ଆଜି ଜନ୍ତର-ମନ୍ତରରେ କୃଷକଙ୍କ ଧାରଣା
- ଆନ୍ଦୋଳନକୁ ମିଳିଲା ଅନୁମତି
- ସାମିଲ ହେବେ ୨୦୦ ଚାଷୀ ନେତା
ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନ ଜାରି ରହିଛି । ଅଧିବେଶନ ସମୟରେ ଚାଷୀମାନେ ଧାରଣା ଦେବା ନେଇ ଚେତାବନୀ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଦିଲ୍ଲୀର ଜନ୍ତରମନ୍ତରରେ ଧାରଣା ପ୍ରଦର୍ଶନ କରିବାକୁ କୃଷକଙ୍କୁ ମିଳିଛି ଅନୁମତି। ଫଳରେ ଏବେ ଜନ୍ତରମନ୍ତରରୁ ଶୁଭିବ କୃଷକଙ୍କ ସ୍ଵର। ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏନେଇ ଆଦେଶ ମଧ୍ୟ ଜାରି କରାଯାଇଛି। ଜୁଲାଇ ୨୨ରୁ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ସକାଳ ୧୧ଟାରୁ ସନ୍ଧ୍ୟା ୫ଟା ଯାଏଁ ସଂଯୁକ୍ତ କିଷାନ ମୋର୍ଚ୍ଚାର ସର୍ବାଧିକ ୨୦୦ ପ୍ରଦର୍ଶନକାରୀ କୃଷକଙ୍କୁ ଧାରଣା ପ୍ରଦର୍ଶନ କରିବାକୁ ଅନୁମତି ଦିଆଯାଇଛି। କୌଣସି ଅପ୍ରିତିକର ଘଟଣା ନ ଘଟିବା ପାଇଁ ଦିଲ୍ଲୀ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ବୁଧବାର ଅପରାହ୍ନରେ କୃଷକ ନେତା ଯୁଦ୍ଧବୀର ମଲିକ, ନୂଆ ଦିଲ୍ଲୀର ଜଏଣ୍ଟ କମିସନର ଯଶପାଲ ସିଂହ, ଡିସିପି ଦୀପକ ଯାଦବ ସମେତ ଅନେକ ଅଧିକାରୀ ଜନ୍ତର ମନ୍ତର ପହଞ୍ଚିଛନ୍ତି। ସେଠାରେ ଆନ୍ଦୋଳନସ୍ଥଳର ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ପ୍ରଦର୍ଶନ ହେଲେ ଅଲଗା ଅଲଗା ବର୍ଡରରୁ ଆସୁଥିବା କୃଷକ କେଉଁଠି ବସିବେ ସେ ସଂପର୍କରେ ଆଲୋଚନା ହୋଇଛି। କୃଷକ ଆନ୍ଦୋଳନକୁ ଆହୁରି ଜୋରଦାର କରିବା ପାଇଁ ଗୁରୁବାରଠୁ ପୂରା ସଂସଦ ଅଧିବେଶନରେ ପ୍ରତିଦିନ ୨୦୦ କୃଷକ ସିଙ୍ଘୁ ବର୍ଡରରୁ ସଂସଦ ପର୍ଯ୍ୟନ୍ତ ଶୋଭାଯାତ୍ରା କରିବେ। ଦିଲ୍ଲୀ ପୋଲିସ ଖୋଦ୍ କୃଷକଙ୍କୁ ଜନ୍ତରମନ୍ତର ପର୍ଯ୍ୟନ୍ତ ନେଇଯିବେ। ମଙ୍ଗଳବାର ଦିନସାରା ସଂଯୁକ୍ତ କିଷାନ ୟୁନିୟନର ନେତା ସଂସଦ ପର୍ଯ୍ୟନ୍ତ ଶୋଭାଯାତ୍ରାର ରଣନୀତି ପ୍ରସ୍ତୁତିରେ ଜୁଟିଥିଲେ। କୃଷକଙ୍କ ଅନୁଯାୟୀ, ସେମାନେ ସଂସଦ ବାହାରେ ନିଜର କୃଷକ ସଂସଦ ଆୟୋଜନ କରିବେ। ପ୍ରତିଦିନ ୨୦୦ କୃଷକଙ୍କୁ ପରିଚୟ ପତ୍ର ଦିଆଯିବ, ଯେଉଁମାନେ ସଂସଦ ପର୍ଯ୍ୟନ୍ତ ରାଲି କରିବେ। କୃଷକ ଏହା ମଧ୍ୟ କହିଛନ୍ତି ଯେ, ଯଦି ସେମାନଙ୍କୁ ଦିଲ୍ଲୀ ପୋଲିସ ଅଟକାଏ ତେବେ ବିନା ବାଧାରେ ଗିରଫଦାରୀ ଦେବେ। ସେହିପରି ଦିଲ୍ଲୀ ପୋଲିସର ସୂତ୍ର ଅନୁଯାୟୀ, ସଂଯୁକ୍ତ କୃଷକ ମୋର୍ଚ୍ଚାର ନେତାଙ୍କ ସହିତ ଆଲୋଚନା କରି କୃଷକଙ୍କକୁ ଜନ୍ତର ମନ୍ତର ଅଣାଯିବ। ପ୍ରାୟ ୨୦୦ କୃଷକ ବସ ମାଧ୍ୟମରେ ସକାଳ ୧୦ଟା ୩୦ରେ ଜନ୍ତର ମନ୍ତରରେ ପହଞ୍ଚିବେ। ସେମାନେ ସେଠାରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବେ। ପୋଲିସ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବ। ସୁରକ୍ଷା ପାଇଁ ଦିଲ୍ଲୀ ପୋଲିସ ଓ ଅର୍ଦ୍ଧସାମରିକ ବଳର ୫-୫ କମ୍ପାନୀକୁ ମୁତୟନ କରାଯିବ। ସମସ୍ତ କୃଷକଙ୍କୁ ପରିଚୟ ପତ୍ର ଯାଞ୍ଚ ପରେ ଭିତରକୁ ପ୍ରବେଶ ଅନୁମତି ମିଳିବ। ଏହାପରେ ସନ୍ଧ୍ୟା ୫ଟାରେ କୃଷକ ଜନ୍ତର ମନ୍ତରରୁ ଫେରିବେ।
