ଫିଫା ବିଶ୍ୱକପ : ବିଦାୟ ନେଲା ସର୍ବାଧିକ ୫ଥର ଚମ୍ପିଆନ ବ୍ରାଜିଲ, ସେମିରେ କ୍ରୋଏସିଆ
ଦୋହା : କାତାରରେ ଚାଲିଥିବା ଫିଫା ବିଶ୍ୱକପରେ ଆଉ ଏକ ବଡ ବିପର୍ଯ୍ୟୟ । ବିଦାୟ ନେଲା ସର୍ବାଧିକ ୫ଥର ଚମ୍ପିଆନ ବ୍ରାଜିଲ। ଅଲ ରିୟାନର ଏଜୁକେଶନ ସିଟି ଷ୍ଟାଡ଼ିୟମରେ ଖେଳାଯାଇଥିବା ପ୍ରଥମ କ୍ବାର୍ଟର ଫାଇନାଲ ମ୍ୟାଚର ଗତଥରର ରନର୍ସଅପ କ୍ରୋଏସିଆ ପେନାଲ୍ଟି ସୁଟ୍ଆଉଟ ୧-୧ (୪-୨)ରେ ବ୍ରାଜିଲକୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛି। ଏହି ପରାଜୟ ସହ ବ୍ରାଜିଲର ୬ଷ୍ଠ ବିଶ୍ବକପ ଟ୍ରଫି ସ୍ବପ୍ନ ଚୁର୍ମାର ହୋଇଯାଇଥିବାବେଳେ କ୍ରୋଏସିଆ କ୍ରମାଗତ ଭାବେ ଦ୍ବିତୀୟ ଥର ପାଇଁ ସେମିଫାଇନାଲରେ ପହଞ୍ଚିଛି। ନିର୍ଦ୍ଧାରିତ ସମୟ ଗୋଲଶୂନ୍ୟ ରହିବାରୁ ଅତିରିକ୍ତ ସମୟ ମ୍ୟାଚ ଖେଳାଯାଇଥିଲା। ଅତିରିକ୍ତ ସମୟ ଖେଳ ୧-୧ ଗୋଲ ବରାବର ରହିବାରୁ ପେନାଲ୍ଟି ସୁଟ୍ଆଉଟ୍ର ଆଶ୍ରୟ ନିଆଯାଇଥିଲା। ଏଥିରେ କ୍ରୋଏସିଆ ୪-୨ ଗୋଲରେ ବିଜୟୀ ହୋଇଥିଲା। କ୍ରୋଏସିଆ ଗୋଲରକ୍ଷକ ମ୍ୟାଚରେ ୧୧ଟି ଓ ପେନାଲ୍ଟି ସୁଟ୍ଆଉଟ୍ରେ ଗୋଟିଏ ସଟ୍ ରୋକି ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପେନାଲ୍ଟି ସୁଟଆଉଟ୍ରେ କ୍ରୋଏସିଆ ପକ୍ଷରୁ ଭାଲସିକ, ମେଜର,ମୋଡ୍ରିକ୍ ଓ ଓରେସିସ ଓ ବ୍ରାଜିଲ ପକ୍ଷରୁ କେସମିରୋ ଓ ପେଡ୍ରୋ ଗୋଲ ଦେଇଥିଲେ।
ବିଶ୍ବର ଏକ ନମ୍ବର ଦଳ ବ୍ରାଜିଲ ମ୍ୟାଚ ଆରମ୍ଭରୁ ଅଗ୍ରଣୀ ନେବା ପାଇଁ ଆକ୍ରମଣକୁ ଜୋରଦାର କରିଥିଲା। ମାତ୍ର କ୍ରୋଏସିଆ କଡା ଟକ୍କର ଦେଇଥିଲା। ଖେଳର ୪ ମିନିଟ୍ରେ ବ୍ରାଜିଲ ପକ୍ଷରୁ ଭିନିସିୟସ ଜୁନିୟର ପ୍ରଥମ ବଲ ଗୋଲପୋଷ୍ଟକୁ ମାରିଥିଲେ। କ୍ରୋଏସିଆ ଗୋଲରକ୍ଷକ ଏହାକୁ ରୋକିବାରେ କୌଣସି ତ୍ରୁଟି କରିନଥିଲେ। ୧୨ ମିନିଟ୍ରେ କ୍ରୋଏସିଆ ଏକ ଗୋଲ ଦେବାର ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିଥିଲା। ଗୋଲ ଦେବା ନେଇ ବ୍ରାଜିଲ ଘନଘନ ଆକ୍ରମଣ କରିଥିଲା। ଖେଳର ୨୮ ମିନିଟ୍ରେ ବ୍ରାଜିଲକୁ ଏକ ଫ୍ରି କିକ୍ ମିଳିଥିଲା। ନୈମାରଙ୍କ ଉକ୍ତ ସଟ୍ ଗୋଲପୋଷ୍ଟର ସାମାନ୍ୟ ଉପର ଦେଇ ଚାଲି ଯାଇଥିଲା। ବ୍ରାଜିଲର ବାରମ୍ବାର ଆକ୍ରମଣକୁ କ୍ରୋଏସିଆ ପ୍ରତିହତ କରିବାରେ ସଫଳ ହୋଇଥିଲା। ଏକାଧିକ ଆକ୍ରମଣ ଓ ପ୍ରତି ଆକ୍ରମଣ ମଧ୍ୟରେ ପ୍ରଥମାର୍ଦ୍ଧ ଖେଳ ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା। ଦ୍ବିତୀୟାର୍ଦ୍ଧରେ ଉଭୟ ଦଳ ରଣନୀତି ବଦଳାଇ ଖେଳିଥିଲେ। ଖେଳର ୪୬ ମିନିଟ୍ରେ ବ୍ରାଜିଲ ଗୋଲ ଦେବାର ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିଥିଲା। ନୈମାରଙ୍କ ଏକ ପାସ୍କୁ ଭିନିସିୟସ ଗୋଲ ଦେବାରେ ବିଫଳ ହୋଇଥିଲା। ନିର୍ଦ୍ଧାରିତ ସମୟ ଖେଳ ଗୋଲଶୂନ୍ୟ ରହିଥିଲା। ନିର୍ଦ୍ଧାରିତ ସମୟ ଗୋଲଶୂନ୍ୟ ରହିବାରୁ ଅତିରିକ୍ତ ସମୟ ଖେଳାଯାଇଥିଲା। ଖେଳର ୧୦୫ ମିନିଟ୍ରେ ନୈମାର ଜୁନିୟର ବିପକ୍ଷ କ୍ରୋଏସିଆର ରକ୍ଷଣାଭାଗକୁ ଚକ୍ମା ଦେଇ ଗୋଲ ସ୍କୋର କରିବାରେ ସଫଳ ହୋଇଥିଲେ। କ୍ରୋଏସିଆ ପକ୍ଷରୁ ବ୍ରୁନୋ ପେଟ୍ରୋଭିକ୍ ୧୧୭ ମିନିଟ୍ରେ ଗୋଲ ଦେଇ ମ୍ୟାଚକୁ ୧-୧ ବରାବର କରିଥିଲା। ଅତିରିକ୍ତ ସମୟ ଖେଳ ୧-୧ ଗୋଲରେ ଶେଷ ହେବା ପରେ ପେନାଲ୍ଟି ସୁଟ୍ଆଉଟର ଆଶ୍ରୟ ନିଆଯାଇଥିଲା।
