ଓଡ଼ିଶାକୁ ଲଘୁଚାପ ଭୟ : ଆଜି ୪ ଜିଲାରେ ବର୍ଷା ନେଇ ସୂଚନା ଜାରି
ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୧୩ ତାରିଖରେ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ପୁଣି ଏକ ଲଘୁଚାପ । ଏହା ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଆହୁରି ଘନିଭୂତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଏହି ପରିପ୍ରେକ୍ଷୀରେ ଆଜି ୪ ଜିଲାରେ ବର୍ଷା ନେଇ ସୂଚନା ଜାରି ହୋଇଛି । ଏନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟର ୬ ସହରରେ ୧୫ ଡ଼ିଗ୍ରୀ ତଳେ ରାତି ତାପମାତ୍ରା ରେକର୍ଡ ହୋଇଛି ।
୧୧ ଡ଼ିଗ୍ରୀ ସହ ଦାରିଙ୍ଗିବାଡି ଓଡିଶାର ଥଣ୍ଡା ସହର ହୋଇଥିବା ବେଳେ ଫୁଲବାଣୀ ରେ ୧୩.୨ ଡ଼ିଗ୍ରୀ, ଟିଟିଲାଗଡ ରେ ୧୪.୫ ଡ଼ିଗ୍ରୀ, ଝାରସୁଗୁଡା ରେ ୧୪.୬ ଡ଼ିଗ୍ରୀ, କେନ୍ଦୁଝର ରେ ୧୪ .୮ ଡ଼ିଗ୍ରୀ, ଏବଂ ସୋନପୁର ରେ ୧୪.୯ ଡ଼ିଗ୍ରୀ ରାତି ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଭୁବନେଶ୍ୱରରେ ୧୮.୫ଡ଼ିଗ୍ରୀ ଏବଂ କଟକ ରେ ୧୮.୪ ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ । ଆଗାମୀ ୨୪ ଘଣ୍ଟା ଧୀରେ ଧୀରେ ରାତ୍ରି ତାପମାତ୍ରା ୨ ରୁ ୩ ଡ଼ିଗ୍ରୀ ବଢିବାର ସମ୍ଭାବନା ସହ ଶୀତର ପ୍ରଭାବ କମିବ ବୋଲି କେନ୍ଦ୍ର ସୂଚନା ଦେଇଛି । ସେହିପରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ମାଲକାନଗିରି, ଗଜପତି, ରାୟଗଡା ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା (Rain) ହେବାର ସମ୍ଭାବନା ରହିଛି ।
