ଆଧାରକାର୍ଡ ଅପଡେଟ ପାଇଁ ଯାଇଥିଲେ ବାପା ଓ ଦୁଇ ଝିଅ, ବସ ଦୁର୍ଘଟଣାରେ ସମସ୍ତେ ମୃତ
ବଲାଙ୍ଗୀର : ଆଧାର କାର୍ଡ ଅପଡେଟ୍ ପାଇଁ ବାପାଙ୍କ ସହ ଦୁଇ ଝିଅ ବାହାରିଥିଲେ । କିନ୍ତୁ କିଏ ଜାଣିଥିଲା ଯେ, ସେମାନେ ଆଉ ଘରକୁ ଫେରିବେ ନାହିଁ? ଭାଗ୍ୟର ବିଡମ୍ବନା ଦେଖନ୍ତୁ । ସଡକ ଦୁର୍ଘଟଣାରେ ଜଣେ ପରେ ଜଣେ ଆଖି ବୁଜି ଆରପାରିକୁ ଚାଲିଗଲେ। ବଲାଙ୍ଗିର ଜିଲ୍ଲା ପୁଇନ୍ତଳା ଥାନା ଅଞ୍ଚଳରେ ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ବାପା ଓ ଦୁଇ ଝିଅଙ୍କ ମୃତ୍ୟୁ ହୋଇଛି।
ଆଧାରକାର୍ଡ ଅପ୍ଡେଟ୍ କରିବା ପାଇଁ ବ୍ରାହ୍ମଣୀପାଲି ଗାଁର ବୀଣାପାଣି ପାଣ୍ଡେ ଦୁଇ ଝିଅ ଶିଖା ଓ ରେଖା ପାଣ୍ଡେଙ୍କୁ ବାଇକରେ ବସାଇ ପୁଇଁତଳା ବ୍ଲକ୍ ଅଭିମୁଖେ ଯାଉଥିଲେ। ତେବେ ଗାଇଁତଲା ଛକଠାରେ ପଛରୁ ଆସୁଥିବା ଏକ ଘରୋଇ ବସ୍ ସେମାନଙ୍କ ବାଇକକୁ ଧକ୍କା ଦେଇଥିଲା। ଫଳରେ ତିନି ଜଣ ଯାକ ଛିଟିକି ହୋଇ ରାସ୍ତାରେ ପଡ଼ିଥିଲେ। ବାଇକ୍ ପଛରେ ବସିଥିବା ସାନ ଝିଅ ରେଖା ବସ୍ ଚକା ତଳକୁ ଚାଲି ଆସିଥିଲା। ଦ୍ରୁତ ଗତିରେ ଯାଉଥିବା ବସ୍ଟି ରେଖାକୁ ଅଧା କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା। ଘଟଣା ସ୍ଥଳରେ ହିଁ ରେଖାର ପ୍ରାଣବାୟୁ ଉଡି ଯାଇଥିଲା।
ସ୍ଥାନୀୟ ଲୋକେ ଗୁରୁତର ଆହତ ବାପା ବୀଣାପାଣି ଓ ବଡ଼ ଝିଅ ଶିଖାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରଥମେ ଆଖି ବୁଜିଥିଲେ ଶିଖା । ବଡ଼ ଝିଅ ମୃତ୍ୟୁର କିଛି ସମୟ ପରେ ବାପା ବୀଣାପାଣି ମଧ୍ୟ ଆଖି ବୁଝିଥିଲେ।
ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ରେଖା ପାଣ୍ଡେଙ୍କ ମୃତଦେହ ରଖି ଗଇଁତଳା ଛକରେ ରାସ୍ତା ରୋକ କରିଥିଲେ ଲୋକେ । କ୍ଷତିପୂରଣ ସହିତ ବସ୍ ଡ୍ରାଇଭର ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ବଲାଙ୍ଗିର ଏସ୍ଡିପିଓ ତୋଫାନ ବାଗ ପୁଲିସ ଫୋର୍ସ ସହିତ ଆନ୍ଦୋଳନ ସ୍ଥଳରେ ପହଞ୍ଚି କଥାବାର୍ତ୍ତା କରିଥିଲେ। ପୁଇଁତଳା ତହସିଲଦାର ରୋହିତ ଭୋଇ କ୍ଷତିପୂରଣ ବାବଦକୁ ରେଡ୍କ୍ରସ୍ ପାଣ୍ଠିରୁ ୫୦ ହଜାର ଟଙ୍କା ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଦୁର୍ଘଟଣା ଘଟାଇଥିବା ବସ୍କୁ ପୋଲିସ୍ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛି ।
