ଫିଫା ବିଶ୍ୱକପ୍ : ଆଜି ଆର୍ଜେଂଟିନା ଓ ଫ୍ରାନ୍ସ ଫାଇନାଲ୍ ମୁକାବିଲା
ଦୋହା : ୨୬ ଦିନ ଓ ୬୨ଟି ମ୍ୟାଚ୍ର ରୋମାଂଚ ପରେ ଚଳିତ ଫିଫା ବିଶ୍ୱକପ୍ର ଫାଇନାଲ୍ ଚୂଡ଼ାନ୍ତ ହୋଇଛି । ସବୁ ଆକଳନକୁ ପଛରେ ପକାଇ ଆର୍ଜେଂଟିନା ଓ ଫ୍ରାନ୍ସ ଶେଷ ଦୁଇ ଦଳ ଭାବେ ଟାଇଟଲ ଦୌଡରେ ପହଂଚିଛନ୍ତି । ଉଭୟ ଦଳ ପୂର୍ବରୁ ୨ଥର ଲେଖାଏଁ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିସାରିଛନ୍ତି । ଆର୍ଜେଂଟିନା ୧୯୭୮ ଓ ୧୯୮୬ ବିଶ୍ୱକପ୍ ଚାମ୍ପିଅନ ହୋଇଥିଲା । ଫ୍ରାନ୍ସ ୧୯୯୮ ଓ ୨୦୧୮ରେ ଫିଫା ବିଶ୍ୱକପ୍ ଟ୍ରଫି ହାସଲ କରିଥିଲା । ରବିବାର ଫାଇନାଲ୍ ମୁକାବିଲା ସହ କୌଣସି ଏକ ଦଳ ଇତିହାସ ରଚିବ ।
ଉଭୟ ଦଳ ସହ ଯୋଡି ହୋଇ ଯାଇଥିବ ଅନେକ ରେକର୍ଡ । ଦୀର୍ଘ ୩୬ ବର୍ଷ ପରେ ଆର୍ଜେଂଟିନା ବିଶ୍ୱକପ୍ ଚାମ୍ପିଅନ୍ ହୋଇପାରିବ । ୨୦୧୪ ବ୍ରାଜିଲ୍ ବିଶ୍ୱକପ୍ରେ ଆର୍ଜେଂଟିନା ଫାଇନାଲ୍ରେ ପହଂଚିଥିଲେ ହେଁ ଜର୍ମାନୀ ଠାରୁ ପରାଜିତ ହୋଇ ଟାଇଟଲରୁ ବଂଚିତ ହୋଇଥିଲା । ଦୀର୍ଘ ବର୍ଷ ଧରି ବିଶ୍ୱର ଶ୍ରେଷ୍ଠ ଫୁଟବଲ୍ ଖେଳାଳି ଭାବେ ଗଣା ହେଉଥିବା ମେସି ତୃତୀୟ ଆର୍ଜେଂଟିନା ଅଧିନାୟକ ଭାବେ ବିଶ୍ୱକପ୍ ସ୍ୱପ୍ନ ପୂରଣ କରିପାରିବେ । ପୂର୍ବରୁ ଡାନିଏଲ ପାସାରେଲା(୧୯୭୮) ଓ ଡିଏଗୋ ମାରାଡୋନା(୧୯୮୬) ବିଶ୍ୱକପ୍ ଚାମ୍ପିଅନ୍ ଅଧିନାୟକ ରହିଥିଲେ । କତାରରେ ବିଜୟ ଧ୍ୱଜା ଉଡାଇ ଆର୍ଜେଂଟିନା ବିଶ୍ୱର ଚତୁର୍ଥ ଦଳ ଭାବେ ୩ଟି(କିମ୍ବା ଊଦ୍ଧ୍ୱ)ର୍ ବିଶ୍ୱକପ୍ ଟାଇଟଲ ହାସଲ କରିବାରେ ସଫଳ ହେବ । ପୂର୍ବରୁ କେବଳ ବ୍ରାଜିଲ୍ ୫ଥର ଓ ଜର୍ମାନୀ ଓ ଇଟାଲୀ ୪ଥର ଲେଖାଏଁ ବିଶ୍ୱକପ ଚାମ୍ପିଅନ୍ ହୋଇଛନ୍ତି । ୨୦୦୨ରେ ବ୍ରାଜିଲ ବିଶ୍ୱକପ୍ ଜିତିଥିଲା । ଏହା ପରଠୁ କୌଣସି ଦକ୍ଷିଣ ଆମେରିକୀୟ ଦଳ ବିଶ୍ୱକପ୍ ଟାଇଟଲ ହାସଲ କରିପାରି ନାହାନ୍ତି । ୨୦୦୬ରେ ଇଟାଲୀ, ୨୦୧୦ରେ ସ୍ପେନ, ୨୦୧୪ରେ ଜର୍ମାନୀ ଓ ୨୦୧୮ରେ ଫ୍ରାନ୍ସ ବିଶ୍ୱକପ ଚାମ୍ପିଅନ୍ ହୋଇଥିଲା । ୨୦୦୨ରେ ବ୍ରାଜିଲ୍ ଭଳି ଏଥର ଆର୍ଜେଂଟିନା ଏକ ୟୁରୋପୀୟ ଦଳକୁ ହରାଇ ଚାମ୍ପିଅନ୍ ହେବାର ସୁଯୋଗ ରହିଛି । ବ୍ରାଜିଲ୍ ୨୦୦୨ ବିଶ୍ୱକପ୍ ଫାଇନାଲ୍ରେ ଜର୍ମାନୀକୁ ପରାସ୍ତ କରିଥିଲା । କ୍ୟାରିୟର ମଧ୍ୟରେ ମେସି ୧୦ଟି ଲା’ ଲିଗା ଟାଇଟଲ, ଗୋଟିଏ ଲିଗ୍-୧ ଟାଇଟଲ, ୪ଚାମ୍ପିଅନ୍ସ ଲିଗ୍ ଟାଇଟଲ, କୋପା ଆମେରିକା କପ୍ ଜିତି ସାରିଛନ୍ତି । ରେକର୍ଡ ୭ଥର ବାଲନ ଡି ଓ’ର ଟ୍ରଫି ମଧ୍ୟ ହାସଲ କରିସାରିଛନ୍ତି । ଏଭଳି ଅବିଶ୍ୱସନୀୟ ସଫଳତା ମଧ୍ୟରେ କେବଳ ବିଶ୍ୱକପ୍ ଟ୍ରଫି ବାକିଚ ରହି ଯାଇଛି । ଅବସର ନେବା ପୂର୍ବରୁ ସେ ତାଙ୍କ ଦେଶବାସୀଙ୍କୁ ବିଶ୍ୱକପ୍ ଭେଟି ଦେବାକୁ ଚାହାଁନ୍ତି । ବର୍ତମାନ ମେସିଙ୍କ ବୟସ ୩୫ ବର୍ଷ । ପରବର୍ତୀ ବିଶ୍ୱକପ୍ ଖେଳିବାକୁ ସେ ଫିଟ୍ ନଥିବେ ବୋଲି ସ୍ପଷ୍ଟ କରିସାରିଛନ୍ତି । ତେଣୁ ଟ୍ରଫି ସହ ବିଶ୍ୱକପ୍ ଶେଷ କରିବାକୁ ପ୍ରୟାସ କରିବେ । ଏଥର ମେସି ଉଭୟ ଗୋଲ୍ଡେନ ବଲ୍ ଓ ଗୋଲ୍ଡେନ୍ ବୁଟ୍ ପୁରସ୍କାର ଦୌଡରେ ରହିଛନ୍ତି ।
ଫାଇନାଲରେ ଆର୍ଜେଣ୍ଟିନାର ୩୫ ପ୍ରତିଶତ ଓ ଫ୍ରାନ୍ସର ୩୪ ପ୍ରତିଶତ ବିଜୟ ସମ୍ଭାବନା ଆକଳନ କରାଯାଇଛି । ଫାଇନାଲ୍ ମ୍ୟାଚ୍ର ବିଜେତା ଅନ୍ୟ ଏକ ରେକର୍ଡ ନିଜ ନାମରେ ଲେଖାଇବ । ବିଶ୍ୱକପ୍ ଇତିହାସରେ ବ୍ରାଜିଲ୍ ସର୍ବାଧିକ ୫ଥର ଚାମ୍ପିଅନ୍ ହୋଇଥିବାବେଳେ ଜର୍ମାନୀ ଓ ଇଟାଲୀ ୪ଥର ଲେଖାଏଁ ବିଶ୍ୱକପ୍ ଜିତିଛନ୍ତି । ଉରୁଗୁଏ, ଆର୍ଜେଣ୍ଟିନା ଓ ଫ୍ରାନ୍ସ ୨ଥର ଲେଖାଏଁ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଛନ୍ତି । ଇଂଲଣ୍ଡ ଓ ସ୍ପେନ୍ ଥରେ ଲେଖାଏଁ ଟ୍ରଫି ହାସଲ କରିଛନ୍ତି । ଆର୍ଜେଣ୍ଟିନା