ପ୍ରସିଦ୍ଧ ଗାୟକ ତଥା ସଂଗୀତ ନିର୍ଦ୍ଦେଶକ ବାପି ଲାହିରିଙ୍କ ଦେହାନ୍ତ
ମୁମ୍ବାଇ : ପ୍ରସିଦ୍ଧ ଗାୟକ ତଥା ସଂଗୀତ ନିର୍ଦ୍ଦେଶକ ବାପି ଲାହିରିଙ୍କ ଦେହାନ୍ତ ହୋଇଛି। ବାପି ଲାହିରି ମୁମ୍ବାଇର ଏକ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା । ୧୯୭୦ ରୁ ୮୦ ଦଶକର ‘ଚଲତେ ଚଲତେ’, ‘ଡିସ୍କୋ ଡାନ୍ସର୍’ ଏବଂ ‘ଶରାବୀ’ ପରି ଅନେକ ଚଳଚ୍ଚିତ୍ରରେ ବାପି ଲାହିରି ଲୋକପ୍ରିୟ ସଂଗୀତ ପରିବେଷଣ ପାଇଁ ବେଶ ଲୋକପ୍ରିୟ ଥିଲେ।
‘ଭାନକାସ୍’ ନାମକ ତାଙ୍କର ଶେଷ ବଲିଉଡ୍ ଗୀତ ୨୦୨୦ ଚଳଚ୍ଚିତ୍ର ବାଗୀ ୩ ପାଇଁ ସେ ସଂଗୀତ ଦେଇଥିଲେ। ଗତ ବର୍ଷ କରୋନା କାରଣରୁ ବାପି ଲାହିରି ଦୀର୍ଘ ଦିନ ଧରି ଅସୁସ୍ଥ ହୋଇପଡିଥିଲେ। ବାପି ଲାହିରି ୨୭ ନଭେମ୍ବର ୧୯୫୨ ରେ ପଶ୍ଚିମବଙ୍ଗର ଜାଲପାଇଗୁଡ଼ିରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଆପରେଶ ଲାହିରି ଏବଂ ମାତାଙ୍କ ନାମ ବନସାରୀ ଲାହିରି। ବାପି ଲାହିରି ବଲିଉଡରେ ବହୁତ ଲମ୍ବା ସମୟ ଧରି ସଂଗୀତ ଦେଇଛନ୍ତି। ସେ ୫୦୦ ରୁ ଅଧିକ ଗୀତ ରଚନା କରିଛନ୍ତି।
ସୂଚନା ଯେ, ବରିଷ୍ଠ ଗାୟକ ତଥା ସଙ୍ଗୀତ ନିର୍ଦେଶକ ବାପି ଲାହିରି ଗତବର୍ଷ ଏପ୍ରିଲ୍ ମାସରେ କୋଭିଡ୍-୧୯ ପଜିଟିଭ୍ ହୋଇଥିଲେ। ତା’ପରଠାରୁ ସେ ସମ୍ପୂର୍ଣ୍ଣ ଶଯ୍ୟାଶାୟୀ ହୋଇ ବିଶ୍ରାମ ନେଉଥିଲେ। ଚଳପ୍ରଚଳ ସୁବିଧା ନିମନ୍ତେ ଜୁହୁସ୍ଥିତ ତାଙ୍କ ବାସଭବନରେ ତାଙ୍କ ପାଇଁ ଏକ ହ୍ବିଲ୍ ଚେୟାର୍ ଏବଂ ଲିଫ୍ଟ୍ ବ୍ୟବସ୍ଥା କରାଯାଇଥିଲା। ସେହିପରି ୧୯୭୩ ମସିହାର ଚଳଚ୍ଚିତ୍ର ‘ନହ୍ନା ଶିକାରୀ’ରେ ସଙ୍ଗୀତ ନିର୍ଦେଶନା ଦେଇ ପ୍ରଥମେ ସେ ସଙ୍ଗୀତ ନିର୍ଦେଶନା କ୍ଷେତ୍ରରେ ପାଦ ଦେଇଥିଲେ। ଗତବର୍ଷ ବାପି ଲାହିରି କହିଥିଲେ ଯେ, ପ୍ରଥମେ ସେ କିଶୋର କୁମାରଙ୍କ ଚଳଚ୍ଚିତ୍ର ‘ବଢ୍ତିକା ନାମ୍ ଦାଢ଼ି’ ଚଳଚ୍ଚିତ୍ରରେ ଜଣେ ଅଭିନେତା ଭାବେ ବଲିଉଡ୍ରେ ପ୍ରବେଶ କରିଥିଲେ। ସେ ଉଦୟଶଙ୍କର ପାଣିଙ୍କ ଓଡ଼ିଆ-ବଙ୍ଗଳା ଦ୍ବିଭାଷୀ ଛବି ‘ମିଛ ମାୟା ସଂସାର’ରେ ବି ସଙ୍ଗୀତ ନିର୍ଦେଶନା ଦେଇଥିଲେ।
