳ ନିର୍ଦ୍ଧାରିତ ଓଭରରେ ୧୦୬ ରନ୍ କରିବାକୁ ସକ୍ଷମ ହେଲା। ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଓଭରରେ ଲାଗିଥିଲା ପ୍ରଥମ ଝଟକା। ଆଉଟ୍ ହୋଇଯାଇଥିଲେ ଅଧିନାୟକ ତେମ୍ବା ବଭୂମା। ସେ ଖାତା ଖୋଲିପାରି ନଥିଲେ। ତାଙ୍କୁ ବୋଲ୍ଡ କରିଥିଲେ ଦୀପକ ଚହର। ଆଉ ଦ୍ୱିତୀୟ ଓଭର ଦଳ ପାଇଁ ଆଣିଥିଲା ସବୁଠୁ ବଡ଼ ବିପର୍ଯ୍ୟୟ। ଏହି ଓଭରରେ ଦଳ ୩ଟି ୱିକେଟ୍ ହରାଇଥିଲା। ଅର୍ଶଦୀପ ସିଂହଙ୍କ ଏହି ଓଭରର ଦ୍ୱିତୀୟ ବଲ୍ରେ ଆଉଟ୍ ହୋଇଥିଲେ ଓପନର କ୍ୱିଣ୍ଟନ ଡି’କକ୍। ସେ ମାତ୍ର ୧ ରନ୍ କରିଥିଲେ। ସେ ଅର୍ଶଦୀପଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଏହି ଓଭରର ପଞ୍ଚମ ବଲ୍ରେ ଆଉଟ୍ ହୋଇଥିଲେ ରିଲେ ରୋସୁ। ସେ ଋଷଭ ପନ୍ତଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ରିଲେ ରୋସୁ ବି ଖାତା ଖୋଲି ପାରି ନଥିଲେ। ଶେଷରେ ଏହି ଓଭରର ଶେଷ ବଲ୍ରେ ଆଉଟ୍ ହୋଇଥିଲେ ଡାଭିଡ ମିଲର। ଅର୍ଶଦୀପ ତାଙ୍କୁ ବୋଲ୍ଡ କରି ଦେଇଥିଲେ। ଡାଭିଡ ମିଲର ଶୂନରେ ଆଉଟ୍ ହୋଇଥିଲେ। ତୃତୀୟ ଓଭରର ତୃତୀୟ ବଲରେ ତ୍ରିସ୍ତାନ ଷ୍ଟବ୍ସଙ୍କୁ ପ୍ୟାଭିଲିୟନ ପଠାଇଥିଲେ ଦୀପକ ଚହର। ଅର୍ଶଦୀପ ସିଂହଙ୍କ ଦ୍ୱାରା କ୍ୟାଚ୍ ହୋଇଥିଲେ ତ୍ରିସ୍ତାନ। ସେ ଖାତା ଖୋଲି ପାରି ନଥିଲେ। ଏହା ପରେ ଦକ୍ଷିଣ ଆଫ୍ରିକାର କ୍ରମାଗତ ଆଉଟ୍ ପ୍ରକ୍ରିୟାରେ ଟିକେ ବ୍ରେକ୍ ଲାଗିଥିଲା। ୱେନ ପାର୍ନେଲ ଓ ଏଡେନ ମାର୍କମ ସ୍ଥିତିକୁ ସମ୍ଭାଳିବାକୁ ପ୍ରୟାସ କରିଥିଲେ। ତେବେ ୨୪ ବଲ୍ରୁ ୨୫ ରନ୍ କରିଥିବା ଏଡେନ ମାର୍କମ ଅଷ୍ଟମ ଓଭରରେ ଆଉଟ୍ ହୋଇଯାଇଥିଲେ। ସେତେବେଳକୁ ଦଳୀୟ ସ୍କୋର ମାତ୍ର ୪୨ ରନ୍ରେ ପହଞ୍ଚିଥିଲା ଓ ୬ ଜଣ ଆଉଟ୍ ହୋଇସାରିଥିଲେ। ତେବେ ୱେନ ପାର୍ନେଲ ଓ କେଶବ ମହାରାଜ ସ୍ଥିତିକୁ ସମ୍ଭାଳି ନେଇଥିଲେ। କେଶବ ୧୯.୧ ଓଭରରେ ଆଉଟ୍ ହେଲା ବେଳକୁ ଦଳୀୟ ସ୍କୋର ୧୦୧ରେ ପହଞ୍ଚିଥିଲା। ଭାରତ ପକ୍ଷରୁ ଅର୍ଶଦୀପ ସିଂହ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ଦୀପକ ଚହର ଓ ହର୍ଷଲ ପଟେଲ ୨ଟି ଲେଖାଏଁ ୱିକେଟ୍ ନେଇଛନ୍ତି। ଅକ୍ଷର ପଟେଲ ଗୋଟିଏ ୱିକେଟ୍ ନେବାରେ ସଫଳ ହୋଇଥିଲେ।
