୧୭ ବର୍ଷରୁ କମ ଫିପା ବିଶ୍ୱକପ : ଭାରତର ଲଜ୍ଜାଜନକ ପରାଜୟ, କିନ୍ତୁ ଇତିହାସ ରଚିଲା କିଏ ଜାଣନ୍ତୁ
ଭୁବନେଶ୍ୱର: ଉଦଘାଟିତ ହୋଇଛି ୧୭ ବର୍ଷରୁ କମ ଫିପା ବିଶ୍ୱକପ। ଏହି ବିଶ୍ୱକପକୁ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ୩ ଜଣ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ଉପସ୍ଥିତ ଥିଲେ ।
ତେବେ ଫିଫା ଅଣ୍ଡର ୧୭ ମହିଳା ବିଶ୍ୱକପର ପଦାର୍ପଣ ମ୍ୟାଚରେ ଘରୋଇ ଭାରତ ପରାଜୟର ମୁଁହ ଦେଖିଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ପ୍ରଥମଥର ପାଇଁ ଫିଫା ବିଶ୍ୱକପ ଖେଳୁଥିବା ଭାରତୀୟ ମହିଳା ଦଳ ବିପକ୍ଷରେ ଆମେରିକା ମ୍ୟାଚ ଜିତିନେଇଛି। ଆମେରିକା ମହିଳା ଦଳ ଆଗରେ ଭାରତୀୟ ଖେଳାଳିମାନେ ଆଦୌ ତିଷ୍ଠି ପାରିନାହାନ୍ତି।
ଆରମ୍ଭରୁ ଆମେରିକା ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। ଫଳରେ ଆୟୋଜକ ଭାରତକୁ ତାର ଘରୋଇ ମାଟିରେ ୮-୦ ଗୋଲ ବ୍ୟବଧାନରେ ପରାସ୍ତ କରିଛି ଆମେରିକା। ପୂର୍ବରୁ ଭାରତର ଏଭଳି କୌଣସି ଲଜ୍ଜାଜନକ ପରାୟଜ ହୋଇନଥିଲା। ଏହା ପୂର୍ବରୁ ଭାରତୀୟ ମହିଳା ଦଳ ଦକ୍ଷିଣ କୋରିଆ ବିପକ୍ଷରେ ସର୍ବାଧିକ ୭-୦ ଗୋଲରେ ପରାସ୍ତ ହୋଇଥିଲା। କିନ୍ତୁ ଆଜି ଆମେରିକା ଫିଫା ବିଶ୍ୱକପର ପ୍ରଥମ ମ୍ୟାଚରେ ଦକ୍ଷିଣ କୋରିଆର ରେକର୍ଡକୁ ଭାଙ୍ଗି ଭାରତକୁ ଚିତ୍ କରିଛି।
ମ୍ୟାଚ ଶେଷ ପର୍ଯ୍ୟନ୍ତ ସ୍ଥିତି ୮-୦ ରହିବା ପରେ କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ୍ ଦେଖିବାକୁ ଯାଇଥିବା ଲୋକମାନେ ମଧ୍ୟ ନିରାଶ ହୋଇଥିଲେ। ଭାରତ ଶେଷ ଭାଗରେ କିଛି ଜବାବୀ ପ୍ରଦର୍ଶନ କରିଥିଲେ ବି ଆମେରିକାର ରକ୍ଷଣଭାଗକୁ ଭେଦ କରିବାରେ ବିଫଳ ହୋଇଥିଲା। ଶେଷରେ କଳିଙ୍ଗରେ ଆମେରିକା ୮-୦ରେ ମ୍ୟାଚ୍ ଜିତି ନିଜର ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।
ସେହିପରି ଅନ୍ୟ ଏକ ମ୍ୟାଚରେ ମରୋକ୍କୋକୁ ହରାଇ ବ୍ରାଜିଲ ବିଜୟୀ ହୋଇଛି। ୧-୦ ଗୋଲରେ ମରୋକ୍କୋକୁ ପରାସ୍ତ କରିଛି ବ୍ରାଜିଲ। ମ୍ୟାଚ ଆରମ୍ଭରୁ ବ୍ରାଜିଲ୍ ଆଟାକିଂ ଗେମ୍ ଖେଳି ମ୍ୟାଚର ୫ ମିନିଟରେ ଗୋଲ ସ୍କୋର କରିଥିଲା। ତେବେ ମରୋକ୍କୋ ଟିମ୍ ଭଲ ଖେଳିଥିଲେ ମଧ୍ୟ ଗୋଲ ସ୍କୋର କରିବାରେ ସକ୍ଷମ ହୋଇନଥିଲା। ସେପଟେ ଗୋଆରେ ଚାଲିଥିବା ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇ ଚିଲି ବିଜୟ ହାସଲ କରିଛି ।
