ନାରୀଶକ୍ତି ସଙ୍ଗଠନର ପ୍ରଥମ ବାର୍ଷିକ ମହୋତ୍ସବ
ରେମୁଣା : ବାଲେଶ୍ୱର ଜିଲା ରେମୁଣା ନୂଆଗାଁ ଗ୍ରାମପଞ୍ଚାୟତର ଦିଖାପଦା ସ୍ଥିତ କପିଳମୁନି ନିକଟସ୍ଥ ମୁନି ପଡ଼ିଆରେ ନାରୀଶକ୍ତି ସଙ୍ଗଠନର ପ୍ରଥମ ବାର୍ଷିକ ମହୋତ୍ସବ ଧୁମ୍ଧାମ୍ରେ ପାଳିତ ହୋଇଛି । ନାରୀଶକ୍ତି ସଙ୍ଗଠନର ରାଜ୍ୟ ସଭାପତି ରେଣୁ ବିଶ୍ୱାଳ ସଭା ପରିଚାଳନା କରିଥିଲେ । ନାରୀ ଶକ୍ତି ନୂଆଗାଁ ଶାଖାର ସଭାପତି ସତ୍ୟଭାମା ପଣ୍ଡା ଅତିଥିଙ୍କର ପରିଚୟ ପ୍ରଦାନ କରିଥିଲେ । ଶାଖାର ଉପ-ସଭାପତି ଶାକମ୍ବରୀ ସିଂ ବାର୍ଷିକ ବିବରଣୀ ପାଠ କରିଥିଲେ ।
ମୁଖ୍ୟ ଅତିଥି ଭାବେ ସମାଜସେବୀ ବଳରାମ ସେଠୀ ଯୋଗଦେଇ ନାରୀମାନଙ୍କର ଭୂମିକା ସମ୍ପର୍କରେ ବାର୍ତ୍ତା ଦେଇଥିଲେ । ମୁଖ୍ୟବକ୍ତା ଭାବେ ନୂଆଗାଁ ଗ୍ରାମପଞ୍ଚାୟତ ସରପଞ୍ଚ ସୁବ୍ରତ ଦାସ ନାରୀମାନଙ୍କର ସୁରକ୍ଷା ଦିଗରେ ନାରୀମାନଙ୍କୁ ସୁସଙ୍ଗଠିତ ହେବା ପାଇଁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ନୂଆଗାଁ ଗ୍ରାମପଞ୍ଚାୟତ ସମିତିସଭ୍ୟ କାର୍ତ୍ତିକ ପାତ୍ର ନାରୀମାନଙ୍କର ସମାଜ ପାଇଁ ଅବଦାନ ସମ୍ପର୍କରେ ଅଭିଭାଷଣ ରଖିଥିଲେ । ପରେ ସଙ୍ଗଠନ ତରଫରୁ ମୁଖ୍ୟ ଅତିଥି, ମୁଖ୍ୟବକ୍ତାଙ୍କ ଦ୍ୱାରା ସଙ୍ଗଠନ ଚୟନ କରିଥିବା ସେବା ପାଇଁ ରବୀନ୍ଦ୍ର ବିଶ୍ୱାଳ, ବିଦ୍ୟା ଦାନ ପାଇଁ ରତ୍ନ ମଞ୍ଜରୀ ରଥ, ନାରୀ ଏକତା ପାଇଁ ପ୍ରିୟା ତଥା ସମାଜସେବା ପାଇଁ ବଳରାମ ସେଠୀଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା । ଶେଷରେ ସଙ୍ଗଠନର ସମ୍ପାଦିକା ସରସ୍ୱତୀ ଜେନା ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ସଙ୍ଗଠନର ବିଭିନ୍ନ ପ୍ରତିଯୋଗୀତାରେ କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ନାରୀ ଶକ୍ତିର ସଭ୍ୟା କବିତା ମଲ୍ଲିକ, ସରୋଜିନୀ ମଲ୍ଲିକ, ଅର୍ଚ୍ଚନା ମଲ୍ଲିକ, କାଞ୍ଚନ ମଲ୍ଲିକ, ଯମୁନା ଦାସ, ଜୟନ୍ତୀ ଦାସ, ବାସନ୍ତୀ ଦାସ, ରାଜସ୍ମିତା ପଣ୍ଡା, ଭାଗ୍ୟଶ୍ରୀ ମଲ୍ଲିକ, ଜୟଲକ୍ଷ୍ମୀ ଓଝା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