ତେବେ ଟାର୍ଗେଟ୍କୁ ପିଛା କରି ବ୍ୟାଟିଂ ପାଇଁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା। ତୃତୀୟ ଓଭର ଚାଲିଥିବା ବେଳେ ରୋହିତ ଶର୍ମାଙ୍କୁ ଆଉଟ ହୋଇଯାଇଥିଲେ। କାଗିସୋ ରାବଡ଼ା ତାଙ୍କୁ ଆଉଟ୍ କରିଦେଇଥିଲେ। ସେହିପରି ୭ ଓଭର ବେଳକୁ ବିରାଟ କୋହଲିଙ୍କ ୱିକେଟ୍ ଯାଇଥିଲା। ସେ ୯ ବଲ୍ ଖେଳି ମାତ୍ର ୩ ରନ୍ କରିଥିବା ବେଳେ ଏନରିକ୍ ନୋର୍ଟଜେ ତାଙ୍କୁ ଆଉଟ କରିଥିଲେ। ୬ ଓଭର ବେଳକୁ ଭାରତ ମାତ୍ର ୧୭ ରନ୍ କରି ଦୁଇ ୱିକେଟ୍ ହରାଇ ସାରିଥିଲା। କୋହଲିଙ୍କ ୱିକେଟ୍ ଯିବା ପରେ ତୃତୀୟ ୱିକେଟ୍ ପାଇଁ ଆସିଥିବା ସୂର୍ଯ୍ୟ କୁମାର ଯାଦବ ଲଗାତର ବାଉଣ୍ଡ୍ରୀ ଲଗାଇ ରନ୍କୁ ଆଗକୁ ନେବାକୁ ଚେଷ୍ଟା କରିଥିଲେ। କେ ଏଲ୍ ରାହୁଲ ଓ ସୂର୍ଯ୍ୟ କୁମାର ଯାଦବ ବ୍ୟାଟିଂ ଜାରି ରଖିଥିବା ବେଳେ ୧୦ ଓଭର ବେଳକୁ ଦଳର ସ୍କୋର ୨ ୱିକେଟ୍ ବିନିମୟରେ ୪୭ ହୋଇଥିଲା। ମ୍ୟାଚ୍ ଜିତିବାକୁ ୬୦ ବଲ୍ରେ ୬୦ ରନ୍ର ଆବଶ୍ୟକତା ପଡ଼ୁଥିଲା। ଗୋଟିଏ ପଟେ ସୂର୍ଯ୍ୟ କୁମାର ଯାଦବ ବିସ୍ଫୋରକ ବ୍ୟାଟିଂ କରିବାକୁ ଚେଷ୍ଟା କରୁଥିବା ବେଳେ ରାହୁଲ ରକ୍ଷଣାତ୍ମକ ଶୈଳୀରେ ଖେଳ ଜାରି ରଖିଥିଲେ। ୧୫ ଓଭର ବେଳକୁ ଭାରତ ୯୧ ରନ୍ ସଂଗ୍ରହ କରିପାରି ଥିଲା। ଶେଷ ବେଳକୁ ଉଭୟ ବ୍ୟାଟ୍ସମ୍ୟାନ୍ ଅର୍ଦ୍ଧ ଶତକ ହାସଲ କରିଥିବା ବେଳେ ରାହୁଲ ଛକ୍କା ମାରି ମ୍ୟାଚ୍ ଜିତାଇଥିଲେ। ଟିମ୍ ଇଣ୍ଡିଆ ମାତ୍ର ୧୬.୪ ବଲ୍ରେ ୨ ୱିକେଟ୍ ବିନିୟମରେ ୧୧୦ ରନ୍ କରି ମ୍ୟାଚ୍ ଜିତି ନେଇଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ କାଗିସୋ ରବାଡ଼ା ଓ ଏନ୍ରିକ୍ ନୋର୍ଟ୍ଜେ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।
