ବାଲେଶ୍ୱର ଜିଲାରେ ପଞ୍ଚାୟତ ନିର୍ବାଚନ ପାଇଁ ଚୁଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ
ବାଲେଶ୍ୱର : ବାଲେଶ୍ୱର ଜିଲାରେ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଚୁଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଏଥିରେ ପୂର୍ବରୁ ପ୍ରକାଶିତ ସଂରକ୍ଷଣ ତାଲିକା ଅନୁଯାୟୀ ମୋଟ୍ ୧୨ ବ୍ଲକ୍ରୁ ୭ଟି ଔପଦା, ଖଇରା, ଜଳେଶ୍ୱର, ବାହାନଗା, ରେମୁଣା, ସିମୁଳିଆ ଓ ସୋର ବ୍ଲକରେ ଅଧ୍ୟକ୍ଷ ପଦ ବଦଳି ଥିବାବେଳେ ବାକି ୫ଟି ନୀଳଗିରି, ବସ୍ତା, ବାଲିଆପାଳ, ସଦର ଓ ଭୋଗରାଇ ବ୍ଲକରେ ଅଧ୍ୟକ୍ଷ ପଦ ଅପରିବର୍ତ୍ତିତ ରହିଛି । ଔପଦା ବ୍ଲକ ଅଧ୍ୟକ୍ଷ ପଦ ଅନୁସୂଚିତ ଜାତି(ମହିଳା)ଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ଖଇରା ଅଣ ସଂରକ୍ଷିତ (ମହିଳା), ଜଳେଶ୍ୱର ଅଣସଂରକ୍ଷିତ, ବାହାନଗା ଅଣସଂରକ୍ଷିତ, ରେମୁଣା ଅଣସଂରକ୍ଷିତ, ସିମୁଳିଆ ଅନୁସୂଚିତ ଜାତି, ସୋର ଅନୁସୂଚିତ ଜାତି (ସଂରକ୍ଷିତ), ନୀଳଗିରି ଅନୁସୂଚିତ ଜନଜାତି (ମହିଳା), ବସ୍ତା ଅଣ ସଂରକ୍ଷିତ(ମହିଳା), ବାଲିଆପାଳ ଅଣସଂରକ୍ଷିତ (ମହିଳା), ବାଲେଶ୍ୱର ସଦର ଅନୁସୂଚିତ ଜାତି(ମହିଳା) ଓ ଭୋଗରାଇ ବ୍ଲକ ଅଧ୍ୟକ୍ଷ ପଦ ଅଣସଂରକ୍ଷିତ ରହିଛି ।
ସେହିପରି ଜିଲାରେ ମୋଟ୍ ୩୫୬ ପଞ୍ଚାୟତରୁ ୧୮୧ଟି ପଞ୍ଚାୟତରେ ମହିଳା ଓ ୨୦୭ ପଞ୍ଚାୟତରେ ସମିତି ସଭ୍ୟ ପଦ ମହିଳାଙ୍କ ନିମନ୍ତେ ସଂରକ୍ଷିତ ରହିଛି । ଜିଲାର ମୋଟ ୩୫୬ରୁ ଏଥର ୪୨ଟି ପଞ୍ଚାୟତରେ ସରପଞ୍ଚ ପଦ ଅନୁସୂଚିତ ଜାତି ପୁରୁଷ, ୪୮ଟିରେ ଅନୁସୂଚିତ ଜାତି ମହିଳା, ୧୨ଟିରେ ଅନୁସୂଚିତ ଜନଜାତି ପୁରୁଷ ଓ ୧୩ଟି ପଞ୍ଚାୟତର ସରପଞ୍ଚ ପଦ ଅନୁସୂଚିତ ଜନଜାତି ମହିଳାଙ୍କ ନିମେନ୍ତ ସଂରକ୍ଷିତ ରହିଛି । ୩୫୬ ପଞ୍ଚାୟତରୁ ୩୬ଟିରେ ସମିତିସଭ୍ୟ ପଦ ପାଇଁ ଅନୁସୂଚିତ ଜାତି ପୁରୁଷ ଓ ୪୧ଟି ପଞ୍ଚାୟତ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ସେହିପରି ୧୮ଟି ପଞ୍ଚାୟତ ସମିତିସଭ୍ୟ ପଦ ଅନୁସୂଚିତ ଜନଜାତି ପୁରୁଷ ଓ ୨୬ଟି ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ୧୨୧ଟି ପଞ୍ଚାୟତରେ ସରପଞ୍ଚ ପଦ ପୁରୁଷ ଓ ୧୨୦ ମହିଳା ଏବଂ ସମିତିସଭ୍ୟ ପଦ ୨୧ଟି ପଞ୍ଚାୟତ ଅଣସଂରକ୍ଷିତ ଥିବାବେଳେ ୧୪୦ଟି ପଞ୍ଚାୟତ ଅଣସଂରକ୍ଷିତ ମହିଳା ରହିଛି । ସୂଚନା ଯେ, ପଞ୍ଚାୟତ ନିର୍ବାଚନରେ ଜିଲାର ୧୬ଲକ୍ଷ ୯୨ହଜାର ୨୯୨ ଜଣ ଭୋଟର ମତଦାନ ସାବ୍ୟସ୍ତ କରିବେ । ସେଥିମଧ୍ୟରୁ ପ୍ରଥମଥର ପାଇଁ ୩୯ହଜାର ୫୮୧ ଜଣ ନୂଆ ଭୋଟର ଭୋଟ୍ ଦେବେ ବୋଲି ଜଣାପଡ଼ିଛି । ସେହିପରି କରୋନା ଓ ନୂଆ ଭାରିଆଣ୍ଟ ଓମିକ୍ରନ୍ ସଂକ୍ରମଣ ହୁହୁ ହୋଇ ବଢ଼ି ଚାଲିଛି । ଫଳରେ ଆଗକୁ ଯଦି ସଂକ୍ରମଣ ଅଧିକ ହୁଏ ତେବେ ନିର୍ବାଚନ ହେବା ନେଇ ଆଶଙ୍କା ରହିଛି । ଏଥିସତ୍ତ୍ୱେ ବିଭିନ୍ନ ଦଳର ନେତାମାନେ ଏବେଠୁଁ ଗାଁ ମୁହାଁ ହୋଇ ଭୋଟରଙ୍କୁ ନିଜ ସପକ୍ଷକୁ ଆଣିବା ନିମନ୍ତେ ଉଦ୍ୟମ ଜାରି ରଖିଛନ୍ତି ।
