ଫିଫା ବିଶ୍ବକପ୍ : ଇଂଲଣ୍ଡ ସବୁଠୁ ମୂଲ୍ୟବାନ ଦଳ
Soccer Football - FIFA World Cup Qatar 2022 - Group B - England v Iran - Khalifa International Stadium, Doha, Qatar - November 21, 2022 England players line up during the national anthems before the match REUTERS/Marko Djurica
ଦୋହା: ଫିଫା ବିଶ୍ବକପ୍ର ଚଳିତ କାତାର ସଂସ୍କରଣରେ ଇଂଲଣ୍ଡ ସବୁଠୁ ମୂଲ୍ୟବାନ ଦଳ ଭାବେ ପରିଗଣିତ ହୋଇଛି। ଏହି ଦଳ ତା’ର ଦ୍ବିତୀୟ ବିଶ୍ବକପ୍ ଟ୍ରଫି ହାସଲ ଲକ୍ଷ୍ୟରେ କାତାର ଆସିଛି। ଏହି ଦଳର ଜୁଡେ ବେଲିଂହାମ୍ ୮୦୦ ଖେଳାଳିଙ୍କ ତାଲିକାର ଶୀର୍ଷରେ ରହିଥିବା ଏକ ଅଧ୍ୟୟନରୁ ଜାଣିବାକୁ ମିଳିଛି। ଏହି ପ୍ରତିଯୋଗିତାରେ ଅନ୍ୟ ବୃହତ୍ ଦଳ କିପରି ଇଂଲଣ୍ଡ ସହ ତୁଳନୀୟ ତାହା ଉପରେ ଆସନ୍ତୁ ନଜର ପକାଇବା।
ସ୍ବିସ୍ ରିସର୍ଚ ଗ୍ରୁପ୍ ସିଆଇଇଏସ୍ ଫୁଟ୍ବଲ ଅବ୍ଜରଭେଟରି ଦ୍ବାରା ପରିଚାଳିତ ଏକ ଅଧ୍ୟୟନ ଅନୁଯାୟୀ ଇଂଲଣ୍ଡର ୨୬ ଜଣିଆ ଦଳର ସ୍ଥାନାନ୍ତରଣ ମୂଲ୍ୟ ୧.୫ ବିଲିୟନ୍ ୟୁରୋ (୧.୫୪ ବିଲିୟନ ଡଲାର)ରୁ ସାମାନ୍ୟ କମ୍ ରହିଥିଲା ବେଳେ ୧୯ ବର୍ଷ ବୟସ୍କ ବେଲିଂଟନ୍ଙ୍କ ମୂଲ୍ୟ ୨୦୨ ମିଲିୟନ୍ ୟୁରୋ ରହିଛି। ବୋରୁସିଆ ଡର୍ଟମୁଣ୍ଡ୍ର ଏହି ଖେଳାଳି ଚଳିତ ବିଶ୍ବକପ୍ରେ ଇଂଲଣ୍ଡର ପ୍ରଥମ ମ୍ୟାଚ୍ରେ ଇରାନ ବିପକ୍ଷ ୬-୨ ଗୋଲ୍ ବିଜୟ ସହିତ ନିଜକୁ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଯୁବ ତାରକା ଭାବେ ପ୍ରମାଣିତ କରିଛନ୍ତି।
