ଓଡ଼ିଶାକୁ ବର୍ଷା ଭୟ: ୧୭ ରୁ ବଢିବ ଚାଷୀଙ୍କ ଚିନ୍ତା, ଆଜି ୭ ଜିଲାରେ ପ୍ରବଳ ବର୍ଷା
ଭୁବନେଶ୍ୱର: ଟ୍ରଫ୍ ଲାଇନ ପ୍ରଭାବରେ ଢାଳୁଛି, ଲଘୁଚାପ ହେଲା ଏବେ ଆସୁଛି ଅବପାତ । ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଥାଇଲାଣ୍ଡ ଉପକୂଳ ରେ ଆଜି ସୃଷ୍ଟି ହୋଇଛି ଏକ ଲଘୁଚାପ ବଳୟ । ଏହା ଆସନ୍ତା ୧୫ ତାରିଖ ସୁଦ୍ଧା ଆଣ୍ଡାମାନ ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଅବପାତ ରେ ପରିଣତ ହେବ । ପରେ ଆହୁରି ଘନୀଭୂତ ହୋଇ ଆନ୍ଧ୍ରପ୍ରଦେଶ ଉପକୂଳ ରେ ପଂହଁଚିବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି । ସେପଟେ ତାମିଲନାଡୁରୁ ଗାଙ୍ଗେୟ ପଶ୍ଚିମବଙ୍ଗ ଦେଇ ଆନ୍ଧ୍ରପ୍ରଦେଶ ଏବଂ ଓଡିଶା ଉପରେ ଦେଇ ଯାଇଥିବା ଟ୍ରପ ଲାଇନ ପ୍ରଭାବରେ ଏବେ ରାଜ୍ୟରେ ବର୍ଷା ଜାରି ରହିଥିବା ବେଳେ ୪୮ ଘଣ୍ଟା ପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ ଆଲର୍ଟ କରାଯାଇଛି । ଅପରପଟେ ଲଗାତାର ବର୍ଷା ହେତୁ ଫସଲ ନଷ୍ଟ ନେଇ ପରାମର୍ଶ ଦେଇଛନ୍ତି କୃଷି ବିଶେଷଜ୍ଞ ।
ନଭେମ୍ବର ମାସରେ ଏକାଧିକ ଲଘୁଚାପ, ଢାଳୁଛି..ଢାଳିବ । ନଭେମ୍ବର ମାସରେ ଗତ ୯ ତାରିଖରେ ଗୋଟିଏ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ଆଜି ପୁଣି ଏକ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇଛି । ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଥାଇଲାଣ୍ଡ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାବେଳେ ଏହା କ୍ରମେ ପଶ୍ଚିମ ଉତ୍ତର ପଶ୍ଚିମ ଆଡ଼କୁ ଗତି କରି ପୂର୍ବ କେନ୍ଦ୍ରିୟ ବଙ୍ଗୋପସାଗରରେ୧୫ ତାରିଖ ବେଳକୁ ଅବପାତରେ ପରିଣତ ହେବ । ସେହି ସମାନ ଦିଗରେ ଗତି କରି ୧୮ ତାରିଖ ଆଡକୁ ଆହୁରି ଘନୀଭୂତ ହୋଇ ଆନ୍ଧ୍ରପ୍ରଦେଶ ଉପକୂଳ ରେ ପଂହଁଚିବା ନେଇ ପୂର୍ବାନୁମାନ କରିଛି କେନ୍ଦ୍ର । ଫଳରେ ୧୭ ତାରିଖ ରୁ ବର୍ଷା ପୁଣି ବଢିବ । ବର୍ତ୍ତମାନର ଟ୍ରପ ଲାଇନ ପ୍ରଭାବରେ ରାଜ୍ୟରେ ଆସନ୍ତା ୪୮ ଘଣ୍ଟା ପାଇଁ ୱାର୍ଣ୍ଣିଂ ଜାରି କରିଥିବା ବେଳେ ଆସନ୍ତାକାଲି ସକାଳ ୮ ଟା ୩୦ ପର୍ଯ୍ୟନ୍ତ ଖୋର୍ଦ୍ଧା, ପୁରୀ ଓ ଗଂଜାମ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ଏବଂ ନୟାଗଡ଼, ଗଜପତି, କଟକ ଓ ଜଗତସିଂହପୁର ରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣିଂ ଜାରି ହୋଇଛି ।
ସେପଟେ ଲଗାଣ ବର୍ଷା ହେତୁ ଚାଷ ପ୍ରଭାବିତ ନେଇ ସତର୍କ କରିଛି ପାଣିପାଗ ବିଜ୍ଞାନ ବିଭାଗ । ଅମଳ ଅବସ୍ଥାରେ ଜମିରେ ପାଣି ଜମିଲେ ଧାନ ପଚିଯିବାର ସମ୍ଭାବନା ଅଧିକ । ତେଣୁ ଅତ୍ୟଧିକ ଜଳକୁ ନିଷ୍କାସନ ବ୍ୟବସ୍ଥା କରିବା ସହ ଝିପି ଝିପି ବର୍ଷା ଯୋଗୁଁ ଧାନ ରେ କେଣ୍ଡା ମହିଷା, ଗନ୍ଧି ପୋକ, ଚକଡା ପୋକ ଓ ପନିପରିବା ରେ ମୁଖ୍ୟତଃ ବର୍ଷା ଓ ମେଘୁଆ ପାଗ ପରେ ତଳିଘର କଟା ରୋଗ, ପତ୍ର ଚିତା ଓ ପୋଡ଼ା ରୋଗ, ଝାଉଁଲା ରୋଗ ଲାଗିବାର ସମ୍ଭାବନା ଥାଏ । ଶୁଷ୍କ ପାଗ ଦେଖି ଏହାର ପ୍ରତିକାର କରିବା ସହ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଚାଷୀ ମାନଙ୍କୁ ପରାମର୍ଶ ଦିଆଯାଇଛି ।
ଏହାପରେ ରବିବାର ପୁରୀ, ଜଗତସିଂହପୁର, ଗଂଜାମ, କଟକ, ଖୋର୍ଦ୍ଧା, ନୟାଗଡ଼ ରେ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି । ସେପଟେ ଗତ ୨୪ ଘଣ୍ଟାରେ ଅନେକ ସ୍ଥାନରେ ବର୍ଷା ହୋଇଥିବାବେଳେ ଗଂଜାମ ର ଛତ୍ରପୁର ଠାରେ ୧୩୭.୨ ମିମି ଓ ଆସ୍କା ଠାରେ ୧୩୫ମିମି ବର୍ଷା ରେକର୍ଡ ହୋଇଛି । ବର୍ଷା ଯୋଗୁଁ ରାତିର ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିଛି । ନଭେମ୍ବର ଶେଷ ସପ୍ତାହରେ ଆଉ ଏକ ଲଘୁଚାପ ବଳୟ ସୃଷ୍ଟି ନେଇ ବିଶେଷଜ୍ଞ କହିଛନ୍ତି ।
