ରିଲିଜ୍ ପୂର୍ବରୁ ବିବାଦରେ ଫିଲ୍ମ ‘ଜୱାନ୍’
ମୁମ୍ଵାଇ : ରିଲିଜ୍ ପୂର୍ବରୁ ବିବାଦରେ ବଲିଉଡ୍ର ବାଦଶାହା ଶାହରୁଖ ଖାନଙ୍କ ଆଗାମୀ ଫିଲ୍ମ ‘ଜୱାନ୍’ । ‘ଜୱାନ’ ଉପରେ ଚୋରି ଅଭିଯୋଗ ହୋଇଛି। ଏହି ପ୍ରସଙ୍ଗରେ ନିର୍ଦ୍ଦେଶକ ଅଟଲେଙ୍କ ବିରୋଧରେ ମଧ୍ୟ ଅଭିଯୋଗ ହୋଇଛି।
ଅଟଲେ ନିର୍ଦ୍ଦେଶକ ଭାବରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ତାମିଲ ଚଳଚ୍ଚିତ୍ର ‘ପେରାସୁ’ର କାହାଣୀକୁ କପି କରିଥିବାର ଅଭିଯୋଗ ହୋଇଛି। ଚଳଚ୍ଚିତ୍ର ନିର୍ମାତା ମଣିକମ ନାରାୟଣ ତାମିଲ ଚଳଚ୍ଚିତ୍ର ନିର୍ମାତା ପରିଷଦ (ଟିଏଫପିସି) ରେ ଜୱାନ ନିର୍ମାତାଙ୍କ ବିରୋଧରେ ଚୋରୀ ଅଭିଯୋଗ ଆଣିଛନ୍ତି। ଅଭିଯୋଗ ହୋଇଛି ଯେ ଶାହାରୁଖ ଖାନଙ୍କ ଫିଲ୍ମର କାହାଣୀ ୨୦୦୬ ବିଜୟକାନ୍ତଙ୍କ ଅଭିନୀତ ‘ପେରାସୁ’ ସହିତ ସମାନ। ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ମଣିକମ ନାରାୟଣନ ତାଙ୍କ ଅଭିଯୋଗ ସହିତ ଟିଏଫପିସି ନିକଟକୁ ଯାଇଥିଲେ। ନଭେମ୍ବର ୭ ପରେ ଟିଏଫପିସି ବୋର୍ଡ ସଦସ୍ୟମାନେ ଏହି ଅଭିଯୋଗର ଅନୁସନ୍ଧାନ କରିବେ । ମଣିକମଙ୍କର ପାଖରେ କାହାଣୀର ରାଇଟ୍ସ ଅଛି ବୋଲି ଜଣାପଡିଛି।
ସୂଚନା ଯେ, ଜୱାନ୍ ୨ ଜୁନ୍ ୨୦୨୩ରେ ପ୍ରେକ୍ଷାଳୟକୁ ଆସିବ । ହିନ୍ଦୀ ବ୍ୟତୀତ ଏହି ଚଳଚ୍ଚିତ୍ର ତାମିଲ, ତେଲୁଗୁ, ମଲାୟାଲମ୍ ଏବଂ କନ୍ନଡରେ ମୁକ୍ତିଲାଭ କରିବ। ଅନ୍ୟ କାଷ୍ଟରେ ବିଜୟ ସେଥୁପାଠୀ, ଯୋଗୀ ବାବୁ ଏବଂ ପ୍ରିୟମାନୀ ଅଛନ୍ତି। ରିପୋର୍ଟ ଅନୁଯାୟୀ, ବିଜୟ ଏବଂ ଦୀପିକା ପାଦୁକୋନ କ୍ୟାମିଓ ଭୂମିକାରେ ଅଛନ୍ତି।
