୨୩ ଲକ୍ଷ ଠକେଇ ଅଭିଯୋଗରେ ଫେରାର ବିଲ୍ଡର ଗିରଫ
ଭୁବନେଶ୍ୱର: ଜମି ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଫେରାର ବିଲ୍ଡରକୁ ବଡ଼ଗଡ଼ ପୋଲିସ ଉତ୍ତର ପ୍ରଦେଶର ମହମ୍ମଦାବାଦଗହନାରୁ ଗିରଫ କରି ଅଦାଲତ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ବିଜେବି ନଗରରେ ଏକ ବହୁତଳ କୋଠା (ଆପାର୍ଟମେଣ୍ଟ)ରେ ରହୁଥିବା କଟକ ଜିଲା ନିଆଳି ଥାନା ଅଧୀନ କରାଙ୍ଗ ଗାଁର ପର୍ଶୁରାମ କାଣ୍ଡି।
ସୂଚନା ଯେ, ବଡ଼ଗଡ଼ ବ୍ରିଟ୍ କଲୋନୀରେ ରହୁଥିବା ମଧୁସ୍ମିତାଙ୍କ ଘରକୁ ଅଭିଯୁକ୍ତ ଟିଉସନ କରିବାକୁ ଯିବା ସମୟରେ ତାଙ୍କୁ ବଡ଼ଗଡ଼ ମୌଜାରେ ଏକ ଜମି ଦେବାକୁ କହି ୨୩ ଲକ୍ଷ ଟଙ୍କା ବିଭିନ୍ନ ପର୍ଯ୍ୟାୟରେ ନେବା ପରେ ଅଭିଯୁକ୍ତ ପରିବାର ସହ ଫେରାର ହୋଇଯାଇଥିଲା। ଏନେଇ ସେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ଅନୁସନ୍ଧାନ ଚଳାଇଥିଲା। ଶେଷରେ ଅଭିଯୁକ୍ତକୁ ଉତ୍ତର ପ୍ରଦେଶରୁ ଧରିବା ପରେ ସୋମବାର ଅଦାଲତ ଚାଲାଣ କରିଛି। ସେହିପରି ଅଭିଯୁକ୍ତ ନାଁରେ ଜ୍ୟୋତିରଞ୍ଜନ ବିଶ୍ବାଳ, ଚନ୍ଦ୍ରଶେଖର ମୁଦୁଲି ଓ ସୁପ୍ରାଜିତ ପାତ୍ର ଜମି ଦେବା ଓ ଟଙ୍କାକୁ ସେୟାର ମାର୍କେଟରେ ଲଗାଇବା ପାଇଁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଥାନାରେ ଅଭିଯୋଗ ଆଣିଥିବାବେଳେ ଅନ୍ୟ କେଉଁ ଥାନାରେ ଅଭିଯୁକ୍ତ ନାମରେ ମାମଲା ରହିଛି ସେ ନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି। ରାଜଧାନୀରେ ଲୋକଙ୍କୁ ଜମି ଦେବାକୁ କହି ତ ଆଉ କେବେ ସରକାରୀ ଚାକିରି ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୁକ୍ତକୁ ପୋଲିସ ଅଧିକ ତଦନ୍ତ ପାଇଁ ଜିମାରେ ଆଣିବା ଲାଗି ଯୋଜନା କରୁଛି।