ଇଂଲଣ୍ଡ ପଛକୁ ମୂଲ୍ୟବାନ ଦଳ ତାଲିକାର ଦ୍ବିତୀୟରେ ରହିଛି ବ୍ରାଜିଲ। ଏହି ଦଳର ସ୍ଥାନାନ୍ତରଣ ମୂଲ୍ୟ ୧.୪୫ ବିଲିୟନ୍ ୟୁରୋ ରହିଛି। ରିଅଲ୍ ମାଡ୍ରିଡ୍ ଫରୱାର୍ଡ ଭିନିସିଅସ୍ ଜୁନିୟର ଏହି ଦଳର ସର୍ବାଧିକ ମୂଲ୍ୟବାନ ଖେଳାଳି ରହିଛନ୍ତି। ତାଙ୍କ ମୂଲ୍ୟ ୨୦୦ ମିଲିୟନ ୟୁରୋ। ଇଂଲଣ୍ଡ ଓ ବ୍ରାଜିଲ ପଛକୁ ତାଲିକାର ତୃତୀୟ ସ୍ଥାନ ମଣ୍ଡନ କରିଛି ଫ୍ରାନ୍ସ। ଫ୍ରାନ୍ସ ଦଳର ସ୍ଥାନାନ୍ତରଣ ମୂଲ୍ୟ ୧.୩୪ ବିଲିୟନ ଆକଳନ କରାଯାଇଥିଲା ବେଳେ ପ୍ୟାରିସ୍ ସେଣ୍ଟ ଜର୍ମେନ ଫରୱାର୍ଡ କିଲିୟାନ ଏମ୍ବାପେ ଏହି ଦଳର ମୂଲ୍ୟବାନ ଖେଳାଳି ରହିଛନ୍ତି। ତାଙ୍କ ମୂଲ୍ୟ ୧୮୫ ମିଲିଅନ୍ ୟୁରୋ। ଏହି ତାଲିକାରେ ସ୍ପେନ୍ (୧.୨ ବିଲିୟନ ୟୁରୋ) ଏବଂ ଜର୍ମାନି (୧.୦୨ ବିଲିୟନ୍ ୟୁରୋ) ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନ ପାଇଛନ୍ତି। ତେବେ ବିଶ୍ବକପ୍ରେ ଅଂଶଗ୍ରହଣ କରିଥିବା ସମସ୍ତ ଦଳର ମୋଟ ମୂଲ୍ୟ ୧୫ ବିଲିୟନ୍ ୟୁରୋ ବୋଲି ଅଧ୍ୟୟନରୁ ଜଣାପଡ଼ିଛି।
ଅନ୍ୟପକ୍ଷରେ ସେଣ୍ଟର ଫର୍ ଇକୋନୋମିକ୍ସ ଆଣ୍ଡ ବିଜନେସ୍ ସମର୍ଥିତ ଲୟଡ୍ସ ଅଫ୍ ଲଣ୍ଡନ ଦ୍ବାରା କରାଯାଇଥିବା ବିଶ୍ଳେଷଣ ଅନୁଯାୟୀ ଇଂଲଣ୍ଡକୁ ସବୁଠୁ ଉଚ୍ଚ ମାନ୍ୟତାପ୍ରାପ୍ତ ଦଳ ବିବେଚନା କରାଯାଇଛି। ଖେଳାଳିମାନଙ୍କ ବୀମାଯୋଗ୍ୟ ମୂଲ୍ୟକୁ ଆଧାର କରି ଦଳଗୁଡ଼ିକୁ ରୢାଙ୍କ୍ ପ୍ରଦାନ କରିଥିଲା ବେଳେ ଏଥିରେ ସର୍ବାଧିକ ୩.୧୭ ବିଲିୟନ୍ ପାଉଣ୍ଡ (୩.୭୪ ବିଲିୟନ ଡଲାର) ସହ ଇଂଲଣ୍ଡ ଶୀର୍ଷରେ ରହିଛି। ଇଂଲଣ୍ଡ ଏହି ତାଲିକାରେ ଫ୍ରାନ୍ସ (୨.୬୬ ବିଲିୟନ୍ ପାଉଣ୍ଡ) ଏବଂ ବ୍ରାଜିଲ (୨.୫୬ ବିଲିୟନ ପାଉଣ୍ଡ)କୁ ପଛରେ ପକାଇ ଦେଇଛି। ଏହି ସର୍ବେକ୍ଷଣ ସଂସ୍ଥା ମଧ୍ୟ ଏମ୍ବାପେ ଏବଂ ଭିନିସିଅନ୍ ଜୁନିୟରଙ୍କ ତୁଳନାରେ ବେଲିଂହାମ୍ଙ୍କୁ ସବୁଠୁ ମୂଲ୍ୟବାନ ଖେଳାଳିର ମାନ୍ୟତା ଦେଇଛି।
