କୋଭିଡ୍ ହସ୍ପିଟାଲରେ ସାଂଘାତିକ ଅବହେଳା : ଦୀର୍ଘ ୧୬ ମାସ ହେଲା ଶବଗୃହରେ ପଡିରହିଛି ଦୁଇଟି ମୃତଦେହ
ବେଙ୍ଗାଲୁରୁ : କୋଭିଡ୍ ହସ୍ପିଟାଲରେ ସାଂଘାତିକ ଅବହେଳା। ଦୀର୍ଘ ୧୬ ମାସ ହେଲା ହସ୍ପିଟାଲର ଶବଗୃହରେ ଦୁଇଟି ମୃତଦେହ ପଡିରହିଛି। ଏଭିଳି ଏକ ଅସମ୍ବେଦଶୀଳ ଘଟଣା ବେଙ୍ଗାଲୁରୁର ରାଜାଜୀନାଗରସ୍ଥିତ ଇଏସ୍ଆଇ ଡାକ୍ତରଖାନାରୁ ଆସିଛି। ମୃତକଙ୍କ ପରିବାର ଏବେ ବିବିଏମପି ଓ ଡାକ୍ତରଖାନା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରୁଛନ୍ତି।
ମୃତକମାନେ ଚାମରାଜପେଟର ୪୦ ବର୍ଷିୟ ଦୁର୍ଗା ସୀତାରାମ ଏବଂ କେପି ଆଗ୍ରାହାରର ୬୨ ବର୍ଷିୟ ମୁନିରାଜୁ ବୋଲି ଚିହ୍ନଟ କରାଯାଇଛି। ଜୁଲାଇ ୨୦୨୦ରେ କୋଭିଡରେ ସଂକ୍ରମିତ ହୋଇ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ମୃତଦେହ ରାଜାଜୀନଗରର ଏଏସଆଇ ଶବଗୃହରେ ରଖାଯାଇଥିଲା। ସ୍ଥାନୀୟ ପ୍ରଶାସନିକ କର୍ତ୍ତୃପକ୍ଷ ମଧ୍ୟ ଦୁଇଟି ମୃତଦେହର ସତ୍କାର କରିନଥିଲା। ଏକ ଅମ୍ଳଜାନ ପାଇପଲାଇନରେ ସମସ୍ୟା ଦେଖାଦେବାରୁ ଶବଗୃହକୁ ବନ୍ଦ କରାଯାଇଥିଲା। ମୃତ୍ୟୁ ସଂଖ୍ୟା ବୃଦ୍ଧିକୁ ଦେଖି ସେହିବର୍ଷ ଡିସେମ୍ବରରେ ନୂଆ ଶବଗୃହର ଉଦଘାଟନ ହେଲା। ଶନିବାର ହସ୍ପିଟାଲ କର୍ମଚାରୀ ସଫା କରିବା ସମୟରେ ଫ୍ରିଜରରେ ୨ଟି ମୃତଦେହ ଠାବ କରିଥିଲେ।
ଦୁର୍ଗା ସୀତାରାମଙ୍କ ସମ୍ପର୍କୀୟ ସୁଜାଥା କହିଛନ୍ତି, ‘ମୃତଦେହ ବିବିଏମପିକୁ ହସ୍ତାନ୍ତର କରାଯାଇଛି ଏବଂ ଶେଷ ରୀତିନୀତି ହୋଇସାରିଛି ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଥିଲେ। କିନ୍ତୁ ଏବେ ଡାକ୍ତରଖାନା ଏବଂ ବିବିଏମ୍ପି ମୋତେ ଡାକିବା ପରେ ମୁଁ ମୃତଦେହ ବିଷୟରେ ଜାଣିଲି।’ ସେପଟେ ମୁନିରାଜୁଙ୍କ ସମ୍ପର୍କୀୟ ସତୀଶ କୁମାର ଗଣମାଧ୍ୟମକୁ କହିଛନ୍ତି, ‘ଏହା ଏକ ଅବହେଳା ବୋଲି ଉଭୟ ଡାକ୍ତରଖାନା ଏବଂ ବିଏମପି ମାନିଛନ୍ତି। କିନ୍ତୁ ଏଭଳି ତ୍ରୁଟି ଗ୍ରହଣୀୟ ନୁହେଁ। ଯେତେବେଳେ ଆମେ ଜିଲ୍ଲା ଅଧିକାରୀଙ୍କ ନମ୍ବରକୁ ପଚାରିଲୁ ସେମାନେ ଆମକୁ ଧମକ ଦେଇଥିଲେ, ଏହା କହିଥଲା ଯେ, ବିଳମ୍ବ ହୋଇସାରିଛି ଏବଂ ସେ ଆସିବ ନାହିଁ। ସେମାନେ ଆମକୁ ଡାକ୍ତରଖାନାରୁ ବାହାର କରିଦେଲେ ଏବଂ ବର୍ତ୍ତମାନ ସେମାନେ କ୍ଷମା ମାଗୁଛନ୍ତି।’
ସେପଟେ ରାଜାଜୀନଗରର ବିଜେପି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଏସ ସୁରେଶ କୁମାର, କର୍ଣ୍ଣାଟକ ଶ୍ରମ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଘଟଣାର ବିଭାଗୀୟ ତଦନ୍ତ ସହ ଉଭୟ ଇଏସଆଇ କର୍ମଚାରୀ ଏବଂ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ମୃତ ଦୂର୍ଗାଙ୍କ ସ୍ୱାମୀ ପୂର୍ବରୁ ହିଁ ମୃତ୍ୟୁବରଣ କରିଛନ୍ତି। ତେଣୁ ତାଙ୍କ ପରିବାର ମୃତଦେହ ନେବାକୁ ଆଗ୍ରହ ଦେଖାଉନାହାନ୍ତି। ଅନ୍ୟପଟେ ଏହି ଚରମ ଅବହେଳା ବିଷୟରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