ଷଷ୍ଠ ଓ ଫ୍ରାନ୍ସ ଚତୁର୍ଥ ଥର ପାଇଁ ବିଶ୍ୱକପ୍ ଫାଇନାଲ୍ ଖେଳିବାକୁ ଯାଉଛନ୍ତି । ଜର୍ମାନୀ ସର୍ବାଧିକ ୮ଥର ଫାଇନାଲ୍ ଖେଳିଛି । ଫ୍ରାନ୍ସ ଫାଇନାଲ୍ ଜିତିଲେ ବିଶ୍ୱର ତୃତୀୟ ଦଳ ଭାବେ କ୍ରମାନ୍ୱୟରେ ୨ଟି ବିଶ୍ୱକପ୍ ଜିତିବାରେ ସଫଳ ହେବ । ପୂର୍ବରୁ ଇଟାଲୀ ୧୯୩୪ ଓ ୧୯୩୮ରେ ବିଶ୍ୱକପ୍ ଜିତିଥିଲା । ସେହିପରି ବ୍ରାଜିଲ୍ ୧୯୫୮ ଓ ୧୯୬୨ରେ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଥିଲା ।
ବିଶ୍ୱକପରେ ଫ୍ରାନ୍ସ ଓ ଆର୍ଜେଣ୍ଟିନା ଚତୁର୍ଥ ଥର ପାଇଁ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଏଥିରୁ ଆର୍ଜେଣ୍ଟିନା ୨ଟି ମ୍ୟାଚ୍ ଜିତିଛି । ୨୦୧୮ ବିଶ୍ୱକପରେ ଫ୍ରାନ୍ସ ବିଜୟୀ ହୋଇଥିଲା । ଅନ୍ୟ ପ୍ରତିଯୋଗିତାକୁ ଗଣନା କଲେ ଉଭୟ ଦଳ ମୋଟ୍ ୧୨ଥର ଭେଟି ସାରିଛନ୍ତି । ଏଥିରୁ ଫ୍ରାନ୍ସ କେବଳ ୩ଟି ମ୍ୟାଚ୍ ଜିତିଥିବାବେଳେ ୬ଟି ମ୍ୟାଚ୍ରେ ପରାଜିତ ହୋଇଛି । ଅନ୍ୟ ୩ଟି ମ୍ୟାଚ୍ ଡ୍ର’ ରହିଛି । ଦକ୍ଷିଣ ଆମେରିକୀୟ ଦଳ ବିପକ୍ଷରେ ଫ୍ରାନ୍ସ ଖେଳିଥିବା ଶେଷ ୧୦ଟି ମ୍ୟାଚ୍ରୁ ୬ଟି ମ୍ୟାଚ୍ ଜିତିଛି ଓ ଅନ୍ୟ ୪ଟି ମ୍ୟାଚ୍ ଡ୍ର’ ରଖିଛି । ୧୯୭୮ରେ ଫ୍ରାନ୍ସ ୧-୨ ଗୋଲ୍ରେ ଆର୍ଜେଣ୍ଟିନା ଠାରୁ ପରାଜିତ ହୋଇଥିଲା । ଏହା ପରଠୁ ଦକ୍ଷିଣ ଆମେରିକୀୟ ଦେଶ ବିପକ୍ଷରେ ଫ୍ରାନ୍ସ ପରାଜିତ ହୋଇନାହିଁ ।
ବିଶ୍ୱକପ୍ ଇତିହାସରେ ଦକ୍ଷିଣ ଆମେରିକା ଦଳ ଓ ୟୁରୋପୀୟ ଦଳ ମଧ୍ୟରେ ୧୦ଟି ଫାଇନାଲ୍ ଖେଳାଯାଇଛି । ଏଥିରୁ ଦକ୍ଷିଣ ଆମେରିକୀୟ ଦଳ ୭ଥର ଚାମ୍ପିଅନ୍ ହୋଇଛନ୍ତି । ଜର୍ମାନୀ ୧୯୯୦ ଓ ୨୦୧୪ ବିଶ୍ୱକପ ଫାଇନାଲ୍ରେ ଆର୍ଜେଣ୍ଟିନାକୁ ପରାସ୍ତ କରିଥିଲା । ସେହିପରି ଫ୍ରାନ୍ସ ୧୯୯୮ ବିଶ୍ୱକପ୍ ଫାଇନାଲ୍ରେ ବ୍ରାଜିଲକୁ ୩-୦ ଗୋଲ୍ରେ ପରାଜିତ କରିଥିଲା ।
