ମାଷ୍ଟର ବଡି ବିଲ୍ଡିଂ ଓଡ଼ିଶା ଚାମ୍ପିୟନସିପ ବିଜେତାଙ୍କୁ ସମ୍ବର୍ଦ୍ଧନା
ବାଲେଶ୍ୱର : ରାଜ୍ୟସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ‘ସିନିୟର ମାଷ୍ଟର ବଡି ବିଲ୍ଡିଂ ଓଡ଼ିଶା ଚାମ୍ପିୟନସିପ’ରେ ସଫଳତା ପାଇଥିବା ବାଲେଶ୍ୱରର ୫ ପ୍ରତିଯୋଗୀଙ୍କୁ ଶନିବାର ସମ୍ବର୍ଦ୍ଧିତ କରାଯାଇଛି । ବଲାଙ୍ଗୀରେ ଗତ ୨ ଓ ୩ ତାରିଖରେ ଆୟୋଜିତ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ବାଲେଶ୍ୱରର ସତ୍ୟଜିତ ଓଝା, ସଂଜୀତ ବେହେରା, କୁମୁଦ ରଂଜନ ପାତ୍ର, ସନିଆ ସିଂ ଓ ଅଭିଷେକ ଦାସ ସଫଳତା ପ୍ରଦର୍ଶନ ସହ ଜିଲା ପାଇଁ ଗୌରବ ଆଣିଛନ୍ତି ।ଏନେଇ ବାଲେଶ୍ୱର ଜିଲା ବଡି ବିଲ୍ଡିଂ ଆସୋସିଏସନ ଓ ଷ୍ଟେ’ଫିଟ ଓପନ ଜିମର ମିଳିତ ସହଯୋଗରେ ଏକ ସମ୍ବର୍ଦ୍ଧନା ପର୍ବ ଆୟୋଜିତ ହୋଇଥିଲା ।
ସମାଜସେବୀ ଅଜୟ କୁମାର ବିଶ୍ୱାଳ, ଅବସରପ୍ରାପ୍ତ ପୁଲିସ ଅଧୀକ୍ଷକ ସନ୍ତୋଷ କୁମାର ନାୟକ, ଅବସରପ୍ରାପ୍ତ ଅତିରିକ୍ତ ପୁଲିସ ଅଧୀକ୍ଷକ କୈଳାସ ଚନ୍ଦ୍ର ପରିଡ଼ା, ବାଲେଶ୍ୱର ପୌରପରିଷଦ ସଦସ୍ୟ ପଦ୍ମଲୋଚନ ଲେଙ୍କା, ବାଲେଶ୍ୱର ଜିଲା ବଡି ବିଲ୍ଡିଂ ଆସୋସିଏସନର ସଭାପତି ବସନ୍ତ ମହାନ୍ତି, ସର୍ବଭାରତୀୟ ବଡି ବିଲ୍ଡିଂ ଚାମ୍ପିୟନସିପ ବିଜେତା ତୁରୁଣ ଚାଟାର୍ଜୀ ପ୍ରମୁଖ ଏଥିରେ ବରେଣ୍ୟ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ୫ ଜଣଙ୍କର ସଫଳତା ଜିଲା ପାଇଁ ଗୌରବ ହୋଇଥିବା ବେଳେ ଯୁବଗୋଷ୍ଠୀଙ୍କୁ ଏହା ବେଶ ପ୍ରେରଣା ଦେବ ବୋଲି ଅତିଥିମାନେ ଆଶା ପ୍ରକାଶ କରିଥିଲେ । ସମସ୍ତଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ପ୍ରଦାନ ପୂର୍ବକ ଏଥିରେ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲା ବଡି ବିଲ୍ଡିଂ ଆସୋସିଏସନର ସମ୍ପାଦକ ତଥା ଷ୍ଟେ’ଫିଟ ଓପନ ଜିମର ସତ୍ତ୍ୱାଧିକାରୀ ମନୋଜ ଦାସ ଏହି ସମ୍ବର୍ଦ୍ଧନା ପର୍ବରେ ସଭାପତିତ୍ୱ କରିଥିବା ବେଳେ ସାମ୍ବାଦିକ ଶିବଦାସ କୁଣ୍ଡୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ବଡି ବିଲ୍ଡିଂ ଆସୋସିଏସନର ଉପ-ସଭାପତି ପ୍ରଦୀପ ଆଚାର୍ଯ୍ୟ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
