ପାକିସ୍ତାନ ବିପକ୍ଷ ମ୍ୟାଚ ପାଇଁ କାକର ଦେଖି ଚୂଡାନ୍ତ ଏକାଦଶର ନିଷ୍ପତ୍ତି ନିଆଯିବ : ଶାସ୍ତ୍ରୀ
ଦୁବାଇ : ଟି-୨୦ ବିଶ୍ୱକପ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଭାରତ ଅକ୍ଟୋବର ୨୪ରେ ପାକିସ୍ତାନ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। ପାକିସ୍ତାନ ବିପକ୍ଷ ମ୍ୟାଚପାଇଁ ଗୁରୁତ୍ବପୂର୍ଣ୍ଣ ଥିବାରୁ ଭାରତୀୟ ଚୂଡାନ୍ତ ଏକାଦଶରେ କିଏ ସ୍ଥାନ ପାଇବ ସେ ନେଇ ଚର୍ଚ୍ଚା ଏବେଠାରୁ ଲାଗି ରହିଛି। ଏସବୁ ମଧ୍ୟରେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ କହିଛନ୍ତି ଯେ, କାକର ପଡ଼ିବାକୁ ଦେଖି ଚୂଡାନ୍ତ ଏକାଦଶରେ ଅତିରିକ୍ତ ଦ୍ରୁତ ବୋଲର କିମ୍ବା ସ୍ପିନର ସାମିଲ କରାଯିବା ନେଇ ନିଷ୍ପତ୍ତି ନିଆଯିବ। ଏହାଛଡ଼ା ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିପକ୍ଷ ଅଭ୍ୟାସ ମ୍ୟାଚରେ ଖେଳାଳିମାନଙ୍କ ପ୍ରଦର୍ଶନ ଉପରେ ନଜର ରହିଛି ବୋଲି ଶାସ୍ତ୍ରୀ କହିଛନ୍ତି ।
ଷ୍ଟାର ସ୍ପୋର୍ଟ୍ସସ ସହ ଆଲୋଚନା ବେଳେ ଶାସ୍ତ୍ରୀ କହିଛନ୍ତି ଯେ, ଆମେ ଦେଖିବୁ କେତେ କାକର ପଡ଼ୁଛି। ସେହି ଅନୁସାରେ ପ୍ରଥମେ ବ୍ୟାଟିଂ କିମ୍ବା ବୋଲିଂ କରିବାକୁ ନିଷ୍ପତ୍ତି ନେବୁ। ଏହା ଦ୍ୱାରା ଅତିରିକ୍ତ ସ୍ପିନର ଅଥବା ଦ୍ରୁତ ବୋଲର ଅନ୍ତିମ ଏକାଦଶରେ ରଖାଯିବ କି ନାହିଁ ସେ ନେଇ ନିଷ୍ପତ୍ତି ନେବାରେ ସହାୟକ ହେବ ବୋଲି ଶାସ୍ତ୍ରୀ କହିଛନ୍ତି। ଭାରତୀୟ ଖେଳାଳିମାନେ ଗତ ଦୁଇ ମାସ ହେବ ଆଇପିଏଲ ଖେଳିଛନ୍ତି। ଏଥିପାଇଁ ଅଧିକ ପ୍ରସ୍ତୁତିର ଆବଶ୍ୟକତା ନେଇ ଆମେ ଅନୁଭବ କରୁନାହୁଁ ବୋଲି ଶାସ୍ତ୍ରୀ କହିଛନ୍ତି।
